fbpx

ହିମାଳୟରେ କେବେ ବି ଆସିପାରେ ବହୁତ ବଡ ବିନାଶକାରୀ ଭୁକମ୍ପ, ବୈଜ୍ଞାନିକ କହିଲେ- ପ୍ରସ୍ତୁତି ରୁହ

ନୂଆଦିଲ୍ଲୀ: ନେପାଳରେ ବୁଧବାର ଭୋର ସକାଳେ ୬.୬ ତୀବ୍ରତାର ଭୂକମ୍ପ ଅନୂଭୂତ ହୋଇଥିଲା। ଭୂକମ୍ପର ଝଟକା ଏତେ ତୀବ୍ର ଥିଲା ଯେ, ଦିଲ୍ଲୀ, ଗାଜିଆବାଦ, ଗୁରୁଗ୍ରାମ ଏବଂ ଲକ୍ଷ୍ନୌ ସହିତ ଉତ୍ତର ଭାରତର କିଛି ଅଞ୍ଚଳ ଦୋହଲି ଯାଇଥିଲା। ନେପାଳର ଦୋତି ଜିଲ୍ଲାରେ ଏକ ଘର ଭୁଶୁଡିବାର ଅତି କମରେ ଛଅ ଜଣଙ୍କ ମୃତ୍ୟୁ ଘଟିଛି। ଭୂକମ୍ପର କେନ୍ଦ୍ରସ୍ଥଳ ନେପାଳ ସୀମା ସଂଲଗ୍ନ ଉତ୍ତରାଖଣ୍ଡର ପିଥୌରାଗଢରୁ ୯୦ କିଲୋମିରଟ ଦକ୍ଷିଣ ପୂର୍ବରେ ରହିଥିଲା। ଏହା ପୂର୍ବରୁ ମଙ୍ଗଳବାର ସନ୍ଧ୍ୟାରେ ଏହି ଅଞ୍ଚଳରେ ୪.୯ ତୀବ୍ରତା ଏବଂ ୩.୫ ତୀବ୍ରତାର ଦୁଇଟି ଭୂକମ୍ପ ଅନୁଭୁତ ହୋଇଥିଲା।

ନେପାଳ ହିମାଚଳୟ କୋଳରେ ଅବସ୍ଥିତ। ଏଠାରେ ବିଗତ ଦିନରେ ଭୂକମ୍ପ ଝଟକା ଅନୁଭୂତ ହୋଇଥିଲା। ଏପ୍ରିଲ ୨୦୧୫ରେ ବିନାଶକାରୀ ଭୂକମ୍ପ ନେପାଳକୁ ଦୋହଲାଇ ଦେଇଥିଲେ। ସରକାରୀ ତଥ୍ୟ ଅନୁଯାୟୀ, ଉକ୍ତ ଭୂକମ୍ପରେ ୮୯୬୪ ଲୋକଙ୍କ ମୃତ୍ୟୁ ଘଟିଥିଲା ଏବଂ ୨୧,୯୫୨ ଜଣ ଆହତ ହୋଇଥିଲେ। ବୈଜ୍ଞାନିକଙ୍କ କହିବା କଥା ହିମାଳୟ କ୍ଷେତ୍ରରେ ଏମିତି ଆହୁରି ବିନାଶକାରୀ ଭୂକମ୍ପର ଆସିବାର ପୂରା ସମ୍ଭାବନା ରହିଛି।

ହିମାଳୟ କ୍ଷେତ୍ରରେ ବଡ ଭୂକମ୍ପ ଆସିବାର ପ୍ରବଳ ସମ୍ଭାବନା ସତ୍ତ୍ଵେ ଏହାର ପୂର୍ବାନୁମାନ ଲଗାଯାଇ ପାରିବ ନାହିଁ। ଏହାକୁ ଦୃଷ୍ଟିରେ ରଖି ବୈଜ୍ଞାନିକ ଏଥିରେ ଭୟଭୀତ ନହୋଇ ଏହାର ସାମ୍ନା ପାଇଁ ବଳିଷ୍ଠ ପ୍ରସ୍ତୁତି କରିବା ଉପରେ ଜୋର ଦେଇଛନ୍ତି। ହିମାଳୟ ଭୂ ବିଜ୍ଞାନ ସଂସ୍ଥାର ବରିଷ୍ଠ ଭୂ ଭୌତିକ ବିଜ୍ଞାନୀ ଡକ୍ଟର ଅଜୟ ପଲ୍ କହିଛନ୍ତି, ଇଣ୍ଡିଆ ପ୍ଲେଟ୍ ଏବଂ ୟୁରୋସିୟନ ପ୍ଲେର ଟକ୍କର କାରଣରୁ ହିମାଳୟ ପାର୍ବତ୍ୟ ଅଞ୍ଚଳରେ ଭୂକମ୍ପ ଦେଖିବାକୁ ମିଳୁଛି।

