fbpx

ଟି-୨୦ କ୍ରିକେଟ୍‌ ବିଶ୍ୱକପ୍‌ ଫାଇନାଲ୍‌: ଅଧିକ ଦର୍ଶକଙ୍କୁ ସୁଯୋଗ ଦେବାକୁ ଅନୁମତି ଲୋଡିଲା ବିସିସିଆଇ ଓ ଇସିବି

ଦୁବାଇ: ଚଳିତ ବର୍ଷର ଟି-୨୦ କ୍ରିକେଟ ବିଶ୍ୱକପ ଓମାନ ଓ ୟୁନାଇଟେଡ ଆରବ ଏମିରେଟ୍ସରେ ଅନୁଷ୍ଠିତ ହେବ । ଅକ୍ଟୋବର ୧୭ରୁ ଆରମ୍ଭ ହୋଇ ନଭେମ୍ବର ୧୪ ତାରିଖ ଦିନ ସମାପ୍ତ ହେବ ବିଶ୍ୱକପ । ତେବେ କରୋନା ଆତଙ୍କ ଜାରି ରହିଥିବା ବେଳେ ସ୍ୱଳ୍ପ ସଂଖ୍ୟକ ଦର୍ଶକଙ୍କୁ ଷ୍ଟାଡିୟମରେ ବିଶ୍ୱକପ ମ୍ୟାଚ ଉପଭୋଗ ପାଇଁ ସୁଯୋଗ ଦେବା ସକାଶେ ୟୁନାଇଟେଡ ଆରବ ଏମିରେଟ୍ସ ସରକାର ବିଚାର ବିମର୍ଷ କରୁଛନ୍ତି । ତେବେ ଫାଇନାଲ ମ୍ୟାଚ ପାଇଁ ୨୫ ହଜାର ଦର୍ଶକଙ୍କୁ ସୁଯୋଗ ଦେବା ପାଇଁ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ) ଓ ଏମିରେଟ୍ସ କ୍ରିକେଟ ବୋର୍ଡ ୟୁନାଇଟେଡ ଆରବ ଏମିରେଟ୍ସ କର୍ତ୍ତୃପକ୍ଷଙ୍କ ଅନୁମତି ଲୋଡିଛନ୍ତି ।

ସୂଚନା ଯୋଗ୍ୟ ଯେ କରୋନା ପରିସ୍ଥିତି ସତ୍ତେ୍ୱ ସ୍ୱଳ୍ପ ସଂଖ୍ୟକ ଦର୍ଶକଙ୍କୁ ଚଳିତ ଆଇପିଏଲ ମ୍ୟାଚ ଉପଭୋଗ ସୁଯୋଗ ମିଳିଛି । ଏଥିପାଇଁ କରୋନା ପ୍ରୋଟୋକଲ ଗାଇଡ ଲାଇନ ଧାର୍ଯ୍ୟ କରା ଯାଇଥିବା ବେଳେ ଏହାକୁ କାର୍ଯ୍ୟକାରୀ କରିବା ଦିଗରେ ବିସିସିଆଇ ଏମିରେଟ୍ସ କ୍ରିକେଟ ବୋର୍ଡ ସମସ୍ତ ପ୍ରକାର ପଦକ୍ଷେପ ଗ୍ରହଣ କରୁଛନ୍ତି । ସେହିପରି ବିଶ୍ୱକପରେ କରୋନା ଗାଇଡ ଲାଇନକୁ ପାଳନ କରି ଷ୍ଟାଡିୟମରେ ଦର୍ଶକଙ୍କୁ ସୁଯୋଗ ଦେବା ପାଇଁ ବିସିସିଆଇ ଓ ଏମିରେଟ୍ସ କ୍ରିକେଟ ବୋର୍ଡ ଅନୁରୋଧ କରିଛନ୍ତି ।

