fbpx

ଭାବପ୍ରବଣ ହୋଇ ମୋଦୀଙ୍କୁ କୁଣ୍ଢାଇ ପକାଇଲେ ତାମିଲନାଡୁର ମାଛଜାଲ ତିଆରି କରୁଥିବା ବ୍ୟକ୍ତି, ଦେଖନ୍ତୁ Video

Advertisement

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ବିଶ୍ୱକର୍ମା ଜୟନ୍ତୀ ଅବସରରେ ପାରମ୍ପରିକ କାରିଗରମାନଙ୍କ ପାଇଁ ‘ପିଏମ୍ ବିଶ୍ୱକର୍ମା ଯୋଜନା’ର ଶୁଭାରମ୍ଭ କରିଛନ୍ତି । ପ୍ରଧାନମନ୍ତ୍ରୀ ବିଶ୍ୱକର୍ମା ଲୋଗୋ, ଟ୍ୟାଗ୍ ଲାଇନ୍ ଏବଂ ପୋର୍ଟାଲକୁ ଉନ୍ମୋଚନ କରିଥିଲେ । ଏହି ଅବସରରେ ସେ ଏକ ସ୍ୱତନ୍ତ୍ର ଡାକ ଟିକେଟ, ଟୁଲ୍ କିଟ୍ ଇ-ପୁସ୍ତିକା ଏବଂ ଭିଡିଓ ଉନ୍ମୋଚନ କରିଥିଲେ। ଏହି ଅବସରରେ ଭାବପ୍ରବଣ ହୋଇପଡିଥିଲେ ତାମିଲନାଡୁର ମାଛଜାଲ ତିଆରି କରୁଥିବା କେ ପଲାନିଭେଲ । ବିଶ୍ୱକର୍ମା ଯୋଜନା କାର୍ଯ୍ୟକ୍ରମରେ କୁଶଳୀ କାରିଗର ପିଏମ ମୋଦୀଙ୍କୁ ଆଲିଙ୍ଗନ କରିଥିଲେ । ଏହାର ଭିଡିଓ ସମସ୍ତଙ୍କ ହୃଦୟକୁ ଛୁଇଁ ଯାଇଛି ।

ତେବେ ପ୍ରଧାନମନ୍ତ୍ରୀ ୧୮ ଜଣ ହିତାଧିକାରୀଙ୍କୁ ବିଶ୍ୱକର୍ମା ପ୍ରମାଣପତ୍ର ବଣ୍ଟନ କରିଥିଲେ। ସମାବେଶକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ସମସ୍ତଙ୍କୁ ବିଶ୍ୱକର୍ମା ଜୟନ୍ତୀ ଅବସରରେ ଶୁଭେଚ୍ଛା ଜଣାଇବା ସହ ଏହାକୁ ପାରମ୍ପରିକ କାରିଗର ଓ ଶିଳ୍ପୀ ମାନଙ୍କୁ ସମର୍ପିତ କରିଥିଲେ। ଲକ୍ଷ ଲକ୍ଷ କାରିଗର ଏବଂ ସେମାନଙ୍କ ପରିବାର ପାଇଁ ପ୍ରଧାନମନ୍ତ୍ରୀ ବିଶ୍ୱକର୍ମା ଯୋଜନା ଆଶାର କିରଣ ରୂପେ ଆସିଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ପ୍ରଧାନମନ୍ତ୍ରୀ ଦେଶର ଦୈନନ୍ଦିନ ଜୀବନରେ ବିଶ୍ୱକର୍ମାଙ୍କ ଅବଦାନ ଏବଂ ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ । ବୈଷୟିକ ଜ୍ଞାନକୌଶଳରେ ଯେତେ ଉନ୍ନତି ହେଉ ନା କାହିଁକି ବିଶ୍ୱକର୍ମାମାନେ ସମାଜରେ ସର୍ବଦା ଗୁରୁତ୍ୱପୂର୍ଣ୍ଣ ହୋଇ ରହିବେ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ବିଶ୍ୱକର୍ମାଙ୍କୁ ସ୍ୱୀକୃତି ଓ ସମର୍ଥନ ମିଳିବା ସମୟର ଆବଶ୍ୟକତା ବୋଲି ସେ କହିଥିଲେ।