ରିକ୍ଟର ସ୍କେଲରେ କେତେ ରହିବ ଭୂକମ୍ପର ଝଟକା
ସେ କହିଛନ୍ତି ହିମାଳୟ ନିମ୍ନରେ ବିକୃତି ଉର୍ଜା ଏକତ୍ରିତ ହେବା କାରଣରୁ ଏଠାରେ ଭୂକମ୍ପ ଆସିବା ଏକ ସାଧାରଣ ଏବଂ ନିରନ୍ତର ପ୍ରକ୍ରିୟା। ପୂରା ହିମାଳୟ କ୍ଷେତ୍ର ଭୂକମ୍ପ ଦୃଷ୍ଟିରୁ ବହୁତ ସମ୍ବେଦନଶୀଳ ଅଞ୍ଚଳ। ତେଣୁ ଏଠାରେ ବହୁତ ବଡ ଭୂକମ୍ପ ଆସିବାର ସମ୍ଭାବନା ଲାଗି ରହିଛି। ବଡ ଭୂମିକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ସାତ କିମ୍ବା ସେଥିରୁ ଅଧିକ ରହିବାର ସମ୍ଭାବନା ରହିଛି।

ଜଣା ନାହିଁ କେତେବେଳେ ଆସିବ ଭୂକମ୍ପ
ଡ. ପଲ୍ କହିଛନ୍ତି ବିକୃତି ଉର୍ଜା ବାହାରିବା କିମ୍ବା ଭୂକମ୍ପ ଆସିବାର ପୂର୍ବାନୁମାନ କରାଯାଇ ପାରିବ ନାହିଁ। କେହି ପୂର୍ବାନୁମାନ କରି ପାରିବେ ନାହିଁ ଯେ, ହିମାଳୟ କ୍ଷେତ୍ରରେ କେବେ ଏବଂ କେଉଁ ସମୟରେ ଭୂକମ୍ପ ଆସିବ। ଏହା ପରବର୍ତ୍ତୀ କ୍ଷଣ ବି ହୋଇପାରେ। ଗୋଟିଏ ମାସ ପରେ ବି ହୋଇପାରେ। ହିମାଳୟ ଅଞ୍ଚଳରେ ଗତ ୧୫୦ ବର୍ଷରେ ଚାରୋଟି ବଡ ଭୂକମ୍ପ ଅନୁଭୂତ ହୋଇଛି। ଏଥିରେ ୧୮୯୭ରେ ସିଲଙ୍ଗ, ୧୯୦୫ରେ କାଙ୍ଗଡା, ୧୯୩୪ରେ ବିହାର-ନେପାଳ ଏବଂ ୧୯୫୦ରେ ଆସାମର ଭୂକମ୍ପ ସାମିଲ। ଏହା ପରେ ୧୯୯୧ରେ ଉତ୍ତରକାଶୀ ଏବଂ ୧୯୯୯ରେ ଚମୋଲିରେ ଭୂକମ୍ପ ହୋଇଥିଲା। ୨୦୧୫ରେ ନେପାଳରେ ବଡ ଧରଣର ଭୂକମ୍ପ ଅନୁଭୂତ ହୋଇଥିଲା। ଭୂକମ୍ପ ନେଇ ଭୟଭୀତ ହେବା ପରିବର୍ତ୍ତେ ଏହାର ମୁକାବିଲା ପାଇଁ କେବଳ ଠୋସ୍ ପ୍ରସ୍ତୁତି କରିବା ଉପରେ ଜୋର ଦେବା ଆବଶ୍ୟକ। ଯଦ୍ଵାରା କ୍ଷୟକ୍ଷତିକୁ କମ କରାଯାଇ ପାରିବ ବୋଲି ଡାକ୍ଟର ପଲ୍ କହିଛନ୍ତି।

Get real time updates directly on you device, subscribe now.