fbpx

ଶ୍ରୀମନ୍ଦିରରୁ ପଥର ଖସିବା ମାମଲା: ଜିଲ୍ଲାପାଳ କହିଲେ ଘଟଣାର ସତ

ପୁରୀ(ଓଡ଼ିଶା ଭାସ୍କର): ପୁରୀ ଶ୍ରୀମନ୍ଦିର ଗର୍ଭଗୃହରେ ପଥର ଖସିବା ଘଟଣା ଏବେ ଚର୍ଚ୍ଚା ବିଷୟ ପାଲଟିଛି । ଗର୍ଭଗୃହ ରତ୍ନ ସିଂହାସନ ପାଖରେ ଏକ ପଥର ଖଣ୍ଡ ଖସିପଡ଼ିଥିବା ସୂଚନା ମିଳିଛି । ଏହା ପଥର କି ଚୂନ ବୋଲି ଚର୍ଚ୍ଚା ଚାଲିଛି । ଏହି ପଥର ଖଣ୍ଡକୁ ଶ୍ରୀମନ୍ଦିର ଗାରଦରେ ଜବତ କରି ରଖାଯାଇଛି । ତେବେ ବଡ଼ ଠାକୁରଙ୍କ ପଛ ପରିକ୍ରମାରେ ଏହି ଖଣ୍ଡ ପଡ଼ିଥିବା ସୂଚନା ମିଳିଛି ।

ଏହାରି ମଧ୍ୟରେ ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା ସାମ୍ନାକୁ ଆସି ଘଟଣାର ସତ କହିଛନ୍ତି । ପଥର ନୁହେଁ, ତାହା ପ୍ଲାଷ୍ଟ ବୋଲି କହିଛନ୍ତି ଜିଲ୍ଲାପାଳ । ତାଙ୍କ କହିବା ମୁତାବକ, ‘ଆଜି ଦେଉଳ କମାଣ୍ଡର ରିପୋର୍ଟ ଦାଖଲ କରିବେ । ଏଏସଆଇକୁ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।’ ତେବେ ପ୍ରାୟ ଦେଢ଼ କିଲୋଗ୍ରାମ ଓଜନର ପ୍ଲାଷ୍ଟର ଖସିଥିବା ସୂଚନା ମିଳିଛି ।

ସୌଭାଗ୍ୟବଶତଃ ଏହା ଦ୍ୱାରା ବଡ଼ ଠାକୁରଙ୍କ ଶ୍ରୀଅଙ୍ଗ କିନ୍ତୁ ସୁରକ୍ଷିତ ରହିଛି । ମିଳିଥିବା ସୂଚନା ଅନୁସାରେ, ଗର୍ଭଗୃହ ରତ୍ନବେଦିରେ ବଡ଼ଠାକୁର ବସିଥିବା ପଛପଟ ପରିକ୍ରମା ମାର୍ଗରୁ ମଙ୍ଗଳବାର ପ୍ରାୟ ୧୧ଟା ସମୟରେ ଏହି ପଥର ଠାବ କରାଯାଇଥିଲା । ଅନ୍ୟପଟେ ଗଳିପଡ଼ିଥିବା ଖଣ୍ଡ ପଥର ନୁହେଁ ବୋଲି ପ୍ରଶାସନ ଦାବି କରିଛି ।

Get real time updates directly on you device, subscribe now.