fbpx

ବ୍ରହ୍ମପୁର ପରେ ଭୁବନେଶ୍ୱର: ଘରେ ପ୍ରବେଶ କଲେ ଆଉ ଜଣେ ତପସ୍ୱିନୀ, ଶ୍ୱଶୁର ଘର ପୁରୁଷ ଶୂନ୍ୟ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବ୍ରହ୍ମପୁରର ବହୁଚର୍ଚ୍ଚିତ ସୁମିତ ସାହୁ ଓ ତପସ୍ୱିନୀ ଦାଶଙ୍କ ପାରିବାରିକ ବିବାଦର ପୁନରାବୃତ୍ତି ଘଟିଛି ରାଜଧାନୀ ଭୁବନେଶ୍ୱରରେ । ତପସ୍ୱିନୀ ତାଙ୍କ ସ୍ୱାମୀଙ୍କ ଘରେ ପ୍ରବେଶ କରିବା ପରେ ତାଙ୍କର ଶ୍ୱଶୁର ଘର ପୁରୁଷ ଶୂନ୍ୟ ହୋଇଯାଇଥିଲା । ଅନୁରୂପ ଭାବେ ଏକ ଘଟଣା ଦେଖିବାକୁ ମିଳିଛି ଧଉଳି ଥାନା ବସନ୍ତପୁର ଗ୍ରାମରେ । ସ୍ୱାମୀଙ୍କଠାରୁ ଛାଡ଼ପତ୍ର ନେଇ ସାରିଥିବା ଜଣେ ମହିଳା କିଛି ଆଇନଜୀବୀ ଓ ମହିଳା ସଂଘଙ୍କ ସହାୟତାରେ ଶ୍ୱଶୁର ପ୍ରବେଶ କରିଛନ୍ତି । ଏହାପରେ ଉକ୍ତ ମହିଳାଙ୍କ ସ୍ୱାମୀଙ୍କ ସହ ପରିବାର ଲୋକେ ଘର ଛାଡ଼ି ଫେରାର ହୋଇଯାଇଛନ୍ତି ।

ଜଣାପଡ଼ିଛି ଯେ, ବସନ୍ତପୁର ଗ୍ରାମର ସନ୍ତୋଷ କୁମାର ମୁଦୁଲି ବାଲିଅନ୍ତା ଥାନା ବେଣୁପୁର ଗ୍ରାମର ସ୍ୱର୍ଣ୍ଣଲତା ପରିଡ଼ାଙ୍କୁ ଗତ ୨୦୧୯ରେ ବିବାହ କରିଥିଲେ । ପରବର୍ତ୍ତୀ ସମୟରେ ଦୁହିଁଙ୍କ ମଧ୍ୟରେ ବିବାଦ ଦେଖାଦେବା ସହ ସନ୍ତୋଷ ପତ୍ନୀଙ୍କୁ ଛାଡ଼ପତ୍ର ନେଇ ବାଧ୍ୟ କରିଥିଲେ । ଛାଡ଼ପତ୍ର ନଦେଲେ ଆତ୍ମହତ୍ୟା କରିଦେବେ ବୋଲି ସନ୍ତୋଷ ସ୍ୱର୍ଣ୍ଣଲତାଙ୍କୁ ଧମକ ଦେଇଥିଲେ । ତେବେ ଶେଷରେ ବାଧ୍ୟହୋଇ ସ୍ୱର୍ଣ୍ଣଲତା ଛାଡ଼ପତ୍ର ପାଇଁ ରାଜି ହୋଇଯାଇଥିଲେ ହେଁ ସନ୍ତୋଷ କୌଣସି ଯୌତୁକ ସାମଗ୍ରୀ ଫେରସ୍ତ କରିନଥିଲେ କି ଭରଣପୋଷଣ ଖର୍ଚ୍ଚ ପ୍ରଦାନ କରିନଥିଲେ ।

ତେବେ ଛାଡ଼ପତ୍ର ହେବା ପରେ ସନ୍ତୋଷ ସ୍ୱର୍ଣ୍ଣଲତାଙ୍କୁ ଘରୁ ବାହାର କରିଦେବା ପରେ ପତ୍ନୀ ସ୍ୱାମୀଙ୍କ ଅସଲ ଚାଲ୍ ବୁଝି ପାରିଥିଲେ । ଏହାପରେ ଛାଡ଼ପତ୍ରକୁ ଖାରଜ ନେଇ ସ୍ୱର୍ଣ୍ଣଲତା ହାଇକୋର୍ଟଙ୍କ ଦ୍ୱାରସ୍ଥ ହେବା ସହ ଧଉଳି ଥାନାରେ ଅଭିଯୋଗ କରିଥିଲେ । ତେବେ ମାମଲାଟି ଏବେ ଉଚ୍ଚନ୍ୟାୟାଳୟରେ ବିଚାରାଧୀନ ରହିଥିବା ବେଳେ ସ୍ୱର୍ଣ୍ଣଲତା ପୂର୍ବତନ ସରପଞ୍ଚ, ଆଇନଜୀବୀ ଓ ମହିଳା ମହାସଂଘଙ୍କ ସହାୟତାରେ ନିଜ ଶ୍ୱଶୁର ଘରେ ପ୍ରବେଶ କରିଥିଲେ । ଏହି ଘଟଣା ପରେ ସନ୍ତୋଷ ଓ ତାଙ୍କ ପରିବାର ବର୍ଗ ଘର ଛାଡ଼ି ଫେରାର ହୋଇଯାଇଥିବା ଜଣାପଡ଼ିଛି । ତେବେ ବ୍ରହ୍ମପୁରର ତପସ୍ୱିନୀଙ୍କ ଘଟଣା ଭୁବନେଶ୍ୱରରେ ପୁନରାବୃତ୍ତି ହେଲା ବୋଲି ଚାରିଆଡ଼େ ଚର୍ଚ୍ଚା ଚାଲିଛି ।

Get real time updates directly on you device, subscribe now.