ଗାଭାସ୍କରଙ୍କ ପରାମର୍ଶ- ବିରାଟ କୋହଲିଙ୍କୁ ଏବେ ତାହା କରିବା ଉଚିତ୍, ଯାହା ସଚିନ ସିଡନୀ ଟେଷ୍ଟରେ କରିଥିଲେ

ନୂଆଦିଲ୍ଲୀ : ଭାରତୀୟ ଦଳର ଅଧିନାୟକ ବିରାଟ କୋହଲିଙ୍କ ଫର୍ମ ସଂପ୍ରତି ଦଳ ପାଇଁ ସବୁଠୁ ବଡ ଚିନ୍ତାର କାରଣ ପାଲଟିଛି । ବିରାଟଙ୍କ ବ୍ୟାଟରୁ ୨୦୧୯ ନଭେମ୍ବରରୁ ଗୋଟିଏ ହେଲେ ଶତକ ଦେଖିବାକୁ ମିଳିନାହିଁ । ଶତକ ତ ଦୂରରେ ଥାଉ ତାଙ୍କୁ ଏବେ ରନ ପାଇଁ ମଧ୍ୟ ସଂଘର୍ଷ କରିବାକୁ ପଡୁଛି । ଇଂଲଣ୍ଡ ବିପକ୍ଷରେ ଚାଲିଥିବା ତୃତୀୟ ଟେଷ୍ଟରେ ବିରାଟ ପୁଣି ଥରେ ଜେମ୍ସ ଆଣ୍ଡରସନଙ୍କ ବିରୋଧରେ ସଂଘର୍ଷ କରୁଥିବା ଦେଖିବାକୁ ମିଳିଛି । କୋହଲି ଲିଡ୍ସରେ ଖେଳାଯାଉଥିବା ମୁକାବିଲାରେ ମାତ୍ର ୭ ରନ କରି ଆଉଟ୍ ହୋଇଥିଲେ । ଏହା ମଧ୍ୟରେ ଭାରତୀୟ ଦଳର ପୂର୍ବତନ ଅଧିନାୟକ ସୁନିଲ ଗାଭାସ୍କର ବିରାଟଙ୍କୁ ଏକ ମହତ୍ୱପୂର୍ଣ୍ଣ ପରାମର୍ଶ ଦେଇଛନ୍ତି । ସେ କହିଛନ୍ତି, ବିରାଟଙ୍କୁ ଏବେ ତାହା କରିବା ଉଚିତ୍ , ଯାହା ସଚିନ ତେନ୍ଦୁଲକର ସିଡନୀରେ କରିଥିଲେ ।

ଗାଭାସ୍କର କହିଛନ୍ତି, ସଚିନ ୨୦୦୩ରେ ସିଡନୀ ଟେଷ୍ଟରେ ଯାହା କରିଥିଲେ, ବିରାଟଙ୍କୁ ଏବେ ତାହା କରିବା ଉଚିତ୍ । ବିରାଟ ପ୍ରଥମ ଇନିଂସରେ ସଅଳ ଆଉଟ୍ ହେବା ପରେ ଗାଭାସ୍କର କହିଛନ୍ତି ଯେ, ବିରାଟଙ୍କୁ ଶୀଘ୍ର ସଚିନ ତେନ୍ଦୁଲକରଙ୍କ ସହ ଫୋନରେ କଥା ହେବା ଉଚିତ୍ । ତାଙ୍କୁ ସେଇଆ କରିବା ଉଚିତ୍, ଯାହା ସଚିନ ସିଡନୀ ଟେଷ୍ଟରେ କରିଥିଲେ । ନିଜକୁ କହିବାକୁ ପଡିବ ଯେ, ମୁଁ କଭର ଡ୍ରାଇଭ ଖେଳିବି ନାହିଁ । ଟେଷ୍ଟ କ୍ରିକେଟରେ ସର୍ବ ପ୍ରଥମେ ୧୦ ହଜାର ରନର ମାଇଲ ଖୁଣ୍ଟ ଛୁଇଁଥିବା ଗାଭାସ୍କର କହିଛନ୍ତି, ବିରାଟଙ୍କ ଫର୍ମ ମୋ ପାଇଁ ବି ଚିନ୍ତାର ବିଷୟ ।

କାରଣ ବିରାଟ କୋହଲି ପଞ୍ଚମ, ଷଷ୍ଠ ଏବଂ ଏପରିକି ସପ୍ତମ ଷ୍ଟମ୍ପର ଲାଇନର ବଲରେ ଆଉଟ୍ ହେଉଛନ୍ତି । ୨୦୧୪ରେ ସେ ଅଧିକାଂଶ ଅଫ ଷ୍ଟମ୍ପ ବଲରେ ହିଁ ଆଉଟ୍ ହୋଇଥିଲେ । ବିରାଟ ଏହି ସିରିଜ୍ ପୂର୍ବରୁ ଗୋଲଡେନ୍ ଡକର ଶିକାର ହୋଇଥିଲେ । ଦ୍ୱିତୀୟ ଟେଷ୍ଟରେ ସେ ୪୨ ଓ ୨୦ ରନ କରିଥିଲେ । ସୂଚନାଯୋଗ୍ୟ, ସିଡନୀ ଟେଷ୍ଟରେ ସଚିନ ଗୋଟିଏ ହେଲେ କଭର ଡ୍ରାଇଭ୍ ସଟ୍ ମାରିନଥିଲେ । ସଚିନ ପ୍ରଥମ ଇନିଂସରେ ଅପରାଜିତ ୨୪୧ ଓ ଦ୍ୱିତୀୟ ଇନିଂସରେ ବି ୬୦ ରନର ଅପରାଜିତ ଇନିଂସ ଖେଳିଥିଲେ ।

ସିଡନୀ ଟେଷ୍ଟର ପ୍ରଥମ ଇନିଂସରେ ଭାରତ ୭ ୱିକେଟ୍ ହରାଇ ୭୦୫ ରନରେ ପାଳି ସମାପ୍ତି ଘୋଷଣା କରିଥିଲା । ଏଥିରେ ସଚିନ ୨୪୧ ଓ ଭିଭିଏସ ଲକ୍ଷ୍ମଣ ୧୭୮ ରନର ଗୁରୁତ୍ୱପୂର୍ଣ୍ଣ ଇନିଂସ ଖେଳିଥିଲେ । ଜବାବରେ ଅଷ୍ଟ୍ରେଲିଆ ୪୭୪ ରନରେ ଅଲଆଉଟ୍ ହୋଇଥିଲା । ପୁଣି ଭାରତ ୨ ୱିକେଟ୍ ବିନିମୟମରେ ୨୧୧ରେ ଦ୍ୱିତୀୟ ଇନିଂସ ଘୋଷଣା କରିଥିଲା । ଅଷ୍ଟ୍ରେଲିଆ ୩୫୭/୬ ସହ ମ୍ୟାଚ୍ ଡ୍ର ରହିଥିଲା ।