fbpx
BJD SKY
BJD SKY

ବିରୋଧୀଙ୍କୁ ଟାର୍ଗେଟ କରିଲେ ରାଜନାଥ ସିଂହ, କହିଲେ ବିଜେପି ସବୁବେଳେ ତା ପ୍ରତିଶ୍ରୁତି ରକ୍ଷା କରିଛି, ଏଥର ଓଡ଼ିଶାକୁ ଦରକାର ଡବଲ ଇଞ୍ଜିନ ସରକାର

BJD

ଭୁବନେଶ୍ୱର: ଓଡ଼ିଶା ସହ ମୋର ଭାବନାତ୍ମକ ସଂପର୍କ ରହିଛି । ଭାରତ ସୁରକ୍ଷା ଯାତ୍ରା ଓଡ଼ିଶାରୁ ଆରମ୍ଭ କରିଥିଲୁ। ସେତେବେଳେ ଆତଙ୍କବାଦ, ନକ୍ସଲବାଦ ଓ ଆତଙ୍କ ସବୁବେଳେ ଲାଗି ରହିଥିଲା । ଆଜି ଆତଙ୍କବାଦ କେଉଁଠି ରହିଛି, ଆପଣମାନେ ଜାଣିଛନ୍ତି । ପୁଲୱାମା ଘଟଣା ପରେ ମୁହଁତୋଡ଼ ଜବାବ ଦିଆଯାଇଛି । ଏବେ ନକ୍ସଲବାଦ କେବଳ କିଛି ଜିଲ୍ଲାରେ ସୀମିତ ରହିଛି । ଓଡ଼ିଶାରେ ବି ଡବଲ ଇଂଜିନ ସରକାର ଦରକାର ବୋଲି ନବରଙ୍ଗପୁର ସଭାରେ ନିଜ ବକ୍ତବ୍ୟରେ କହିଛନ୍ତି କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ।

ବାୟୁସେନା ସ୍ୱତନ୍ତ୍ର ବିମାନରେ ନବରଙ୍ଗପୁରରେ ପହଂଚିବା ପରେ ସେଠାରେ ଦଳୀୟ ନେତା ରାଜନାଥ ସିଂହଙ୍କୁ ସ୍ୱାଗତ କରିଥିଲେ। ପରେ ବିଜେପିର କୋର କମିଟି ବୈଠକରେ ଯୋଗ ଦେଇ ସ୍ଥାନୀୟ ଅଂଚଳରେ ଆୟୋଜିତ ଜନସଭାରେ କର୍ମୀଙ୍କୁ ୨୦୨୪ ନିର୍ବାଚନ ପାଇଁ ଗୁରୁମନ୍ତ୍ର ଦେଇଥିଲେ । ଏହି ସଭାରେ କଂଗ୍ରେସକୁ କଡ଼ା ସମାଲୋଚନା କରିବା ସହ ମୋଦି ସରକାରଙ୍କ ସଫଳତା କଥା ବଖାଣିଥିଲେ । ବିଜେପି ଗତ ନିର୍ବାଚନରେ ଯାହା ପ୍ରତିଶ୍ରୁତି ଦେଇଥିଲା ତାହା ପୂରଣ କରିଛି । କଂଗ୍ରେସ କେବଳ ଧୋକା ଦେବା ଜାଣିଛି ବୋଲି ରାଜନାଥ କହିଥିଲେ । ସେ ଆହୁରି ମଧ୍ୟ କହିଛନ୍ତି ଯେ ମୋଦି ପ୍ରଧାନମନ୍ତ୍ରୀ ହେବା ପରେ ସାରା ଦେଶର ଚିତ୍ର ବଦଳିଛି । ଏଠାରେ ବି ଡବଲ ଇଂଜିନ ସରକାର ହେବା ଦରକାର । ମୋଦିଙ୍କ ସନ୍ଦେଶ ନେଇ ପ୍ରତି କାର୍ଯ୍ୟକର୍ତ୍ତା ଲାଭାର୍ଥୀଙ୍କ ପାଖକୁ ଯାଆନ୍ତୁ । ସବୁ ଲାଭାର୍ଥୀଙ୍କୁ ମୋଦି ଦେଉଥିବା ସୁବିଧା ମିଳିବା ଦରକାର । ବିଜେପି ଏକମାତ୍ର ପାର୍ଟି ଯିଏକି ଯାହା କହେ, ସେୟା କରେ ବୋଲି ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି । ନବରଙ୍ଗପୁର ସଭାରେ ରାଜନାଥ ସିଂ ତାଙ୍କ ବକ୍ତବ୍ୟ ରଖି ଜାମ୍ମୁ କାଶ୍ମୀର ପ୍ରସଙ୍ଗ ମଧ୍ୟ ଉଠାଇଥିଲେ । ସେ କହିଥିଲେ ବିଶ୍ୱସନୀୟତା ସଂକଟକୁ ଚ୍ୟାଲେଞ୍ଜ ଭାବେ ନେଇଛନ୍ତି ପ୍ରଧାନମନ୍ତ୍ରୀ । ଯାହା ଘୋଷଣା ପତ୍ରରେ କହିଥିଲୁ, ସବୁ ପୂରଣ କରିଛୁ । ପୂର୍ବରୁ କହିଥିଲୁ ୩୭୦ ଧାରା ଉଠାଇବୁ, ଜାମ୍ମୁ କାଶ୍ମୀରରୁ ୩୭୦ ଉଠାଇଲୁ । ତିନ୍‌ ତଲାକ୍‌ ଉଠାଇବୁ କହିଥିଲୁ, ଆମେ ଆମ କଥା ରକ୍ଷା କଲୁ । ଆମେ ରାଜନୀତି କରୁଛୁ, କେବଳ ଦେଶ ଗଠନ ପାଇଁ । ଗତ ୧୦ ବର୍ଷରେ ମୋଦି ସରକାର ୩୦ ହଜାର କିମି ରାସ୍ତା କରିଛନ୍ତି । ଆୟୁଷ୍ମାନ ଭାରତ ଯୋଜନାରେ ଗରିବଙ୍କୁ ସ୍ୱାସ୍ଥ୍ୟ ସୁବିଧା ମିଳୁଛି । ଓଡ଼ିଶା ସହ ଆମ ସରକାର ଭେଦଭାବ କରିନି । ଏଠାରେ ମେଡିକାଲ କଲେଜ, ଇଂଜିନିୟରିଂ କଲେଜ ବଢ଼ିଛି । ଜନତାଙ୍କ ସେବା କରିବା ଆମ ପ୍ରଧାନମନ୍ତ୍ରୀଙ୍କ ଏକମାତ୍ର ଉଦ୍ଦେଶ୍ୟ ବୋଲି ରାଜନାଥ ସିଂହ କହିଥିଲେ ।

 

Get real time updates directly on you device, subscribe now.