fbpx

କାବୁଲ ଏୟାରପୋର୍ଟ ବାହାରେ ଆତଙ୍କୀ ଆକ୍ରମଣର ସମ୍ଭାବନା, ହାଇ ଆଲର୍ଟ ଜାରି

କାବୁଲ: ଆଫଗାନିସ୍ତାନରେ ନିଜର ଆଧିପତ୍ୟ ବିସ୍ତାର କରିବାରେ ଲାଗିଛି ତାଲିବାନ୍ । କିନ୍ତୁ କାବୁଲ ଏୟାରପୋର୍ଟ ଏବେ ବି ଆମେରିକାର ସେନା ହାତରେ ରହିଛି । ଏହାରି ମଧ୍ୟରେ କାବୁଲ ଏୟାରପୋର୍ଟ ବାହାରେ ଆତଙ୍କୀ ଆକ୍ରମଣ ହୋଇପାରେ ବୋଲି ଆଶଙ୍କା କରାଯାଉଛି । ଏୟାରପୋର୍ଟ ଗେଟ୍ ଛାଡି ଚାଲିଯିବାକୁ ନାଗରିକଙ୍କୁ ପରାମର୍ଶ ଦେଇଛି ଆମେରିକା । ଆବି, ଇଷ୍ଟ ଓ ନର୍ଥ ଗେଟକୁ ତୁରନ୍ତ ଛାଡ଼ି ଚାଲିଯିବାକୁ ପରାମର୍ଶ ଦିଆଯାଇଛି । ଦୂତାବାସଠାରୁ ସୂଚନା ନମିଳିବା ପର୍ଯ୍ୟନ୍ତ ଏୟାରପୋର୍ଟ ନଆସିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହି ଘଟଣାକୁ ନେଇ ବ୍ରିଟେନ ଓ ଅଷ୍ଟ୍ରେଲିଆ ପକ୍ଷରୁ ମଧ୍ୟ ହାଇ ଆଲର୍ଟ ଜାରି କରାଯାଇଛି ।

ତେବେ ଆହୁରି ୧୫ ଶହ ଆମେରିକୀୟ ଆଫଗାନିସ୍ତାନ ଛାଡ଼ିବା ଅପେକ୍ଷାରେ ଅଛନ୍ତି । ଏନେଇ ସୂଚନା ଦେଇଛନ୍ତି ଆମେରିକୀୟ ବୈଦେଶିକ ସଚିବ ବ୍ଲିନକେନ୍ । ପରିସ୍ଥିତିକୁ ଦେଖି ସ୍ୱଦେଶ ଫେରିବା ବ୍ୟବସ୍ଥା ଚାଲିଛି ବୋଲି ସେ କହିଛନ୍ତି । ଏହା ସହ ସେ କହିଛନ୍ତି ଯେ, ‘୬ ହଜାର ଆମେରିକୀୟଙ୍କ ମଧ୍ୟରୁ ୪୫୦୦ ଜଣ ଫେରି ସାରିଛନ୍ତି । ଅଗଷ୍ଟ ୧୪ ପରଠୁ ବିଭିନ୍ନ ଦେଶର ୮୨ ହଜାର ୩ ଶହ ଆଫଗାନିସ୍ତାନରୁ ଫେରିସାରିଛନ୍ତି ।

ଅନ୍ୟପଟେ ସ୍ୱତନ୍ତ୍ର ବିମାନ ଯୋଗେ ଆଜି କାବୁଲ ଛାଡିଛନ୍ତି ଆଉ ୨୪ ଭାରତୀୟ । ଭାରତୀୟ ନାଗରିକଙ୍କ ସହ ୧୧ ନେପାଳୀ ନାଗରିକ ମଧ୍ୟ ଆଫଗାନିସ୍ତାନରୁ ଫେରୁଛନ୍ତି । କିଛି ସମୟ ମଧ୍ୟରେ ସେମାନେ ଦିଲ୍ଲୀରେ ପହଞ୍ଚିବେ ବୋଲି ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର କହିଛନ୍ତି ।

Get real time updates directly on you device, subscribe now.