ସୂଚନା ଯୋଗ୍ୟ ଯେ, ଦୁବାଇ ଷ୍ଟାଡିୟମରେ ଆଇପିଏଲ ମ୍ୟାଚ ଉପଭୋଗ ପାଇଁ ୪୮ ଘଣ୍ଟା ପୂର୍ବରୁ କରୋନା ପିସିଆର ଟେଷ୍ଟ କରିବା ଉପରେ ସମ୍ପୂର୍ଣ୍ଣ କୋହଳ କରାଯାଇଛି । କେବଳ ଡବଲ ଡୋଜ କରୋନା ଟିକା ନେବା ବାଧ୍ୟତା ମୂଳକ କରାଯାଇଛି । ତେଣୁ ନଭେମ୍ବର ୧୪ ତାରିଖ ଦିନ ଦୁବାଇରେ ଅନୁଷ୍ଠିତ ହେବାକୁ ଥିବା ଟି- ୨୦ ବିଶ୍ୱକପ ଫାଇନାଲ ମ୍ୟାଚ ଉପଭୋଗ ପାଇଁ ଷ୍ଟାଡିୟମରେ ଅଧିକ ସଂଖ୍ୟକ ଦର୍ଶକଙ୍କୁ ଅନୁମତଦେବା ପାଇଁ ବିସିସିଆଇ ଓ ଏମିରେଟ୍ସ କ୍ରିକେଟ ବୋର୍ଡ ଅନୁମତି ଲୋଡିଛନ୍ତି ।

ସୂଚନା ଯୋଗ୍ୟ ଯେ ଆବୁଧାବି ଓ ଶାରଜାରେ ଅନୁଷ୍ଠିତ ହେଉଥିବା ଆଇପିଏଲ ମ୍ୟାଚ ଉପଭୋଗ ପାଇଁ ଦୁବାଇ ଅପେକ୍ଷା ଭିନ୍ନ କୋଭିଡ ନିୟମ ଲାଗୁ କରା ଯାଇଛି । ଆଗାମୀ ଟି-୨୦ ବିଶ୍ୱକପର ଯୋଗ୍ୟତା ପର୍ଯ୍ୟାୟ ପ୍ରତିଯୋଗିତା ଅକ୍ଟୋବର ୧୭ରୁ ଓମାନରେ ଆରମ୍ଭ ହେବ । ଏଥିରେ ଆଠ ଦଳ ଅଂଶ ଗ୍ରହଣ କରିବେ । ଏହି ପର୍ଯ୍ୟାୟର ପ୍ରଥମ ମ୍ୟାଚରେ ଆୟୋଜକ ଓମାନ ଓ ପପୁଆ ନ୍ୟୁଗୁଏନା ପରସ୍ପରକୁ ଭେଟୁଥିବା ବେଳେ ଉକ୍ତ ଦିନ ସଂଧ୍ୟାରେ ଅନୁଷ୍ଠିତ ହେବାକୁ ଥିବା ଅନ୍ୟଏକ ମ୍ୟାଚରେ ବାଂଲାଦେଶ ଓ ସ୍କଟଲାଣ୍ଡ ମଧ୍ୟରେ ମୁକାବିଲା ହେବ । ଯୋଗ୍ୟତା ପର୍ଯ୍ୟାୟ ମୁକାବିଲା ପରେ ଆରମ୍ଭ ହେବ ମୁଖ୍ୟ ପ୍ରତିଦ୍ୱନ୍ଦ୍ୱିତା । ନଭେମ୍ବର ୧୪ରେ ଫାଇନାଲ ମ୍ୟାଚ ଅନୁଷ୍ଠିତ ହେବା ପାଇଁ ଥିବା ବେଳେ କୌଣସି ସମସ୍ୟା ହେଲେ ତା ପରଦିନ ରିଜର୍ଭ ଡେ’ରେ ଏହା ପୁଣି ଆୟୋଜିତ ହେବ ।

Get real time updates directly on you device, subscribe now.