ନୂଆଦିଲ୍ଲୀ,୧୧ା୭: ଗୁରୁଗାଓଁର ଏକ ପଶ ଅଞ୍ଚଳ ସୁଶାନ୍ତ ଲୋକରେ୨୫ ବର୍ଷୀୟା ଟେନିସ୍ ଖେଳାଳି ରାଧିକା ଯାଦବଙ୍କ ହତ୍ୟା ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ତାଙ୍କ ୪୯ ବର୍ଷୀୟ ପିତା ଦୀପକ ଯାଦବ ଏହି ହତ୍ୟାକାଣ୍ଡର ଅଭିଯୁକ୍ତ। କୋର୍ଟ ଶୁକ୍ରବାର ତାଙ୍କୁ ଗୋଟିଏ ଦିନର ପୋଲିସ ରିମାଣ୍ଡରେ ପଠାଇ ଦେଇଛନ୍ତି। ପୋଲିସ କୋର୍ଟକୁ କହିଛି ଯେ, ରିଭଲଭର ମିଳିଛି, ଗୁଳି ଏପର୍ଯ୍ୟନ୍ତ ଉଦ୍ଧାର କରାଯାଇନାହିଁ। ସୋସିଆଲ ମିଡିଆର ମଧ୍ୟ ତଦନ୍ତ କରାଯିବ।
ଏହି ସମୟରେ ପରିବାର ପକ୍ଷରୁ ରାଧିକାଙ୍କ ଶେଷ ବିଦାୟ ଦିଆଯାଇଥିଲା। ରାଧିକାଙ୍କ ଶେଷକୃତ୍ୟ ଗୁରୁଗାଓଁର ୱାଜିରାବାଦ ଗାଁରେ କରାଯାଇଥିଲା। ଏହି ସମୟରେ, ତାଙ୍କ ଭାଇ ଏବଂ କାକା, ପରିବାର ଏବଂ ପଡ଼ୋଶୀଙ୍କ ସହିତ ଉପସ୍ଥିତ ଥିଲେ। ରାଧିକାଙ୍କ ଶେଷକୃତ୍ୟ ସମୟରେ, ତାଙ୍କ ଭାଇ ରାଧିକା-ରାଧିକା କହି ଭୋ ଭୋ ହୋଇ କାନ୍ଦିଥିଲେ ।
ଏହି ସମୟରେ ବଡ଼ ପ୍ରଶ୍ନ ହେଉଛି ତାଙ୍କ ବାପା ତାଙ୍କୁ କାହିଁକି ହତ୍ୟା କଲେ? ପୋଲିସର କହିବା ଅନୁଯାୟୀ, ଦୀପକ ଯାଦବ ବାରମ୍ବାର ତାଙ୍କ ବୟାନ ବଦଳାଉଛନ୍ତି। ପୂର୍ବରୁ ସେ କହିଥିଲେ ଯେ, ରାଧିକାଙ୍କ ଉପରେ ପାଞ୍ଚ ରାଉଣ୍ଡ ଗୁଳି ଚାଳନା କରାଯାଇଥିଲା, ଯେଉଁଥିରୁ ତିନୋଟି ତାଙ୍କ ଶରୀରରେ ବାଜିଥିଲା। ତଥାପି, ପୋଷ୍ଟମର୍ଟମ କରିଥିବା ଡାକ୍ତରଙ୍କ ଦଳର ଡାକ୍ତର ଦୀପକ ମାଥୁର କହିଛନ୍ତି, ରାଧିକା ଯାଦବଙ୍କ ଶରୀରରୁ ଚାରୋଟି ଗୁଳି ବାହାର କରାଯାଇଛି।
