ଲୋକସେବା ଭବନରେ ୨୬୯ ଜଣଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ; କହିଲେ-୨୦୩୬ ସୁଦ୍ଧା ଓଡ଼ିଶାକୁ ଶ୍ରେଷ୍ଠ ରାଜ୍ୟ ଭାବେ ଗଢିବା ଲକ୍ଷ୍ୟ
ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସନ୍ଧ୍ୟାରେ ଭୁବନେଶ୍ୱରସ୍ଥିତ ଲୋକସେବା ଭବନରେ ଆୟୋଜିତ ‘ନିଯୁକ୍ତି ପର୍ବ’ କାର୍ଯ୍ୟକ୍ରମରେ ୨ ଶହ ଅଣସ୍ତରି ଜଣଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରିଛନ୍ତି । ଏହି ଅବସରରେ
ସେ କହିଛନ୍ତି, ରାଜ୍ୟ ସରକାର ସ୍ୱଚ୍ଛ ନିଯୁକ୍ତି ପ୍ରକ୍ରିୟା ଆପଣେଇଛନ୍ତି । ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନର ଶହେ ବର୍ଷ ପୂର୍ତ୍ତି ଅବସରରେ ୨୦୩୬ ମସିହା ସୁଦ୍ଧା ସରକାର ଓଡ଼ିଶାକୁ ଶ୍ରେଷ୍ଠ ରାଜ୍ୟ ଭାବେ ଗଢ଼ି ତୋଳିବାକୁ ଲକ୍ଷ୍ୟ ରଖିଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।
ସେ କହିଛନ୍ତି, ପ୍ରଯୁକ୍ତି ବିଦ୍ୟାର ବ୍ୟବହାର ଉପରେ ସେ ଗୁରୁତ୍ୱ ଦେଇଛନ୍ତି । ଏହାସହ ନବନିଯୁକ୍ତଙ୍କୁ ନିର୍ଦ୍ଧାରିତ ସମୟରେ କାର୍ଯ୍ୟ ସମ୍ପନ୍ନ କରିବାର ପରାମର୍ଶ ଦେବା ସହ ସ୍ୱଚ୍ଛତା ମାଧ୍ୟମରେ ରୂପାନ୍ତରୀକରଣ ସମ୍ଭବ ହୋଇପାରିବ ବୋଲି ସେ କହିଛନ୍ତି । ସୂଚନା ଅନୁସାରେ ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ୧୬୦ ଜଣ ପ୍ରଧାନ ଶିକ୍ଷକ ଓ ବ୍ଲକ ଶିକ୍ଷା ଅଧିକାରୀ, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗରେ ୯୦ ଜଣ ବ୍ଲକ୍ ସାମାଜିକ ସୁରକ୍ଷା ଅଧିକାରୀ ଏବଂ ସୂଚନା ଓ ଲୋକସମ୍ପର୍କ ବିଭାଗର ୧୯ ଜଣ ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀଙ୍କୁ ମୁଖ୍ୟମନ୍ତ୍ରୀ ନିଯୁକ୍ତି ପତ୍ର ପ୍ରଦାନ କରିଛନ୍ତି ।