ଭୁବନେଶ୍ୱର: କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ (ସିବିଏସ୍ଇ) ଦ୍ୱାରା ପରିଚାଳିତ ପାଠ୍ୟକ୍ରମକୁ ଛାତ୍ରଛାତ୍ରମୀାନେ ନିଜ ଭାଷାରେ ପଢ଼ିପାରିବେ । ଏହିକ୍ରମରେ ଛାତ୍ରଛାତ୍ରୀମାନେ ଓଡ଼ିଆରେ ମଧ୍ୟ ସିବିଏସ୍ଇରେ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ପଢ଼ିପାରିବେ । ଏନେଇ ବୋର୍ଡ ପକ୍ଷରୁ ଏକ ପରିପତ୍ର ପ୍ରକାଶିତ ହୋଇଛି । ବୋର୍ଡର ଏଭଳି ପଦକ୍ଷେପକୁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରଶଂସା କରିବା ସହ ଧନ୍ୟବାଦ ଜଣାଇଛନ୍ତି ।
ସେ ଟୁଇଟ୍ କରିଛନ୍ତି, ବିଦ୍ୟାଳୟରେ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ପାଠ୍ୟକ୍ରମ ବିଭିନ୍ନ ଆଞ୍ଚଳିକ ଭାଷାରେ ଉପଲବ୍ଧ ହୋଇଛି । ଏହାଫଳରେ ଛାତ୍ରଛାତ୍ରୀ ଉଚ୍ଚମାନର ଶିକ୍ଷା ପାଇବା ସହ ଏହା ଆଞ୍ଚଳିକ ଭାଷାକୁ ପ୍ରୋତ୍ସାହିତ କରିବା ଦିଗରେ ସହାୟକ ହୋଇପାରିବ ବୋଲି ମନ୍ତ୍ରୀ ଶ୍ରୀ ପ୍ରଧାନ ସୂଚନା ଦେଇଛନ୍ତି ।
ରାଷ୍ଟ୍ରୀୟ ଶିକ୍ଷାନୀତି-୨୦୨୦ରେ ଯୁବଶିକ୍ଷାର୍ଥୀଙ୍କୁ ବହୁଭାଷାରେ ଶିକ୍ଷାଦାନର ଲାଭ ଉପରେ ଗୁରୁତ୍ୱାରୋପ କରାଯାଇଛି । ଅତିକମ୍ରେ ପଞ୍ଚମ ଏବଂ ଅତିବେଶୀରେ ଅଷ୍ଟମ ତଥା ତଦୁର୍ଦ୍ଧ ଯାଏଁ ନିଜ ଆଞ୍ଚଳିକ ଭାଷାରେ ଛାତ୍ରଛାତ୍ରୀ ଶିକ୍ଷାଗ୍ରହଣ କରିପାରିବେ ବୋଲି ସେଠାରେ ଉଲ୍ଲେଖ ରହିଛି ।