fbpx

ରାଜନୀତିକୁ କମବ୍ୟାକ କରିବେ ସୁପରଷ୍ଟାର ଗୋବିନ୍ଦା! ଏହି ପାର୍ଟି ପାଇଁ ହେବେ ‘ପାର୍ଟନର’

ମୁମ୍ବାଇ: ଆସନ୍ତା ଲୋକସଭା ନିର୍ବାଚନ ଜରିଆରେ ପୁଣିଥରେ ରାଜନୀତିକୁ କମବ୍ୟାକ କରିବେ ସୁପରଷ୍ଟାର ଗୋବିନ୍ଦା । ବଜ୍ର ଶପଥ ଭାଙ୍ଗି ପୁଣିଥରେ ରାଜନୀତିରେ ପାଦ ରଖିବେ ବଲିଉଡର ହିରୋ ନଂ.୧ । ଏ ନେଇ ବର୍ତ୍ତମାନ ଚର୍ଚ୍ଚା ଜୋର ଧରିଛି । ନିକଟରେ ଗୋବିନ୍ଦା ମୁମ୍ବାଇରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ସହ ଭେଟ କରିଛନ୍ତି । ୩-୪ ଦିନ ପୂର୍ବରୁ ଉଭୟଙ୍କ ମଧ୍ୟରେ ଏକ ବୈଠକ ହୋଇଥିବା ନେଇ ଶିବସେନା ସୂତ୍ରରୁ ଖବର ମିଳିଛି । ତେଣୁ ଏହି ପାର୍ଟି ସହ ସାମିଲ ହୋଇ ଆସନ୍ତା ନିର୍ବାଚନରେ ସେ ପୁଣି ରାଜନୀତିକୁ ପେରିପାରନ୍ତି ବୋଲି ଚର୍ଚ୍ଚା ହେଉଛି ।

ସୂଚନା ଅନୁସାରେ, କଂଗ୍ରେସର ପୂର୍ବ ସାଂସଦ ଗୋବିନ୍ଦା ଏବଂ ଏକନାଥ ସିନ୍ଦେଙ୍କ ନେତୃତ୍ୱାଧୀନ ପାର୍ଟି ଶିବସେନାରେ ସାମିଲ ହେବାର ସମ୍ଭାବନା ରହିଛି । କୁହାଯାଉଛି ଯେ, ମୁମ୍ବାଇର ଉତ୍ତର-ପଶ୍ଚିମ ନିର୍ବାଚନ ମଣ୍ଡଳୀରୁ ଶିବସେନା-(ଉଦ୍ଧବ ଗୁଟ)ର ଅମୋଲ କାର୍ତ୍ତୀକରଙ୍କ ବିପକ୍ଷରେ ନିର୍ବାଚନରେ ଟିକେଟ ମିଳିପାରେ । ସିନ୍ଦେଙ୍କ ଉପସ୍ଥିତିରେ ଗୋବିନ୍ଦା ଖୁବଶୀଘ୍ର ପାର୍ଟିରେ ସାମିଲ ହୋଇପାରନ୍ତି ବୋଲି ଅନୁମାନ କରାଯାଉଛି । ବର୍ତ୍ତମାନ ସାଂସଦ ପଦରେ ରହିଥିବା ଗଜାନନ କୀର୍ତ୍ତିକରଙ୍କ ବୟସକୁ ଦୃଷ୍ଟିରେ ରଖି ଗୋବିନ୍ଦାଙ୍କୁ ପ୍ରାର୍ଥି ଭାବରେ ଚୟନ କରିବାକୁ ଚିନ୍ତା କରୁଛନ୍ତି ମୁଖ୍ୟମନ୍ତ୍ରୀ ସିନ୍ଦେ ।

ପୂର୍ବରୁ ମଧ୍ୟ ଗୋବିନ୍ଦା ୨୦୦୪ ମସିହାରେ ସାଂସଦ ପଦରେ ରହି ସାରିଛନ୍ତି । କଂଗ୍ରେସ ପକ୍ଷରୁ ନିର୍ବାଚନ ଲଢି ମୁମ୍ବାଇର ଉତ୍ତର ଲୋକସଭା ସିଟରୁ ବିଜେପିକୁ ମାତ୍ ଦେଇଥିଲେ ଗୋବିନ୍ଦା । ଭାରତୀୟ ଜନତା ପାର୍ଟିର ବରିଷ୍ଠ ନେତା ରାମ ନାଏକଙ୍କୁ ପରାସ୍ତ କରି ଏହି ଆସନରୁ ସେ ସାଂସଦ ହୋଇଥିଲେ । କିନ୍ତୁ ପରେ କଂଗ୍ରେସରୁ ଇସ୍ତଫା ଦେବା ସହ ରାଜନୀତିରୁ ଦୂରେଇ ଯାଇଥିଲେ । ଏହାସହିତ ରାଜନୀତିକୁ କେବେ ଫେରିବେ ନାହିଁ ବୋଲି ସେ ଘୋଷଣା କରିଥିଲେ । କିନ୍ତୁ ଏବେ ସେହି ପ୍ରତିଜ୍ଞାକୁ ପଛରେ ପକାଇ ପୁଣିଥରେ ରାଜନୀତିକୁ ଫେରିବେ ବୋଲି ଆଲୋଚନା ହେଉଛି ।

Get real time updates directly on you device, subscribe now.