ପିଏମ ମୋଦୀ କହିଥିଲେ, “ସରକାର ବିଶ୍ୱକର୍ମାଙ୍କ ସମ୍ମାନ ବୃଦ୍ଧି, ସାମର୍ଥ୍ୟ ବୃଦ୍ଧି ଏବଂ ସମୃଦ୍ଧି ବୃଦ୍ଧି ପାଇଁ ଏକ ସହଯୋଗୀ ଭାବରେ ଆଗେଇ ଆସିଛନ୍ତି। ଶିଳ୍ପୀ ଓ କାରିଗରମାନଙ୍କର ୧୮ଟି କୌଳିକ ବୃତ୍ତି ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ ସୂଚନା ଦେଇଥିଲେ ଯେ ପ୍ରଧାନମନ୍ତ୍ରୀ ବିଶ୍ୱକର୍ମା ଯୋଜନାରେ ବଢ଼େଇ, କମାର, ବଣିଆ, ମୂର୍ତ୍ତିଶିଳ୍ପୀ, କୁମ୍ଭାର, ମୋଚି, ଦରଜି, ରାଜମିସ୍ତ୍ରୀ, ଭଣ୍ଡାରୀ, ରଜକ ପ୍ରମୁଖକୁ ଅନ୍ତର୍ଭୁକ୍ତ କରାଯାଇଛି ଏବଂ ଏହି ଯୋଜନା ପାଇଁ ୧୩,୦୦୦ କୋଟି ଟଙ୍କା ଖର୍ଚ୍ଚ ହେବ। ଦକ୍ଷ କାରିଗର ଏବଂ ବୃତ୍ତିକୁ ପ୍ରଶିକ୍ଷଣ ଦେବା ଲାଗି ନିଆଯାଇଥିବା ପଦକ୍ଷେପ ବିଷୟରେ ବର୍ଣ୍ଣନା କରି ପ୍ରଧାନମନ୍ତ୍ରୀ କହିଥିଲେ, “ଏହି ପରିବର୍ତ୍ତିତ ସମୟରେ ବିଶ୍ୱକର୍ମା ବନ୍ଧୁମାନଙ୍କ ପାଇଁ ପ୍ରଶିକ୍ଷଣ, ପ୍ରଯୁକ୍ତି ବିଦ୍ୟା ଏବଂ ଉପକରଣ ଗୁରୁତ୍ୱପୂର୍ଣ୍ଣ।”। ପ୍ରଶିକ୍ଷଣ ସମୟରେ ବିଶ୍ୱକର୍ମା ବନ୍ଧୁମାନଙ୍କୁ ଦୈନିକ ୫୦୦ ଟଙ୍କା ଭତ୍ତା ପ୍ରଦାନ କରାଯିବ ବୋଲି ସେ ସୂଚନା ଦେଇଥିଲେ । ଆଧୁନିକ ଟୁଲକିଟ୍ ପାଇଁ ୧୫ ହଜାର ଟଙ୍କାର ଟୁଲକିଟ୍ ଭାଉଚର ଦିଆଯିବ ଏବଂ ଉତ୍ପାଦର ବ୍ରାଣ୍ଡିଂ, ପ୍ୟାକେଜିଂ ଓ ମାର୍କେଟିଂରେ ସରକାର ସାହାଯ୍ୟ କରିବେ ବୋଲି ସେ କହିଥିଲେ। କେବଳ ଜିଏସଟି ପଞ୍ଜିକୃତ ଦୋକାନରୁ ଟୁଲକିଟ୍ କିଣାଯିବା ସହ ଏହି ଉପକରଣଗୁଡ଼ିକ ମେଡ୍ ଇନ୍ ଇଣ୍ଡିଆ ହେବା ଦରକାର ବୋଲି ସେ କହିଛନ୍ତି। ବିଶ୍ୱକର୍ମାମାନଙ୍କ ପାଇଁ ବିନା ବନ୍ଧକରେ ଋଣ ସୁବିଧା ଯୋଗାଇ ଦେବା ସମ୍ପର୍କରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଯେତେବେଳେ ଋଣ ପାଇଁ ବନ୍ଧକ ମଗାଯାଏ, ସେହି ଗ୍ୟାରେଣ୍ଟି ମୋଦୀ ଦେଇଥାନ୍ତି । ବିଶ୍ୱକର୍ମା ସାଥୀମାନେ ଅତି କମ୍ ସୁଧରେ କୌଣସି ବନ୍ଧକ ନରଖି ୩ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ପାଇ ପାରିବେ ବୋଲି ସେ ସୂଚନା ଦେଇଥିଲେ ।

Get real time updates directly on you device, subscribe now.