fbpx

ଗ୍ରାହକ କଲବଲ ହୋଇ ମରିବେ: ପେଟ୍ରୋଲ, ଡିଜେଲ, ରୋଷେଇ ଗ୍ୟାସ, ସିଏନଜି, କ୍ଷୀର, ଲେମ୍ବୁ ପରେ ଏବେ ମହଙ୍ଗା ହେଲା ଟମାଟୋ

ନୂଆଦିଲ୍ଲୀ: ମହଙ୍ଗା ମାଡ଼ ଜନସାଧାରଣଙ୍କୁ କଲବଲ କରି ମାରୁଛି । ପୂର୍ବରୁ ପେଟ୍ରୋଲ, ଡିଜେଲ, ରୋଷେଇ ଗ୍ୟାସ, ସିଏନଜି, ଲେମ୍ବୁ, କ୍ଷୀରର ଦାମ୍ ବୃଦ୍ଧି ପାଇଥିଲା । ଏବେ ଟମାଟୋ ଦର ପୁଣି ଥରେ ବୋଝ ଉପରେ ନଳିତା ବିଡ଼ା ସଦୃଶ ହୋଇଛି । ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀର ଦର ବଢ଼ିବା ଗ୍ରାହକଙ୍କ ପାଇଁ ନିହାତିପକ୍ଷେ ଚିନ୍ତାଜନକ । ଅଳ୍ପ ରୋଜଗାରରେ କ’ଣ ଖାଇବେ ତାହାକୁ ନେଇ ଜନସାଧାରଣଙ୍କ ମହଲରେ ଏବେ ଭାଳେଣି ପଡ଼ିଲାଣି ।

ଜଣାପଡ଼ିଛି ଯେ, ୩ ଦିନ ମଧ୍ୟରେ ଟମାଟୋର ଦର ୩ ଗୁଣ ବୃଦ୍ଧି ପାଇଛି । ୩ ଦିନ ମଧ୍ୟରେ ଟମାଟୋ କିଲୋ ୨୫ ଟଙ୍କା ଥିବାବେଳେ ଏବେ ତାହା ବୃଦ୍ଧି ପାଇଁ ୮୦-୯୦ ଟଙ୍କାରେ ବିକ୍ରି ହେଉଛି । ରାଜଧାନୀ ଭୁବନେଶ୍ୱରରେ ଟମାଟୋ କିଲୋ ୯୦ ଟଙ୍କାରେ ପହଞ୍ଚିବା ପରେ ଲୋକମାନେ ଏହାର ବ୍ୟବହାର ଆବଶ୍ୟକତା ଅନୁଯାୟୀ କରୁଛନ୍ତି । ଟମାଟୋର ପାଇକାରୀ ଦର ୫୦ ଟଙ୍କା ରହିଥିବା ବେଳେ ଖୁଚୁରା ବ୍ୟବସାୟୀମାନେ ତାହାକୁ ୨୦-୩୦ ଟଙ୍କା ବ୍ୟବଧାନ ରଖି ବିକ୍ରି କରୁଛନ୍ତି ।

ତେବେ ଯଦି ଏଭଳି ପରିସ୍ଥିତି ଜାରି ରୁହେ, ଆସନ୍ତା ଦିନେ ଦୁଇ ଦିନରେ ଟମାଟୋ କିଲୋ ୧୦୦ ପାର କରିଯିବ ବୋଲି କିଛି ପରିବା ବ୍ୟବସାୟୀ କହିଛନ୍ତି । ତେବେ ଏନେଇ ୧ନଂ ହାଟର ବ୍ୟବସାୟୀ ସଂଘର ସଭାପତି କହିଛନ୍ତି ଯେ, ରାଜଧାନୀବାସୀଙ୍କ ପାଇଁ ଦୈନିକ ୨୦ ଟ୍ରକ ଟମାଟୋ ଆବଶ୍ୟକ । ମାତ୍ର ରାଜ୍ୟକୁ ୪ଟି ଟ୍ରକ ଆସୁଥିବାରୁ ଏଭଳି ସ୍ଥିତି ଉପୁଜିଛି । ରାଜ୍ୟରେ ଟମାଟୋର ଉତ୍ପାଦନ ହ୍ରାସ ପାଉଥିବା ବେଳେ ନିଜର ଚାହିଦା ମେଣ୍ଟାଇବାକୁ ଏହା ଛତିଶଗଡ଼, ମହାରାଷ୍ଟ୍ର, କର୍ଣ୍ଣାଟକ ପରି ରାଜ୍ୟ ଉପରେ ନିର୍ଭର କରିଥାଏ । ଏହି ସମସ୍ୟା ଦୂର ହେବା ପାଇଁ ଆଉ କିଛି ସପ୍ତାହ ସମୟ ଲାଗିପାରେ ।

Get real time updates directly on you device, subscribe now.