JNUରେ ହେଲା ଫିଲ୍ମ ‘୭୨ ହୂରେ’ର ସ୍ପେଶାଲ ସ୍କ୍ରିନିଂ, ଜୟ ଶ୍ରୀ ରାମର ସ୍ଲୋଗାନ ଦେଲେ ଦର୍ଶକ

ନୂଆଦିଲ୍ଲୀ: ଫିଲ୍ମ ‘୭୨ ହୂରେ’କୁ ନେଇ ଚାଲିଥିବା ବିବାଦ ମଧ୍ୟରେ ଦିଲ୍ଲୀର ଜବାହାରଲାଲ ନେହେରୁ ବିଶ୍ୱବିଦ୍ୟାଳୟରେ ଏହି ଫିଲ୍ମର ସ୍ପେଶାଲ ସ୍କ୍ରିନିଂ କରାଯାଇଥିଲା । ଫିଲ୍ମ ନିର୍ମାତାଙ୍କ ଦ୍ୱାରା ଏହି ସ୍କ୍ରିନିଂ କରାଯାଇଥିଲା । ଫିଲ୍ମର ସ୍କ୍ରିନିଂ ପରେ ନିର୍ଦ୍ଦେଶକ ଅଶୋକ ପଣ୍ଡିତ କହିଲେ ଯେ, ଫିଲ୍ମ ଲାଗି ମେକର୍ସ ଅଧିକ ପରିଶ୍ରମ କରିଛନ୍ତି । ତେବେ ଏହି ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀ ଏହାକୁ ଦେଖି ଜୟ ଶ୍ରୀ ରାମର ନାରା ଅର୍ଥାତ ସ୍ଲୋଗାନ ଦେଇଥିଲେ ।

ସୂଚନା ଅନୁଯାୟୀ, ଏହି ଫିଲ୍ମକୁ ନେଇ ଅନେକ ବାଦ ବିବାଦ ଚଲିଛି । ଫିଲ୍ମ ‘୭୨ ହୂରେ’ରେ ଏହା ଦର୍ଶାଯାଇଛି ଯେ, କିପରି ଯୁବକ ଯୁବତୀମାନଙ୍କୁ ପ୍ରୋତ୍ସାହିତ କରାଯାଇ ସେମାନଙ୍କୁ ଆତଙ୍କବାଦୀରେ ପରିଣତ କରାଯାଉଛି । ଫିଲ୍ମର ଟ୍ରେଲର ଆସିବା ବେଳେ ଏକ ଦୃଶ୍ୟକୁ ନେଇ ଆପତ୍ତି ଅଭିଯୋଗ ହୋଇଛି । କାଶ୍ମୀରର କିଛି ପାର୍ଟୀ ଏହି ଫିଲ୍ମକୁ ବିରୋଧ କରିଛନ୍ତି । ଏମାନଙ୍କ ବିରୋଧର କାରଣ ହେଉଛି ଏଥିରେ ଇସଲାମୀୟମାନଙ୍କୁ ଆଘାତ ଦିଆଯାଉଛି ।

କେରଳ ଷ୍ଟୋରୀ ପରେ ‘୭୨ ହୂରେ’ ହେଉଛି ଦ୍ୱିତୀୟ ଫିଲ୍ମ ଯାହାକୁ ନେଇ କଡ଼ା ବିରୋଧ କରାଯାଉଛି । ଫିଲ୍ମରେ ଯୁବକମାନଙ୍କ ବ୍ରେନ ୱାସ କରାଯାଉଛି । ଏହାରି ମଧ୍ୟରେ ଫିଲ୍ମ ନିର୍ମାତା ବହୁବାର କହିସାରିଲେଣି ଯେ, ଏହି ଫିଲ୍ମ କୌଣସି ଧର୍ମ ବିଶେଷ ବିରୋଧୀ ନୁହେଁ । ଫିଲ୍ମ ‘୭୨ ହୂରେ’ ସିନେମାଘରେ ୭ ଜୁଲାଇରେ ରିଲିଜ ହେବ ।