fbpx

ଏକତରଫା ସିରିଜି ଜିତିଲା ଟିମ୍ ଇଣ୍ଡିଆ: ଶେଷ ମ୍ୟାଚରେ ୬ ରନରେ ଅଷ୍ଟ୍ରେଲିଆ ପରାସ୍ତ

ବେଙ୍ଗାଲୁରୁ: ଏକତରଫା ସିରିଜି ଜିତିଲା ଟିମ୍ ଇଣ୍ଡିଆ। ଆଜି ବେଙ୍ଗଲୁରୁର ଏମ୍‌ ଚିନ୍ନାସ୍ୱାମୀ ଷ୍ଟାଡ଼ିୟମ ଠାରେ ଖେଳାଯାଉଥିବା ଭାରତ-ଅଷ୍ଟ୍ରେଲିଆ ଶେଷ ମ୍ୟାଚରେ ଟିମ୍ ଇଣ୍ଡିଆର ବିଜୟ। ଭାରତ ଠାରୁ ୬ ରନରେ ପରାସ୍ତ ହୋଇଛି ଅଷ୍ଟ୍ରେଲିଆ ଦଳ। ଟିମ୍ ଇଣ୍ଡିଆ ପକ୍ଷରୁ ମିଳିଥିବା ୧୬୧ ରନ୍‌ର ବିଜୟ ଲକ୍ଷ୍ୟକୁ କଙ୍ଗାରୁ ଦଳ ୨୦ ଓଭର ଯାଏଁ ଖେଳି ମାତ୍ର ୧୫୪ ରନ୍‌ ସଂଗ୍ରହ କରିପାରିଛି। ଯେଉଁଥିରେ ଦଳ ମୂଲ୍ୟବାନ ୮ ଗୋଟି ୱିକେଟ୍‌ ହରାଇ ଶେଷରେ ପରାଜୟ ସାମ୍ନା କରିଛି।

ସୂଚନା ଥାଉକି, ଆଜି ଟସ୍‌ ଜିଣି କଙ୍ଗାରୁ ଦଳ ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା। ଭାରତ ନିର୍ଦ୍ଧାରିତ ୨୦ ଓଭରରେ ୮ଟି ୱିକେଟ୍‌ ହରାଇ ୧୬୦ ରନ୍‌ ସଂଗ୍ରହ କରିଥିଲା। ଭାରତ ପକ୍ଷରୁ ପ୍ରଥମେ ଯଶସ୍ଵୀ ଜୟସ୍ୱାଲ ଓ ଋତୁରାଜ ଗାଏକ୍ଵାଡ ଓପନିଂ ବ୍ୟାଟିଂ କରିଥିଲେ। ଯଶସ୍ଵୀ ୧୫ଟି ବଲ୍‌ ଖେଳି ଗୋଟିଏ ଚୌକା ଓ ୨ଟି ଛକା ବଳରେ ୨୧ ରନ୍‌ ସଂଗ୍ରହ କରି କଙ୍ଗାରୁ ଦଳର ପ୍ରଥମ ଶିକାର ହୋଇଥିଲେ। ଏହା ପରେ ତାଙ୍କ ସ୍ଥାନ ପୂରଣ କରିବାକୁ ଶ୍ରେୟସ ଆୟର କ୍ରିଜ୍‌କୁ ଆସିଥିଲେ। ସେ ୩୭ଟି ବଲ୍‌ ଖେଳି ୫ଟି ଚୌକା ଓ ୨ଟି ଛକା ବଳରେ ୫୩ ରନ୍‌ ସଂଗ୍ରହ କରିଥିଲେ। ସେହିପରି ଅଲରାଉଣ୍ଡର ଅକ୍ଷର ପଟେଲ ୩୧, ଜିତେଶ ଶର୍ମା ୨୪ ଓ ଋତୁରାଜ ଗାଏକ୍ଵାଡ ୧୦ ରନ୍‌ ସଂଗ୍ରହ କରିଥିଲେ। ଅନ୍ୟପଟେ ଅଧିନାୟକ ସୂର୍ୟ୍ୟକୁମାର ଯାଦବ ଓ ରିଙ୍କୁ ସିଂହ ଖରାପ ବ୍ୟାଟିଂ ପଦର୍ଶନ କରି ମାତ୍ର ୫-୬ ରନ ସଂଗ୍ରହ କରି ଆଉଟ ହୋଯାଇଥିଲେ। ଶେଷରେ ରବି ବିଷ୍ଣୋଇ ଓ ଅର୍ଶଦୀପ ସିଂହ ଅପରାଜିତ ରହି ୨-୨ ରନ୍‌ କରିଥିଲେ।

ଅଷ୍ଟ୍ରେଲିଆ ପକ୍ଷରୁ ଜାସନ୍ ବେହେରନଡର୍ଫ ଓ ବେନ୍ ଡ୍ୱାରସୁଇସ୍‌ଙ୍କୁ ୨-୨ ୱିକେଟ ମିଳିଥିଲା। ସେହିପରି ଆରୋନ୍ ହାର୍ଡି, ନାଥନ୍ ଏଲିସ୍ ଓ ତନବୀର ସାଙ୍ଗା ଗୋଟିଏ ଲେଖାଏଁ ୱିକେଟ୍‌ ନେଇଥିଲେ। ଏହା ପରେ ଭାରତୀୟ ଦଳ ପକ୍ଷରୁ ମିଳିଥିବା ୧୬୧ ରନ୍‌ର ବିଜୟ ଲକ୍ଷ୍ୟକୁ କଙ୍ଗାରୁ ଦଳ ୨୦ ଓଭର ଯାଏଁ ଖେଳି ମାତ୍ର ୧୫୪ ରନ୍‌ କରି ପରାଜୟ ସାମ୍ନା କରିଛି। ଏହି ମ୍ୟାଚରେ ଯୁବ ବୋଲର ମୁକେଶ କୁମାର ଚମତ୍କାରିତା ଦେଖାଇ ସର୍ବାଧିକ ୩ଟି ୱିକେଟ୍‌ ନେଇଛନ୍ତି। ଅର୍ଶଦୀପ ସିଂହ ଓ ରବି ବିଷ୍ଣୋଇଙ୍କୁ ୨ଟି ଲେଖାଏଁ ୱିକେଟ୍‌ ମିଳିଥିବା ବେଳେ ଅକ୍ଷର ପଟେଲ ଗୋଟିଏ ୱିକେଟ୍‌ ନେଇଥିଲେ।

ସୂଚନା ଯୋଗ୍ୟ, ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ୫ ମ୍ୟାଚ୍ ବିଶିଷ୍ଟ ଟି ୨୦ ସିରିଜ ଶୃଙ୍ଖଳା ଖେଳାଯାଇଥିବା ବେଳେ ଏଥିରେ ଭାରତର ବଡ଼ ବିଜୟ ହୋଇଛି। ମୋଟ ୫ଟି ମ୍ୟାଚ ମଧ୍ୟରେ ଭାରତ ୪ଟି ମ୍ୟାଚ ଜିତିଥିବା ବେଳେ ଅଷ୍ଟ୍ରେଲିଆ ଦଳ ମାତ୍ର ଗୋଟିଏରେ ଜିତିଛି। ଯାହାକୁ ନେଇ ଭାରତ ଏବେ ଅଷ୍ଟ୍ରେଲିଆକୁ ୪-୧ ରେ ପରାସ୍ତ କରିଛି।

Get real time updates directly on you device, subscribe now.