ପ୍ରଯୋଜନାରେ ପାଦ ଥାପିଲେ ଝିଲିକ୍; ଓଡ଼ିଆ ସିନେମା ରୁଦ୍ରାଣୀର ଶୁଭ ମହୁରତ

ଭୁବନେଶ୍ୱର (ଓଡ଼ିଶା ଭାସ୍କର): ଓଲିଉଡ ଇଣ୍ଡଷ୍ଟ୍ରୀର ଲୋକପ୍ରିୟ ଅଭିନେତ୍ରୀ ଝିଲିକ ଏବେ ପ୍ରଯୋଜନା କ୍ଷେତ୍ରରେ ପାଦ ଥାପିଛନ୍ତି । ନିଜର ଅଭିନୟରେ ବଳରେ ଓଡ଼ିଶାବାସୀଙ୍କ ହୃଦୟ ଜିତିଛନ୍ତି ଏହି ଅଭିନେତ୍ରୀ । ବିବାହ ପରେ ଅଭିନୟରୁ ଦୂରେଇ ରହିଥିବା ଏହି ଅଭିନେତ୍ରୀ ଏବେ ପୁଣି ଥରେ ଇଣ୍ଡଷ୍ଟ୍ରୀକୁ କରିଛନ୍ତି କମ୍ ବ୍ୟାକ୍ । ତେବେ ଏଥର ଅଭିନେତ୍ରୀ ରୂପେ ନୁହେଁ ବରଂ ପ୍ରଯୋଜକ ଭାବରେ କମ୍ ବ୍ୟାକ୍ କରିଛନ୍ତି ଆପଣଙ୍କ ପ୍ରିୟ ବଙ୍ଗୀୟ ସୁନ୍ଦରୀ ତଥା ଓଡ଼ିଆ ବୋହୂ ଝିଲିକ ।

ନୂଆ ପ୍ରଡକ୍ସନ ହାଉସରେ ତାଙ୍କ ଅଭିନୀତ ନୂଆ ନାରିକୈନ୍ଦ୍ରିକ ଚଳଚ୍ଚିତ୍ର “ରୁଦ୍ରାଣୀ”ର ନାମ ଘୋଷଣା ଏକ ବର୍ଣ୍ଣାଢ଼୍ୟ ପରିବେଶ ମଧ୍ୟରେ ଅନୁଷ୍ଠିତ ହେଇଛି । ନିଜେ ପରିକଳ୍ପନା କରିବା ସହ ପ୍ରଯୋଜନା ଭଳି ଗୁରୁ ଦାୟିତ୍ୱରେ ଅଛନ୍ତି ନିଜେ ଅଭିନେତ୍ରୀ ଝିଲିକ୍ । ପ୍ରଥମେ ବାଙ୍ଗୀୟ ଚଳଚ୍ଚିତ୍ର “ତେମାୟା ଭଲୋ ପାସି ” ଜରିଆରେ ଅଭିନୟ ଜଗତକୁ ଏଣ୍ଟ୍ରି ମାରିଥିବାବେଳେ ସେହି ବର୍ଷ ଅମ୍ଲାନଙ୍କ ବିପକ୍ଷରେ ଓଡ଼ିଆ ଚଳଚ୍ଚିତ୍ର “ଟାର୍ଗେଟ”ରେ ଦର୍ଶକ ଦେଖି ଥିଲେ ତାଙ୍କୁ ।

ଏହା ଭିତରେ ୧୪ଟି ଓଡ଼ିଆ ଚଳଚ୍ଚିତ୍ର ସହ ୭ଟି ବଙ୍ଗୀୟ ଚଳଚ୍ଚିତ୍ରରେ ସେ ଅଭିନୟ କରିସାରିଲେଣି । ଚଳଚ୍ଚିତ୍ର” ରୁଦ୍ରାଣୀ” ହେବ ତାଙ୍କର ୧୫ ତମ ଚଳଚ୍ଚିତ୍ର। ଏହି ଚଳଚ୍ଚିତ୍ରରେ ଓଡ଼ିଆ ଭାଷା, ସଂସ୍କୃତି ଓ ପରମ୍ପରାକୁ ଦିଆଯିବା ସହ ଓଡ଼ିଶାର ବିଭିନ୍ନ ସ୍ଥାନରେ ଜାନୁଆରୀ ୧୦ରୁ ସୁଟିଂ ହେବ ବୋଲି ପ୍ରଯୋଜନା ସଂସ୍ଥା ପକ୍ଷରୁ କ୍ରିଏଟିଭ ହେଡ଼ ପ୍ରଣୟ ଜେଠୀ ସୂଚନା ଦେଇଛନ୍ତି । ଚଳଚ୍ଚିତ୍ରରେ ଚିତ୍ରନାଟ୍ୟ ଓ ନିର୍ଦ୍ଦେଶନା ଦେଇଛନ୍ତି କେ. ମୁରଲୀକ୍ରିଷ୍ଣା । ସେହିପରି ସଂଗୀତ ନିର୍ଦ୍ଦେଶନା ଦେଇଛନ୍ତି ପ୍ରେମ୍ ଆନନ୍ଦ ଓ ସଂଳାପରେ ଅଛନ୍ତି ଡ଼. ରଜନୀରଞ୍ଜନ , ପ୍ରଡକ୍ସନ ଡିଜାଇନର ଅଛନ୍ତି ଋତୁରାଜ୍ । ଅଭିନୟରେ ଅଛନ୍ତି ଝିଲିକ, ମଣ୍ଟୁ, ଲୋହିତାକ୍ଷ, ପିଣ୍ଟୁ ନନ୍ଦ, ବବି ମିଶ୍ର, ଧରିତ୍ରୀ ଖଣ୍ଡୁଆଳ, ପ୍ରତିଭା ପଣ୍ଡା, ଶକ୍ତି ବରାଳ, ଜୀବନ ପଣ୍ଡା ,ସୁନୀତା ପ୍ରମୁଖ ।

ଝିଲିକ ମୋସନ ପିକ୍ଚର୍ସକୁ ସମାଜସେବୀ ପ୍ରତିମା ଘଡେଇ ଅନୁଷ୍ଠାନିକ ଭାବେ ଲୋକାର୍ପଣ କରିଥିବାବେଳେ ପ୍ରଯୋଜକ ସୀତାରାମ ଅଗ୍ରୱାଲ ଅଭିନେତା ସିଦ୍ଧାନ୍ତ ମହାପାତ୍ର, ପ୍ରଦ୍ୟୁମ୍ନ ଲେଙ୍କା, ପ୍ରଯୋଜକ ସଞ୍ଜୟ ନାୟକ(ଟୁଟୁ ), କାଦମ୍ବିନୀ ପତ୍ରିକା ର ସଂପାଦିକା ଇତି ସାମନ୍ତ ପ୍ରମୁଖ ଯୋଗଦେଇ ଟାଇଟଲ ଉନ୍ମୋଚନ କରିଥିଲେ । ନିଜେ ଝିଲିକ ସାଥି କଳାକାରଙ୍କ ସହ ଫାଷ୍ଟ ଲୁକ ଲୋକାର୍ପଣ କରିଥିଲେ।