fbpx

ବିଏମସି ଅଫିସ୍ ଘେରାଉ କଲେ ବିଭିନ୍ନ ସଂଘର କର୍ମକର୍ତ୍ତା, ସାନି ଗାଇଡଲାଇନକୁ ଜୋରଦାର୍ ବିରୋଧ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବିଏମସି ପକ୍ଷରୁ ଜାରି ହୋଇଥିବା ସାନି ଗାଇଡଲାଇନକୁ ବିଭିନ୍ନ ସଂଘ ପକ୍ଷରୁ ଜୋରଦାର ବିରୋଧ କରାଯାଇଛି । କ୍ୟାଟରିଂ, ଟେଣ୍ଟ, ଫୁଲ ଓ ଡିଜେ ଲାଇଟ୍ ସଂଘ ପକ୍ଷରୁ ବିଏମସି ଅଫିସ୍ ଘେରାଉ କରାଯାଇଛି । ସାମାଜିକ କାର୍ଯ୍ୟକ୍ରମ ଉପରେ ବିଏମସିର କଟକଣା ପ୍ରତିବାଦରେ ଘେରାଉ ହୋଇଛି ବିଏମସି ଅଫିସ୍ । ସାମାଜିକ କାର୍ଯ୍ୟକ୍ରମରେ ୫୦ ଜଣଙ୍କୁ ଅନୁମତି ଦିଆଯାଇଥିବା ଗାଇଡଲାଇନ୍ କୁ ବିରୋଧ କରାଯାଇଛି । ଅତିରିକ୍ତ କମିଶନର୍ ଙ୍କୁ ଭେଟି ବିଭିନ୍ନ ସଂଘର କର୍ମକର୍ତ୍ତା ମାନେ ଆଲୋଚନା କରିଛନ୍ତି ।

ସୂଚନାଯୋଗ୍ୟ, ଶୀତ ଋତୁ ପାଇଁ ବିଏମସି ପକ୍ଷରୁ କୋଭିଡ୍ ଗାଇଡଲାଇନ୍ ଜାରି କରାଯାଇଛି । ଗାଇଡ୍ଲାଇନ୍ ଉଲ୍ଲଂଘନ ହେଲେ ଆୟୋଜକ ଓ ହଲ୍ ମାଲିକ ଦାୟୀ ହେବେ ବୋଲି ଦର୍ଶାଯାଇଛି । ଆଗକୁ ଶୀତ ଋତୁ ଆସୁଥିବାରୁ କୋଭିଡ଼ କଟକଣାକୁ କଡ଼ାକଡି କରିଛି ବିଏମ୍ସି । ଚଳିତ ମାସ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଜାରି କରାଯାଇଥିବା କୋଭିଡ୍ ଗାଇଡ୍ ଲାଇନ୍ରେ ସାମାଜିକ ଉତ୍ସବରେ ୨୫୦ ଲୋକଙ୍କୁ ଅନୁମତି ଦିଆଯାଇଥିଲା । ସ୍ଥାନୀୟ ପ୍ରଶାସନ ଚାହିଁଲେ ସ୍ଥିତିକୁ ନଜରରେ ରଖି କଡ଼ା କଟକଣା ଲଗାଇପାରିବେ ବୋଲି ଦର୍ଶାଯାଇଥିଲା । ତେବେ ବିଏମ୍ସିର ନୂଆ ଗାଇଡ୍ ଲାଇନ୍ ଅନୁଯାୟୀ କଟକଣାକୁ ଆହୁରି କଠୋର କରାଯିବା ସହ ବିବାହ, ବ୍ରତ, ଶୁଦ୍ଧି କାର୍ୟ୍ୟରେ ୫୦ଜଣଙ୍କୁ ସାମିଲ ହେବାକୁ ଅନୁମତି ଦିଆଯାଇଛି । ଏହା ବିଏମ୍ସି ଅଧିନରେ ଆସୁଥିବା ଅଞ୍ଚଳ ଅର୍ଥାତ ଭୁବନେଶ୍ୱର ପାଇଁ ଲାଗୁ ହେବ ।

ସମସ୍ତ ସାମାଜିକ କାର୍ୟ୍ୟ ପାଇଁ ପ୍ରଶାସନଠାରୁ ଅନୁମତି ନେବାକୁ ପଡିବ । ଶାରୀରିକ ଭାବେ ଅସୁସ୍ଥ ବ୍ୟକ୍ତି କାର୍ୟ୍ୟକ୍ରମରେ ଭାଗ ନେବେ ନାହିଁ । ବୟସ୍କ, ଗର୍ଭବତୀ ମହିଳା, ୧୦ ବର୍ଷରୁ କମ୍ ଶିଶୁଙ୍କୁ ମଧ୍ୟ ଉତ୍ସବରେ ସାମିଲ ନହେବାକୁ କୁହାଯାଇଛି । ଉତ୍ସବ ସ୍ଥଳର ପ୍ରବେଶ ପଥରେ ସମସ୍ତଙ୍କର ଥର୍ମାଲ ସ୍କ୍ରିନିଂ ଓ ହାତଧୁଆର ବ୍ୟବସ୍ଥା ଆୟୋଜକ କରିବେ । ଖାଇବା ସମୟ ବ୍ୟତୀତ ସବୁ ସମୟରେ ମାସ୍କ ବ୍ୟବହାର ଓ ୬ ଫୁଟ୍ର ସାମାଜିକ ଦୂରତା ବାଧ୍ୟତାମୂଳକ କରାଯାଇଛି । ଉତ୍ସବ ହଲ୍ ମଧ୍ୟରେ ଛେପ ପକାଇବା ଏବଂ ପାନ ଗୁଟ୍ଖା ସେବନକୁ ବାରଣ କରାଯାଇଥିବା ବିଏମ୍ସିର ଗାଇଡ୍ଲାଇନ୍ରେ ଦର୍ଶାଯାଇଛି । ଏହିଭଳି କାର୍ୟ୍ୟକ୍ରମରେ କୋଭିଡ୍ ନିୟମ ପାଳନ ହେଉଛି କି ନାହିଁ ସେ ନେଇ କୋଭିଡ୍ ଏନଫୋର୍ସମେଣ୍ଟ ସ୍କ୍ୱାର୍ଡ ଯାଞ୍ଚ କରିବ ।

Get real time updates directly on you device, subscribe now.