ଇଂଲଣ୍ଡ ଗସ୍ତ କରିବେ ସୂର୍ଯ୍ୟକୁମାର ଯାଦବ ଓ ପୃଥ୍ଵୀ ଶ, ସିନିୟର ଦଳରେ ମିଳିଲା ସୁଯୋଗ

ନୂଆଦିଲ୍ଲୀ : ଅଗଷ୍ଟ ୪ରୁ ଆରମ୍ଭ ହେବାକୁ ଯାଉଛି ଭାରତ ବନାମ ଇଂଲଣ୍ଡ ବହୁ ପ୍ରତିକ୍ଷୀତ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍। ଏହା ପୂର୍ବରୁ ଆହତଜନିତ ସମସ୍ୟା କାରଣରୁ ଭାରତୀୟ ଦଳରୁ ବାହାରିଛନ୍ତି ଓ୍ଵାଶିଂଟନ ସୁନ୍ଦର, ଅଭେଶ ଖାନ ଓ ଶୁବମାନ ଗିଲ। ବିସିସିଆଇ ମଧ୍ୟ ସୋମବାର ଏହାର ଆନୁଷ୍ଠାନିକ ଘୋଷଣା କରି ସାରିଛି। ଚୟନ କମିଟି ବଦଳ ଖେଳାଳି ଭାବେ ପୃଥ୍ଵୀ ଶ ଓ ସୂର୍ଯ୍ୟକୁମାର ଯାଦବଙ୍କୁ ଇଂଲଣ୍ଡ ପଠାଇବାକୁ ନିଷ୍ପତ୍ତି ନେଇଛି। ସୂର୍ଯ୍ୟକୁମାର ଓ ପୃଥ୍ଵୀ ବର୍ତ୍ତମାନ ଶ୍ରୀଲଙ୍କାରେ ଟି-୨୦ ସିରିଜ୍ ଖେଳୁଛନ୍ତି।

ବିସିସିଆଇର ଆନୁଷ୍ଠାନିକ ପ୍ରେସ ବିବୃତ୍ତି ଅନୁଯାୟୀ, ଓ୍ଵାଶିଂଟନ ସୁନ୍ଦର ଫିଟ୍ ନାହାନ୍ତି ଏବଂ ଇଂଲଣ୍ଡ ଗସ୍ତରୁ ବାଦ୍ ପଡିଛନ୍ତି। ସେହି ପରି ଅଭ୍ୟାସ୍ ମ୍ୟାଚରେ ବୋଲର ଅଭେଶ ଖାନ ମଧ୍ୟ ଆହତ ହୋଇଛନ୍ତି। ତାଙ୍କ ଆଙ୍ଗୁଠିରେ ଆଘାତ ଲାଗିଛି ଏବଂ ସେ ଇଂଲଣ୍ଡ ଗସ୍ତରୁ ବାହାରି ଯାଇଛନ୍ତି। ଓପନିଂ ବ୍ୟାଟସମ୍ୟାନ ଶୁବମାନ ଗିଲ ବିଶ୍ଵ ଟେଷ୍ଟ ଚାମ୍ପିଅନଶିପର ଫାଇନାଲ ମୁକାବିଲାରେ ଆହତ ହୋଇଥିଲେ। ସେ ଇଂଲଣ୍ଡ ଗସ୍ତରୁ ବାଦ୍ ପଡି ସ୍ଵଦେଶ ଫେରି ଯାଇଛନ୍ତି। ଅନ୍ୟପଟେ ଋଷଭ ପନ୍ତ କରୋନାରୁ ସୁସ୍ଥ ହୋଇ ଭାରତୀୟ ଦଳରେ ଯୋଗ ଦେଇ ଅଭ୍ୟାସ୍ କଲେଣି।

ବୋଲିଂ କୋଚ୍ ଭରତ ଅରୁଣ, ଋଦ୍ଧିମାନ ଶାହ ଓ ଅଭିମନ୍ୟୁ ଈଶ୍ଵରନଙ୍କ ଆଇସୋଲେସନ ଅବଧି ସମାପ୍ତ ହୋଇ ସାରିଛି। ସେମାନେ ମଧ୍ୟ ଡରହମରେ ଦଳ ସହ ଯୋଗ ଦେଇ ସାରିଲେଣି। ସିନିୟର ଚୟନକର୍ତ୍ତା ବଦଳ ଖେଳାଳି ଭାବେ ସୂର୍ଯ୍ୟକୁମାର ଯାଦବ ଓ ପୃଥ୍ଵୀ ଶଙ୍କୁ ଚୟନ କରିଛନ୍ତି।

ଭାରତୀୟ ଟେଷ୍ଟ ଦଳ

ରୋହିତ ଶର୍ମା, ମୟଙ୍କ ଅଗ୍ରଓ୍ଵାଲ, ଚେତେଶ୍ଵର ପୂଜାରା, ବିରାଟ କୋହଲି(ଅଧିନାୟକ), ଆଜିଙ୍କ୍ୟ ରାହାଣେ, ହନୁମା ବିହାରୀ, ଋଷଭ ପନ୍ତ, ଆର ଅଶ୍ଵିନ, ରବୀନ୍ଦ୍ର ଜାଡେଜା, ଅକ୍ଷର ପଟେଲ୍, ଯଶପ୍ରୀତ ବୁମରା, ଇଶାନ୍ତ ଶର୍ମା, ମହମ୍ମଦ ଶାମି, ମହମ୍ମଦ ସିରାଜ, ଶାର୍ଦ୍ଦୁଳ ଠାକୁର, ଉମେଶ ଯାଦବ, କେଏଲ ରାହୁଲ, ଋଦ୍ଧିମାନ ଶାହା, ଅଭିମନ୍ୟୁ ଈଶ୍ଵରନ, ପୃଥ୍ଵୀ ଶ ଓ ସୂର୍ୟ୍ୟ କୁମାର ଯାଦବ।

ଷ୍ଟାଣ୍ଡବାଇ ଖେଳାଳି- ପ୍ରସିଦ୍ଧ କୃଷ୍ଣା, ଅରଜନ ନଗଓ୍ଵାସଓ୍ଵାଲ