fbpx

ଟି-୨୦ ବିଶ୍ୱକପ: ପାକିସ୍ତାନ ବିପକ୍ଷ ଦ୍ୱିତୀୟ ସେମିଫାଇନାଲ୍‌ ଅଷ୍ଟ୍ରେଲିଆ ପାଇଁ ବଡ ଆହ୍ୱାନ

ଦୁବାଇ: ଚଳିତ ଟି-୨୦ କ୍ରିକେଟ ବିଶ୍ୱକପର ଦ୍ୱିତୀୟ ସେମିଫାଇନାଲ ପାକିସ୍ତାନ ଓ ଅଷ୍ଟ୍ରେଲିଆ ମଧ୍ୟରେ ମୁକାବିଲା ହେବ । ଆସନ୍ତା ୧୧ ତାରିଖ ଦିନ ଏଠାରେ ଅନୁଷ୍ଠିତ ହେବାକୁ ଥିବା ଏହି ମ୍ୟାଚରେ ବିଜୟୀ ହେବା ଅଷ୍ଟ୍ରେଲିଆ ପାଇଁ ବିଶେଷ ଗୁରୁତ୍ୱପୂର୍ଣ୍ଣ । କାରଣ ଅଷ୍ଟ୍ରେଲିଆ ୫୦ ଓଭର ବିଶିଷ୍ଟ ଦିନିକିଆ କ୍ରିକେଟ ବିଶ୍ୱକପରେ ସର୍ବାଧିକ ପାଞ୍ଚଥର ଚାମ୍ପିଅନ ହୋଇଥିବା ବେଳେ ଟି-୨୦ ବିଶ୍ୱକପରେ କେବେ ସଫଳ ହୋଇ ପାରି ନାହିଁ । ତେଣୁ ଚଳିତ ବର୍ଷ ଅଷ୍ଟ୍ରେଲିଆ ପାଇଁ ଟାଇଟଲ ହାସଲ ସୁଯୋଗ ରହିଛି । ତେବେ ପାକିସ୍ତାନକୁ ସେମିଫାଇନାଲରେ ମୁକାବିଲା କରିବା ବଡ ଚାଲେଞ୍ଜ ସୃଷ୍ଟି କରିବ । କାରଣ ପାକିସ୍ତାନ ଏକମାତ୍ର ଦଳ ଭାବେ ଚଳିତ ବିଶ୍ୱକପରେ ଅପରାଜେୟ ରେକର୍ଡ ସହିତ ସୁପର ୧୨ ପର୍ଯ୍ୟାୟର ସମସ୍ତ ମ୍ୟାଚରେ ବିଜୟୀ ହୋଇ ପାରିଛି । ଦଳର ସମସ୍ତ ବ୍ୟାଟ୍ସମ୍ୟାନ ଓ ବୋଲର ଭଲ ଫର୍ମରେ ଅଛନ୍ତି ।

