ନୂଆଦିଲ୍ଲୀ: ବିପଦରେ ମାଗଣାରେ ଇଣ୍ଟରନେଟରେ ଉପଲବ୍ଧ ହେଉଥିବା ତଥ୍ୟ । ସୋମବାର ଏକ ସାକ୍ଷାତକାରରେ ଏମିତି କିଛି କହିଛନ୍ତି ଗୁଗୁଲ୍ ସିଇଓ ସୁନ୍ଦର ପିଚାଇ । ପିଚାଇ କହିଛନ୍ତି ବହୁ ଶକ୍ତିଶାଳୀ ଗଣତାନ୍ତ୍ରିକ ରାଷ୍ଟ୍ର ମୁକ୍ତ ଇଣ୍ଟରନେଟର ତଥ୍ୟକୁ ବ୍ୟାନ କରୁଛନ୍ତି ।
ସାକ୍ଷାତକାର ସମୟରେ ଗୁଗୁଲ୍ ମୁଖ୍ୟ କହିଛନ୍ତି ଯେ ଅନେକ ଦେଶ ସୂଚନା ପ୍ରବାହ ଉପରେ ପ୍ରତିବନ୍ଧକ ଲଗାଉଛନ୍ତି । ଇଣ୍ଟରନେଟରେ ଉପଲବ୍ଧ ଅନେକ ତଥ୍ୟ ଗଣତାନ୍ତ୍ରିକ ରାଷ୍ଟ୍ରମାନଙ୍କରେ ବ୍ୟାନ କରାଯାଉଛି ଯାହାଦ୍ୱାରା ଲୋକମାନେ ସଂପୂର୍ଣ୍ଣ ତଥ୍ୟ ପାଇବାରେୁ ବଞ୍ଚିତ ହେଉଛନ୍ତି । ଏପରି ହେବାଦ୍ୱାରା ଇଣ୍ଟରନେଟର ନିରପେକ୍ଷତା ସଙ୍କଟ ସମୟ ଦେଇ ଗତି କରୁଥିବା ମନେ ହେଉଛି । ସେ ଆହୁରି ମଧ୍ୟ କହିଛନ୍ତି ଯେ ବର୍ତ୍ତମାନ ପ୍ରତ୍ୟେକ ଦେଶ କେଉଁ ବିଷୟ ଠିକ ଏବଂ କେଉଁ ବିଷୟକୁ ଅନୁମତି ଦିଆଯିବା ଉଚିତ ସେ ନେଇ ବିତର୍କ ଚାଲିଛି । ଅନେକ ଦେଶ ସୂଚନା ପ୍ରବାହକୁ ସୀମିତ ରଖିଛନ୍ତି ଏବଂ ଅଧିକ କଠୋର ନିୟମ ଲାଗୁ କରୁଛନ୍ତି ।
ସୋସିଆଲ ମିଡିଆ ପ୍ଲାଟଫର୍ମ ଏବଂ ଡିଜିଟାଲ ନ୍ୟୁଜ ଆଉଟଲେଟଗୁଡିକ ଭାରତର ନୂତନ ସୂଚନା ପ୍ରଯୁକ୍ତିବିଦ୍ୟା ନିୟମ ବିରୁଦ୍ଧରେ କୋର୍ଟରେ ଆବେଦନ କରିଥିବାବେଳେ ସୁନ୍ଦର ପିଚାଇ ଏହି ମନ୍ତବ୍ୟ ଦେଇଛନ୍ତି । ସୋସିଆଲ-ମିଡିଆରେ ବିଷୟବସ୍ତୁକୁ ନିୟନ୍ତ୍ରଣ କରିବା ଏବଂ ସହଜରେ ପୋଷ୍ଟଗୁଡିକ ହଟାଇବା ପାଇଁ ଆଇନଗତ ଅନୁରୋଧ ଉପରେ ସଂସ୍ଥାଗୁଡ଼ିକୁ ଅଧିକ ତ୍ୱରାନ୍ୱିତ କରିବା ପାଇଁ ନିର୍ଦ୍ଦେଶନାମା ରହିଛି, ଯାହା ମେ-ମାସରୁ ଲାଗୁ ହୋଇଛି ।
ଜୁନ୍ ୩୦ ରେ, ନିୟମ ଅନୁଯାୟୀ ଗୁଗୁଲ୍ ଏହାର ପ୍ରଥମ ମାସିକ ସ୍ୱଚ୍ଛତା ରିପୋର୍ଟ ପ୍ରକାଶ କଲା । ତେବେ ଗତ ମାସରେ କମ୍ପାନୀ ଦିଲ୍ଲୀ ହାଇକୋର୍ଟରେ ଯୁକ୍ତି କରିଥିଲା ଯେ ଏହାର ସର୍ଚ୍ଚ ଇଞ୍ଜିନରେ ନୂଆ ଆଇଟି ନିୟମ ପ୍ରଯୁଜ୍ୟ ନୁହେଁ। ଜୁଲାଇ ୨୫ ରେ ପୁଣି ଏହି ମାମଲାର ଶୁଣାଣି ହେବ।