ଇଂଲଣ୍ଡରେ ଶେଷ ହୋଇପାରେ ୩ ଭାରତୀୟ ଖେଳାଳିଙ୍କ କ୍ୟାରିୟର, ଖରାପ ଫର୍ମରେ କରୁଛନ୍ତି ସଂଘର୍ଷ

ଓଭାଲ : ଭାରତ ଓ ଇଂଲଣ୍ଡ ମଧ୍ୟରେ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ଜାରି ରହିଛି । ସିରିଜ୍ ଏବେ ୧-୧ରେ ବରାବର ରହିଛି । ଓଭାଲରେ ଚେତୁର୍ଥ ଟେଷ୍ଟ ଖେଳାଯାଉଛି । ଭାରତ ପ୍ରଥମ ଇନିଂସରେ ୧୯୧ ରନରେ ଅଲଆଉଟ୍ ହୋଇଛି । ହେଲେ ବୋଲର ୫୩ ରନରେ ଇଂଲଣ୍ଡ ତିନି ଜଣ ବ୍ୟାଟସମ୍ୟାନଙ୍କୁ ପାଭିଲିୟନ ଫେରାଇ ଭାରତକୁ ମ୍ୟାଚରେ ପ୍ରତ୍ୟାବର୍ତ୍ତନ କରାଇଛନ୍ତି । ହେଲେ ତିନି ବରିଷ୍ଠ ଖେଳାଳିଙ୍କ ପ୍ରଦର୍ଶନ ଉପରେ ପ୍ରଶ୍ନ ଉଠିବାରେ ଲାଗିଛି । ଏହା ତାଙ୍କ କ୍ୟାରିୟରର ଅନ୍ତିମ ସିରିଜ୍ ହୋଇପାରେ ବୋଲି କୁହାଯାଉଛି । ଏଥିରେ ଟେଷ୍ଟ ଦଳର ଉପ ଅଧିନାୟକ ଆଜିଙ୍କ୍ୟ ରାହାଣେ, ଟେଷ୍ଟ ବିଶେଷଜ୍ଞ ଚେତେଶ୍ୱର ପୂଜାରା ଓ ଦ୍ରୁତ ବୋଲର ଇଶାନ୍ତ ଶର୍ମା ।

ଚେତେଶ୍ୱର ପୂଜାରା

୩୩ ବର୍ଷୀୟ ପୂଜାରାଙ୍କ ପ୍ରଦର୍ଶନ ଏମିତି ରହିଛି ଯେ, ସେ ୭ଟି ଇନିଂସରେ ୨୮ ହାରରେ ୧୬୬ ରନ କରିଛନ୍ତି । ଏଥିରେ କେବଳ ଗୋଟିଏ ଅର୍ଦ୍ଧଶତକ ସାମିଲ । ୪ଟି ଇନିଂସରେ ସେ ଦୁଇ ଅଙ୍କ ଛୁଇଁ ପାରି ନାହାନ୍ତି । ଏହା ପୂର୍ବରୁ ନ୍ୟୁଜିଲାଣ୍ଡ ବିପକ୍ଷ ବିଶ୍ୱ ଟେଷ୍ଟ ଚାମ୍ପିଅନସିପର ଫାଇନାଲ ମୁକାବିଲାରେ ମଧ୍ୟ ପୂଜାରା ନିରାଶଜନକ ପ୍ରଦର୍ଶନ କରି ୮ ଓ ୧୫ ରନ କରିଥିଲେ । ସେ ୨୦୧୯ ଜାନୁଆରୀ ମାସ ପରଠୁ ଶତକଟିଏ ହାସଲ କରି ପାରି ନାହାନ୍ତି । ସେ ଭାରତୀୟ ଦଳ ପକ୍ଷରୁ କେବଳ ଟେଷ୍ଟ ମ୍ୟାଚ୍ ଖେଳୁଛନ୍ତି । ଏମିତିରେ ଥରେ ଟେଷ୍ଟ ଦଳରୁ ବାଦ୍ ପଡିଲେ ତାଙ୍କୁ ପ୍ରତ୍ୟାବର୍ତ୍ତନ କରିବା ମୁସ୍କିଲ ହୋଇଯିବ । ପୂଜାରା ୯୦ ଟେଷ୍ଟରେ ୧୫୧ ଇନିଂସରୁ ୪୫ ହାରରେ ୬୪୩୩ ରନ କରିଛନ୍ତି । ଏଥିରେ ୧୮ ଶତକ ଓ ୩୩ ଅର୍ଦ୍ଧଶତକ ସାମିଲ ।

