fbpx

T-20ରେ ସୂର୍ଯ୍ୟକୁମାରଙ୍କ କୀର୍ତ୍ତିମାନ: ଏକ ହଜାର ରନ୍ ସଂଗ୍ରହ କରିବାରେ ପ୍ରଥମ ଖେଳାଳି

ନୂଆଦିଲ୍ଲୀ: ଚଳିତ ଟି-୨୦ ବିଶ୍ୱକପରେ ଭାରତ ସେମିଫାଇନାଲକୁ ପ୍ରବେଶ କରିସାରିଛି । ଏହି ଅବସରରେ ପୁଣି ଜଣେ ଭାରତୀୟ ଖେଳାଳି ନିଜ ନାମରେ ରଚିଛନ୍ତି ଏକ ନୂଆ ରେକର୍ଡ । ଟିମ୍ ଇଣ୍ଡିଆର ଷ୍ଟାର ବ୍ୟାଟ୍ସମ୍ୟାନ ସୂର୍ଯ୍ୟକୁମାର ଯାଦବ ପ୍ରଥମ ଖେଳାଳି ଭାବେ ଚଳିତ ବର୍ଷ ଟି-୨୦ରେ ଏକ ହଜାର ରନ୍ ସଂଗ୍ରହ କରିଛନ୍ତି । ଏହି ମାମଲାରେ ସୂର୍ଯ୍ୟ ପାକିସ୍ତାନୀ ଖେଳାଳି ମହମ୍ମଦ ରିଜୱାନଙ୍କୁ ପଛରେ ପକାଇ ଦେଇଛନ୍ତି ।

ଆଜି ଜିମ୍ବାୱେ ବିପକ୍ଷରେ ସୂର୍ଯ୍ୟ ମାତ୍ର ୨୫ଟି ବଲରୁ ୬୧ ରନ୍ ସଂଗ୍ରହ କରିଥିଲେ । ଏଥିରେ ୪ଟି ଛକା ଓ ୬ଟି ଚୌକା ସାମିଲ ଥିଲା । ସୂର୍ଯ୍ୟଙ୍କ ଏହି ଧମାକାଦାର ଇନିଂସ ବଳରେ ଭାରତ ନିର୍ଦ୍ଧାରିତ ଓଭରରେ ୫ ୱିକେଟ ହରାଇ ୧୮୬ ରନର ବିଶାଳ ସ୍କୋର ଛିଡ଼ା କରିବାରେ ସକ୍ଷମ ହୋଇଥିଲା । ଦଳ ୧୩.୩ ଓଭରରେ ୪ ୱିକେଟ ହରାଇ ୧୦୧ ରନ୍ କରିଥିଲା । ଏହି ସମୟରେ କ୍ରିଜକୁ ଆସିଥିଲେ ସୂର୍ଯ୍ୟ ଓ ନିଜର ଭୟଙ୍କର ତେଜ ଦ୍ୱାରା ପ୍ରତିପକ୍ଷ ବୋଲଙ୍କୁ ନିସ୍ତେଜ କରିଦେଇଥିଲେ ।

ଆଜି ସୂର୍ଯ୍ୟ ଟି-୨୦ ବିଶ୍ୱକପ ସିଜିନର ଚତୁର୍ଥ ଦ୍ରୁତତମ ଅର୍ଦ୍ଧଶତକ ହାସଲ କରିଥିଲେ । ଟି-୨୦ ବିଶ୍ୱକପରେ ଦ୍ରୁତତମ ଅର୍ଦ୍ଧଶତକ ରେକର୍ଡ ସିକ୍ସର କିଙ୍ଗ ଯୁବରାଜ ସିଂହଙ୍କ ନାମରେ ରହିଛି । ସେ ୨୦୦୭ ଟି-୨୦ ବିଶ୍ୱକପରେ ଇଂଲଣ୍ଡ ବିପକ୍ଷରେ ମାତ୍ର ୧୨ଟି ବଲରୁ ଅର୍ଦ୍ଧଶତକ ହାସଲ କରିଥିଲେ । ସେହିପରି କେଏଲ ରାହୁଲ ୨୦୧୨ରେ ସ୍କଟଲାଣ୍ଡ ବିପକ୍ଷରେ ୧୮ଟି ବଲରେ, ଯୁବରାଜ ସିଂହ ୨୦୦୭ରେ ଅଷ୍ଟ୍ରେଲିଆ ବିପକ୍ଷରେ ୨୦ଟି ବଲରେ ଅର୍ଦ୍ଧଶତକ ହାସଲ କରିଥିଲେ । ଚଳିତ ବର୍ଷ ଟି-୨୦ ଅନ୍ତର୍ଜାତୀୟ ମ୍ୟାଚରେ ସୂର୍ଯ୍ୟ ୨୮ଟି ମ୍ୟାଚରେ ୧୦୨୬ ରନ୍ ସଂଗ୍ରହ କରିଥିଲେ । ସେହିପରି ରିଜୱାନ ୨୩ଟି ମ୍ୟାଚରୁ ୯୨୪ ରନ ଓ ବିରାଟ କୋହଲି ୧୯ଟି ମ୍ୟାଚରୁ ୭୩୧ ରନ୍ ସଂଗ୍ରହ କରିଥିଲେ ।

Get real time updates directly on you device, subscribe now.