ରାଜଧାନୀର ଗଛ, ଖୁଣ୍ଟ, କାନ୍ଥରେ ବ୍ୟାନର ଓ ପୋଷ୍ଟର ଲଗାଇଲେ କଠୋର କାର୍ଯ୍ୟାନୁଷ୍ଠାନ: ନିର୍ଦ୍ଦେଶନାମା ଜାରି କଲା BMC

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଏଣିକି ରାଜଧାନୀ ଭୁବନେଶ୍ୱରରେ କୌଣସି ବେଆଇନ ପୋଷ୍ଟର, ବ୍ୟାନର ଲଗାଯାଇ ପାରିବ ନାହିଁ । ବିଶେଷ କରି ଗଛ, ଖୁଣ୍ଟ ଓ କୌଣସି କାନ୍ଥରେ ପୋଷ୍ଟର ନ ଲାଗିବା ନେଇ ଭୁବନେଶ୍ୱର ମହାନଗର ନିଗମ (ବିଏମସି) ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି । ଏହି କ୍ରମରେ ନିକଟରେ ରାଜଧାନୀର ଏକ କୋଚିଂ ସେଣ୍ଟରକୁ ବିଏମସି ସିଲ୍ କରି ସାରିଛି ।

ଏକ ବିଦ୍ୟୁତ ଖୁଣ୍ଟରେ ଉକ୍ତ କୋଚିଂ ସେଣ୍ଟରର ଏକ କଟଆଉଟ୍ ଲାଗିଥିଲା । ଏହି ବେଆଇନ ବିଜ୍ଞାପନ ସହରର ସୌନ୍ଦର୍ଯ୍ୟକରଣକୁ ନଷ୍ଟ କରୁଥିବା କାରଣ ଦର୍ଶାଇ ତାହାକୁ ସିଲ୍ କରାଯାଇଛି । ତେବେ ଆଗାମୀ ଦିନରେ ଏହି ଅଭିଯାନକୁ ବିଏମସି ପକ୍ଷରୁ ଜୋରଦାର କରାଯିବ ବୋଲି ଜଣାପଡ଼ିଛି । ସେହିପରି ରାସ୍ତା କିମ୍ବା ଫୁଟପାଥର ସାଇନ ବୋର୍ଡ ମଧ୍ୟ ଲାଗିପାରିବ ନାହିଁ ।

ଅନେକ ବ୍ୟକ୍ତି ଓ ଅନୁଷ୍ଠାନ ସେମାନଙ୍କର ବିଜ୍ଞାପନ ରାଜଧାନୀର ରାସ୍ତାକଡ଼ରେ ଲଗାଇଥାନ୍ତି । ଏହି ବ୍ୟାନରଗୁଡ଼ିକ ଜନସାଧାରଣଙ୍କ ଯାତାୟତରେ ସମସ୍ୟା ସୃଷ୍ଟି କରିଥାଏ । ଏନେଇ କିଛି ବ୍ୟକ୍ତି, ସଂସ୍ଥାର ବେଆଇନ ପୋଷ୍ଟରକୁ ହଟାଯାଇଛି । ଏହି ବେଆଇନ କାର୍ଯ୍ୟରୁ ବିରତ ରହିବା ପାଇଁ ବିଏମସି ପକ୍ଷରୁ ଚେତାବନୀ ଦିଆଯାଇଛି । ଏଥିସହିତ ଏନେଇ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରି ପୋଷ୍ଟର, ବ୍ୟାନର, ହୋର୍ଡିଂ ଲାଗିଥିବା ବିଷୟରେ ଜଣାଇବାକୁ ଜୋନ ସାନିଟାରୀ ଇନ୍ସପେକ୍ଟରଙ୍କୁ କୁହାଯାଇଛି ।