ପୋଲିସ ଅନୁଯାୟୀ, ଦୀପକ କହିଛନ୍ତି, ସେ ତାଙ୍କ ଝିଅ ରାଧିକାଙ୍କ ଉପରେ ଏକ ଟେନିସ୍ ଏକାଡେମୀ ଖୋଲିବା ପାଇଁ ରାଗିଥିଲେ। ସେ ତାଙ୍କ ଝିଅକୁ ଅନେକ ଥର ବୁଝାଇବାକୁ ଚେଷ୍ଟା କରିଥିଲେ, କିନ୍ତୁ ରାଧିକା ଶୁଣି ନଥିଲେ। ସେକ୍ଟର ୫୭ ଥାନା ପ୍ରଭାରୀ ବିନୋଦ କୁମାର କହିଛନ୍ତି ଦୀପକ କହିଥିଲେ ଯେ, ପଡ଼ୋଶୀର ଲୋକମାନେ କହୁଥିଲେ ଯେ ସେ ତାଙ୍କ ଝିଅର ରୋଜଗାର ଖାଆନ୍ତି। ସେଥିପାଇଁ ସେ ଚାପରେ ଥିଲେ।
କେବଳ ଏତିକି ନୁହେଁ, ଦୀପକ ଏହା ମଧ୍ୟ ଦାବି କହିଛନ୍ତି ଯେ, ସେ ରାଧିକାଙ୍କ ସୋସିଆଲ ମିଡିଆରେ ରିଲ୍ ତିଆରି କରିବା ଉପରେ ବିରକ୍ତ ଥିଲେ। ତାଙ୍କୁ ରିଲ୍ ତିଆରି କରିବାକୁ ପସନ୍ଦ ନଥିଲା। ପୋଲିସ ଏହି ଦାବିଗୁଡ଼ିକର ମଧ୍ୟ ତଦନ୍ତ କରୁଛି। ରାଧିକାଙ୍କ ସହିତ ଖେଳିଥିବା ଏବଂ ତାଲିମ ନେଇଥିବା ଲୋକମାନେ କହିଛନ୍ତି ଯେ, ତାଙ୍କ ବାପା ଦୀପକ ପ୍ରାୟତଃ ରାଧିକାଙ୍କ ସହିତ ଆସୁଥିଲେ, କେବେ କୌଣସି ଉତ୍ତେଜନା ନଥିଲା। ଏପରି ପରିସ୍ଥିତିରେ, ପ୍ରଶ୍ନ ଉଠୁଛି ଯେ ଘରେ ହଠାତ୍ କ’ଣ ଘଟିଲା ଯେ, ସେ ଅଚାନକ ଗୁଳି ଚଳାଇବା ଆରମ୍ଭ କଲେ। ପୋଲିସ ଏହାର ମଧ୍ୟ ତଦନ୍ତ କରୁଛି।
ପୋଲିସ କହିଛି, ଦୀପକ ତାଙ୍କ ଅପରାଧ ସ୍ୱୀକାର କରିଛନ୍ତି ଏବଂ କହିଛନ୍ତି ଯେ, ତାଙ୍କ ଝିଅ ଟେନିସ୍ ଏକାଡେମୀ ଚଲାଇବାରେ ତାଙ୍କର ଆପତ୍ତି ଥିଲା, ଯାହା ଯୋଗୁ ଉଭୟଙ୍କ ମଧ୍ୟରେ ଅନେକ ଥର ଝଗଡା ହୋଇଥିଲା।
ଅନ୍ତର୍ଜାତୀୟ ଟେନିସ୍ ଫେଡେରେସନ ୱେବସାଇଟ୍ ଅନୁଯାୟୀ, ରାଧିକା ଯାଦବ ଏହି ବର୍ଷ ଆରମ୍ଭରେ ଇନ୍ଦୋର ଏବଂ କ୍ୱାଲାଲାମପୁରରେ ଟୁର୍ଣ୍ଣାମେଣ୍ଟ ଖେଳିଥିଲେ। ଏଗୁଡ଼ିକ ଯୋଗ୍ୟତା ପ୍ରତିଯୋଗିତା ଥିଲା।