ସୁପର ପର୍ଯ୍ୟାୟର ଭାରତ ଓ ନ୍ୟୁଜିଲାଣ୍ଡ ବିପକ୍ଷ ମ୍ୟାଚ ଜିତିବା ପରେ ପାକିସ୍ତାନ ପାଇଁ ଅବଶିଷ୍ଟ ତିନି ମ୍ୟାଚରେ ଆଫଗାନିସ୍ତାନ ,ସ୍କଟଲାଣ୍ଡ ଓ ନାମ୍ବିଆକୁ ପରାସ୍ତ କରିବା ଅତି ସହଜ ହୋଇ ଯାଇଥିଲା । ଦକ୍ଷିଣ ଆଫ୍ରିକାରେ ଅନୁଷ୍ଠିତ ୨୦୦୭ ପ୍ରଥମ ଟି-୨୦ ବିଶ୍ୱକପ ଫାଇନାଲରେ ଭାରତ ଠାରୁ ହାରିବା ପରେ ପୁଣି ମନୋବଳ ଦଢ଼ କରି ୨୦୦୯ ଦ୍ୱିତୀୟ ଟି-୨୦ ବିଶ୍ୱକପରେ ସଫଳତା ଧାରାକୁ ପ୍ରତ୍ୟାବର୍ତ୍ତନ କରି ଟାଇଟଲ ହାସଲ କଲା । ଚଳିତ ବର୍ଷ ଭାରତୀୟ ଦଳକୁ କ୍ରିକେଟ ବିଶେଷଜ୍ଞ ମାନେ ଟାଇଟଲ ଫେବରାଇଟ ଭାବେ ବିବେଚନା କରୁଥିବା ବେଳେ ସୁର ପର୍ଯ୍ୟାୟର ପ୍ରଥମ ମ୍ୟାଚରେ ପାକିସ୍ତାନ ଦମଦାର ପ୍ରଦର୍ଶନ କରି ଭାରତକୁ ୧୦ ୱିକେଟରେ ପରାସ୍ତ କରି ପରବର୍ତ୍ତୀ ମ୍ୟାଚ ପାଇଁ ମନୋବଳ ଦୃଢ଼ କରି ପାରିଥିଲା । ତେଣୁ ସେମିଫାଇନାଲରେ ଯେ କୌଣସି ଦଳକୁ ପରାସ୍ତ କରିବା ପାଇଁ ପାକିସ୍ତାନ ଦୃଢ଼ ଆଶାୟୀ । ତେଣୁ ଅଷ୍ଟ୍ରେଲିଆକୁ ସେମିଫାଇନାଲରେ ସବୁ ଦିଗ ଉପରେ ଜୋରଦାର ପ୍ରଦର୍ଶନ କରିବାକୁ ପଡିବ ।

ଅଷ୍ଟ୍ରେଲିଆ ସୁପର ପର୍ଯ୍ୟାୟରେ କେବଳ ଇଂଲଣ୍ଡକୁ ବାଦ ଦେଲେ ଅନ୍ୟ ସମସ୍ତ ଦଳକୁ ସହଜରେ ପରାସ୍ତ କରିଥିଲା । ତେବେ ଇଂଲଣ୍ଡ ଓ ଅଷ୍ଟ୍ରେଲିଆ ସୁପର ପର୍ଯ୍ୟାୟରେ ୪ ଲେଖାଏଁ ମ୍ୟାଚରେ ବିଜୟୀ ହୋଇ ସମାନ ପଏଣ୍ଟ ପାଇଥିଲେ ହେଁ ନେଟ ରନ ରେଟରେ ଆଗୁଆ ରହି ଇଂଲଣ୍ଡ ଗ୍ରୁପ୍ ଏ’ରେ ଶୀର୍ଷ ସ୍ଥାନ ଓ ଅଷ୍ଟ୍ରେଲିଆ ଦ୍ୱିତୀୟ ସ୍ଥାନରେ ରହିଥିଲା । ତେବେ ଦକ୍ଷିଣ ଆଫ୍ରିକା ,ୱେଷ୍ଟଇଣ୍ଡିଜ ,ଶ୍ରୀଲଙ୍କା ଓ ବାଂଲାଦେଶକୁ ପରାସ୍ତ କରିବା ଦିଗରେ ଅଷ୍ଟ୍ରେଲିଆ କୌଣସି ତ୍ରୁଟି କରି ନ ଥିଲା । ବହୁ ଦିନଧରି ଫର୍ମ ହରାଇ ଥିବା ଓପନର ଡେଭିଡ ୱାର୍ଣ୍ଣର ଚଳିତ ବିଶ୍ୱକପରେ ପୁଣି ଫର୍ମକୁ ଫେରିବା ଫଳରେ ଅଷ୍ଟ୍ରେଲିଆ ଅଧିକ ଶକ୍ତିଶାଳୀ ହୋଇ ପାରିଛି । ତେବେ ଟାଇଟଲ ହାସଲ ପାଇଁ ଆଶାୟୀ ଥିବା ସେମିଫାଇନାଲରେ ପାକିସ୍ତାନ ଆହ୍ୱାନକୁ କିରି ମୁକାବିଲା କରିବ ତାହା ଅପେକ୍ଷାର ବିଷୟ ।

Get real time updates directly on you device, subscribe now.