ଭୁବନେଶ୍ୱର: ଡିସେମ୍ବର ୨୫ ତାରିଖରେ ବଡ଼ ଦିନ ପାଳନ କରାଯିବ । ଏହି ବଡ଼ଦିନ ଅବସରରେ ଓଡ଼ିଶାର ମହିଳାଙ୍କୁ ବଡ଼ ଉପହାର ଦେବେ ସରକାର । ଡିସେମ୍ବର ୨୫ ତାରିଖରେ ସୁଭଦ୍ରା ପର୍ଯ୍ୟାୟର ଚତୁର୍ଥ ପର୍ଯ୍ୟାୟ ଟଙ୍କା ପ୍ରଦାନ କରିବେ ରାଜ୍ୟ ସରକାର । ପୂର୍ବରୁ ହିତାଧିକାରୀ ମହିଳାଙ୍କୁ ୩ଟି ପର୍ଯ୍ୟାୟରେ ସୁଭଦ୍ରା ଯୋଜନାର ଟଙ୍କା ମିଳିଥିବା ବେଳେ ବଡ଼ ଦିନରେ ମିଳିବ ଚତୁର୍ଥ ପର୍ଯ୍ୟାୟ ଟଙ୍କା ।
ଡିସେମ୍ବର ୨୫ ତାରିଖ ବଡ଼ ଦିନ ଅବସରରେ ସରକାର ସୁଭଦ୍ରା ଯୋଜନା ପ୍ରଥମ କିସ୍ତିର ଚତୁର୍ଥ ପର୍ଯ୍ୟାୟ ଟଙ୍କା ପଠାଇବେ । ଏଥିପାଇଁ ଯାଞ୍ଚ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ତେବେ ଡିସେମ୍ବର ୬ ତାରିଖ ସୁଦ୍ଧା ଯୋଗ୍ୟ ଏବଂ ଅଯୋଗ୍ୟ ତାଲିକା ପ୍ରକାଶ ପାଇବ । ଏହାପରେ ପରବର୍ତ୍ତୀ ୭ ଦିନ ହିତାଧିକାରୀ ବା ଆବେଦନକାରୀଙ୍କ ଆପତ୍ତି ଗ୍ରହଣ କରାଯିବ ବୋଲି ସୂଚନା ମିଳିଛି ।
ବର୍ତ୍ତମାନ ସୁଦ୍ଧା ୩ଟି ପର୍ଯ୍ୟାୟରେ ସରକାର ଯୋଗ୍ୟ ହିତାଧିକାରୀଙ୍କୁ ଟଙ୍କା ପଠାଇ ସାରିଛନ୍ତି । ତୃତୀୟ ପର୍ଯ୍ୟାୟ ସୁଦ୍ଧା ରାଜ୍ୟର ୮୦ ଲକ୍ଷ ମହିଳାଙ୍କ ଆକାଉଣ୍ଟକୁ ୫ ହଜାର ଟଙ୍କା ଲେଖାଏଁ ଜମା ହୋଇଥିବା ବେଳେେ ଡିସେମ୍ବର ୨୫ ତାରିଖରେ ଯୋଜନାର ଚତୁର୍ଥ ପର୍ଯ୍ୟାୟ ଟଙ୍କା ପ୍ରଦାନ କରାଯିବ । ଏ ନେଇ ପୂର୍ବରୁ ଘୋଷଣା କରିଥିଲେ ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ।
ପ୍ରଥମ ଏବଂ ଦ୍ବିତୀୟ ପର୍ୟ୍ୟାୟରେ ୬୦ ଲକ୍ଷ ୨୭ ହଜାର ମହିଳାଙ୍କୁ ସୁଭଦ୍ରା ଟଙ୍କା ପ୍ରଦାନ କରାଯାଇଥିଲା । ଆଜି ୨୦ ଲକ୍ଷ ମହିଳାଙ୍କୁ ସୁଭଦ୍ରାର ୫ ହଜାର ଟଙ୍କା ପ୍ରଦାନ କରାଯାଇଛି । ଆଜିର ହିତାଧିକାରୀଙ୍କୁ ମିଶାଇଲେ ମୋଟ ୮୦ ଲକ୍ଷରୁ ଅଧିକ ହିତାଧିକାରୀ ଏହା ଦ୍ବାରା ଉପକୃତ ହୋଇଛନ୍ତି । ତେବେ ବାଦ ପଡିଥିବା ମହିଳାଙ୍କୁ ଡିସେମ୍ବର ମାସରେ ଚତୁର୍ଥ ପର୍ୟାୟ ଟଙ୍କା ପ୍ରଦାନ କରାଯିବା ନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା ଘୋଷଣା କରିଛନ୍ତି । ସୂଚନା ଅନୁସାରେ, ୫ ଲକ୍ଷ ଆବେଦନକାରୀଙ୍କୁ ଚଳିତଥର ଟଙ୍କା ମିଳିବ ନାହିଁ । ସେମାନଙ୍କୁ ଡିସେମ୍ୱର ମାସରେ ଟଙ୍କା ମିଳିବ ବୋଲି ଉପମୁଖ୍ୟମନ୍ତ୍ରୀ କହିଛନ୍ତି । ଆଧାର, ଆକାଉଣ୍ଟ, ମୋବାଇଲ ନମ୍ବର ସଂଯୋଗ କରେଇବା ପରେ ଉକ୍ତ ହିତାଧିକାରୀ ସୁଭଦ୍ରା ଯୋଜନାରେ ସାମିଲ କରାଯିବ ।