ଆଜିଙ୍କ୍ୟ ରାହାଣେ

ସେହି ପରି ଟେଷ୍ଟ ଦଳର ଉପ ଅଧିନାୟକ ଆଜିଙ୍କ୍ୟ ରାହାଣେ ଗତ ଏକ ବର୍ଷ ହେବ ଖରାପ ଫର୍ମ ଦେଇ ସଂଘର୍ଷ କରୁଛନ୍ତି । ଗତ ୧୯ଟି ଟେଷ୍ଟ ଇନିଂସରେ ସେ ମାତ୍ର ୨ଟି ଅର୍ଦ୍ଧଶତକ ହାସଲ କରି ପାରିଛନ୍ତି । ଏହି ସମୟରେ ୬ ଥର ଦୁଇ ଅଙ୍କ ମଧ୍ୟ ଛୁଇଁ ପାରି ନାହାନ୍ତି । ବର୍ତ୍ତମାନ ଇଂଲଣ୍ଡ ସିରିଜରେ ୩୩ ବର୍ଷୀୟ ରାହାଣେ ୬ଟି ଇନିଂସରେ ୧୮ ହାରରେ ମାତ୍ର ୧୦୯ ରନ କରିଛନ୍ତି । ଏଥିରେ ଗୋଟିଏ ଅର୍ଦ୍ଧଶତକ ସାମିଲ । ସେ ୭୮ଟି ଟେଷ୍ଟ ମ୍ୟାଚର ୧୩୧ ଇନିଂସରେ ୪୦ ହାରରେ ୪୭୫୬ ରନ କରିଛନ୍ତି । ଏଥିରେ ୧୨ ଶତକ ଓ ୨୪ ଅର୍ଦ୍ଧଶତକ ସାମିଲ । ସେ ଭାରତ ପକ୍ଷରୁ ୯୦ ଦିନିକିଆ ଓ ୨୦ଟି ଟି-୨୦ ମୁକାବିଲା ଖେଳିଛନ୍ତି । ମାତ୍ର ସେ ଅନ୍ତିମ ଦିନିକିଆ ୨୦୧୮ରେ ଏବଂ ଅନ୍ତିମ ଟି-୨୦ ୨୦୧୬ ଅଗଷ୍ଟରେ ଖେଳିଥିଲେ । ଅର୍ଥାତ ଏବେ ସେ ଟେଷ୍ଟ କ୍ରିକେଟ୍ ପାଇଁ ଫିଟ୍ । ହେଲେ ତାଙ୍କର ପ୍ରଦର୍ଶନ ବର୍ତ୍ତମାନ ଯାହା ରହିଛି ସେ ଦଳରୁ ବାଦ୍ ପଡିବାର ଆଶଙ୍କା ଦେଖା ଦେଲାଣି ।

ଇଶାନ୍ତ ଶର୍ମା

ଦ୍ରୁତ ବୋଲର ଇଶାନ୍ତ ଶର୍ମା ନିଜର କ୍ୟାରିୟରରେ ଆହତଜନିତ ସମସ୍ୟାକୁ ନେଇ ସମସ୍ୟାରେ ରହିଛନ୍ତି । ଏହି କାରଣରୁ ସେ ତିନୋଟି ଫର୍ମାଟରେ ଲମ୍ବା ସମୟ ପର୍ଯ୍ୟନ୍ତ ଖେଳି ପାରି ନାହାନ୍ତି । ସେ ୨୦୧୬ ପରଠୁ କେବଳ ଟେଷ୍ଟ କ୍ରିକେଟ୍ ଖେଳୁଛନ୍ତି । ୩୩ ବର୍ଷୀୟ ଇଶାନ୍ତ ଶର୍ମା ବର୍ତ୍ତମାନ ସିରିଜରେ ୨ଟି ମ୍ୟାଚ୍ ଖେଳିବାର ସୁଯୋଗ ପାଇଥିଲେ । ଏଥିରୁ ସେ କିଛି ଖାସ୍ ପ୍ରଦର୍ଶନ କରି ପାରିନଥିଲେ । ସେ ୩୫ ହାରରେ କେବଳ ୫ ୱିକେଟ୍ ନେଇ ପାରିଛନ୍ତି । କିନ୍ତୁ ଇଂଲଣ୍ଡ ମାଟିରେ ଇଶାନ୍ତ ଶର୍ମା ହିଁ ଏକ ମାତ୍ର ବୋଲର ଭାବେ ୫୦ରୁ ଅଧିକ ୱିକେଟ୍ ନେଇଛନ୍ତି । ସେ ଟେଷ୍ଟର ଗତ ୧୨ଟି ଇନିଂସରେ ୪ କିମ୍ବା ସେଥିରୁ ଅଧିକ ୱିକେଟ୍ ନେଇ ପାରି ନାହାନ୍ତି । ୫ଟି ଇନିଂସରେ ତ ସେ ଗୋଟିଏ ବି ୱିକେଟ୍ ହାସଲ କରି ପାରିନାହାନ୍ତିଅଅ । ମୋଟାମୋଟି ଇଶାନ୍ତ ଶର୍ମା ୧୦୪ଟି ଟେଷ୍ଟର ୧୮୬ଟି ଇନିଂସରେ ୩୨ ହାରରେ ୩୧୧ ୱିକେଟ୍ ହାସଲ କରିଛନ୍ତି । ସେ ଭାରତ ପକ୍ଷରୁ ୮୦ଟି ଦିନିିକିଆ ଓ ୧୪ଟି ଟି-୨୦ ମ୍ୟାଚ୍ ଖେଳିଛନ୍ତି ।