fbpx

ଫିଫା ବିଶ୍ୱକପ ପୂର୍ବରୁ ଜର୍ମାନୀକୁ ଲାଗିଲା ଝଟକା: ଦଳରୁ ବାଦ ପଡିଲେ ଷ୍ଟାର ଷ୍ଟ୍ରାଇକର

ବର୍ଲିନ: ଆସନ୍ତା ଫିଫା ବିଶ୍ୱକପ-୨୦୨୨ ପୂର୍ବରୁ ଜର୍ମାନୀକୁ ଏକ ଶକ୍ତ ଝଟକା ଲାଗିଛି । କତାରରେ ହେବାକୁ ଥିବା ଏହି ବିଶ୍ୱକପ ପାଇଁ ଦଳରୁ ବାଦ ପଡିଛନ୍ତି ଆର.ବି ଲିପଜିଗ ଷ୍ଟ୍ରାଇକର ଟିମୋ ୱେର୍ଣ୍ଣର । ତେବେ କେବଳ ଏହି ବିଶ୍ୱକପ ନୁହେଁ, ଆସନ୍ତା ପ୍ରାୟ ବର୍ଷେ ପାଇଁ ଦଳରୁ ବାଦ ପଡିଛନ୍ତି ଟିମୋ । ଶଖତର ଡୋନେସ୍କ ବିପକ୍ଷ ମ୍ୟାଚରେ ତାଙ୍କ ଗୋଡରେ ଆଘାତ ଲାଗିଥିଲା । ଯେଉଁଥିପାଇଁ ବିଶ୍ୱକପରୁ ସେ ବାଦ୍ ପଡିଛନ୍ତି । ତେବେ ଏହା ଜର୍ମାନୀ ପାଇଁ ଏକ ବଡ ସମସ୍ୟା ହୋଇଛି ।

ତେବେ ଆଘାତ ପରେ ସୋସିଆଲ ମିଡିଆରେ ଏକ ମେସେଜ ଦେଇଛନ୍ତି ଟିମୋ । ସେ କହିଛନ୍ତି ଯେ, ମୁଁ ଆସନ୍ତା କିଛି ସପ୍ତାହ ପାଇଁ ଦଳରୁ ଦୂରରେ ରହିବି । ଦୁର୍ଭାଗ୍ୟବଶତଃ ମୋତେ ସୋଫାରେ ବସି ଲିପଜିଗ୍ ଏବଂ ଜର୍ମାନୀକୁ ସମର୍ଥନ କରିବାକୁ ହେବ ।’ ୨ ବର୍ଷ ପରେ ୱେର୍ଣ୍ଣର ଲିପଜିଗକୁ କମବ୍ୟାକ କରିଥିଲେ ଏବଂ ଆସନ୍ତା ୨୦୨୬ ପର୍ଯ୍ୟନ୍ତ ଟିମ୍ ସହିତ ଚୁକ୍ତି କରିଥିଲେ । ବୁନ୍ଦେସଲିଗାରେ ଟିମୋଙ୍କ ପ୍ରଦର୍ଶନ ଏବଂ ଜର୍ମାନୀର ମୁଖ୍ୟ କୋଚ ହାନ୍ସୀ ଫ୍ଲିକଙ୍କ ନେତୃତ୍ୱରେ କତାର ବିଶ୍ୱକପରେ ୱେର୍ଣ୍ଣର ଜର୍ମାନୀ ଦଳରେ ରହିବେ ବୋଲି ଆଶା କରାଯାଉଥିଲା । ଟିମୋଙ୍କ ଅନୁପସ୍ଥିତିକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି ଫ୍ଲିକ । ସେ ଖେଳିବାକୁ ଚାହୁଁଥିଲେ ବି ଯୋଗୁଁ ସେ ଏବେ ଦଳରୁ ବାଦ୍ ପଡିଛନ୍ତି । ବିଶେଷ କରି ଦଳ ପାଇଁ ଏହା ଏକ ବଡ କ୍ଷତି ହେବ ବୋଲି କହିଛନ୍ତି କୋଚ ହାନ୍ସୀ ଫ୍ଲିକ ।

ଗତ ୩ଟି ଲିଗ ମ୍ୟାଚରେ ଦମଦାର ପ୍ରଦର୍ଶନ କରିଥିଲେ ଟିମୋ ୱେର୍ଣ୍ଣର । ଏହାସହିତ ଚମ୍ପିଆନ୍ସ ଲିଗ୍ ରେ ସେଲ୍ଟିକ ଏବଂ ରିୟାଲ ମାଦ୍ରିଦ ବିପକ୍ଷରେ ଗୋଲ ମଧ୍ୟ କରିଥିଲେ ଟିମୋ । ତେବେ ଫିଫା ବିଶ୍ୱକପ ପୂର୍ବରୁ ଟିମୋ ଆହତ ହେବା ପରେ ଏବେ କୋଚ ଫ୍ଲିକଙ୍କୁ ନିଜ ରଣନୀତିରେ ପରିବର୍ତ୍ତନ ଆଣିବାକୁ ପଡିବ । ଟୁର୍ଣ୍ଣାମେଣ୍ଟକୁ ଆଉ ଅଳ୍ପ ଦିନ ବାକି ରହିଥିବା ବେଳେ ଖୁବ ଶୀଘ୍ର ଟିମୋଙ୍କ ବିକଳ୍ପ ଖୋଜିବ ଜର୍ମାନୀ ।

Get real time updates directly on you device, subscribe now.