ଏହି ଦିନରୁ ଆରମ୍ଭ ହେବ ଜନଗଣନାର ପ୍ରଥମ ପର୍ଯ୍ୟାୟ, ପ୍ରଥମ ଥର ପାଇଁ ହେବ ଡିଜିଟାଲ ସୁବିଧା
କ'ଣ ରହିଛି ଜନଗଣନାର ସମ୍ପୂର୍ଣ୍ଣ ପ୍ରକ୍ରିୟା।
ନୂଆଦିଲ୍ଲୀ: ସ୍ୱାଧୀନତା ପରେ ଭାରତର ଆଗାମୀ ଏବଂ ଅଷ୍ଟମ ଜନଗଣନାର ପ୍ରଥମ ପର୍ଯ୍ୟାୟ ୧ ଏପ୍ରିଲ ୨୦୨୬ରୁ ଆରମ୍ଭ ହେବ। ଯେଉଁଥିରେ ସାରା ଦେସର ପରିବାର ଗଣନା କରାଯିବ। ଏନେଇ ସୂଚନା ଦେଇଛନ୍ତି ଭାରତର ରେଜିଷ୍ଟ୍ରାର ଜେନେରାଲ।
ଭାରତର ଜନଗଣନା କମିଶନର ଏବଂ ରେଜିଷ୍ଟ୍ରାର ଜେନେରାଲ ମୃତ୍ୟୁଞ୍ଜୟ କୁମାର ନାରାୟଣ ସମସ୍ତ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳର ମୁକ୍ୟ ସଚିବମାନଙ୍କୁ ଏକ ଚିଠି ଲେକି ସୂଚନା ଦେଇଛନ୍ତି ଯେ, ଘକ ତାଲିକାଭୁକ୍ତ କାର୍ଯ୍ୟ (HLO) ଏବଂ ଘର ଗଣନା ୧ ଏପ୍ରିଲ ୨୦୨୬ରୁ ଆରମ୍ଭ ହେବ। ଏହି ପର୍ଯ୍ୟାୟରେ ପ୍ରତ୍ୟେକ ଘରର ଆବାସିକ ସ୍ଥିତି, ସମ୍ପତ୍ତି ଏବଂ ଉପଲବ୍ଧ ସୁବିଧା ସମ୍ପର୍କିତ ସୂଚନା ସଂଗ୍ରହ କରାଯିବ।
୨ଟି ପର୍ଯ୍ୟାୟରେ ହେବ ଜନଗଣନା:
ପ୍ରଥମ ପର୍ଯ୍ୟାୟ (ଏପ୍ରିଲ ୧, ୨୦୨୬ ରୁ): ଘର ତାଲିକା ଅଭିଯାନ: ଏହି ପର୍ଯ୍ୟାୟରେ ପରିବାରର ଆବାସିକ ସ୍ତିତି, ସମ୍ପତ୍ତି ସୂଚନା ଏବଂ ଫୋନ୍, ଇଣ୍ଟରନେଟ୍, ଯାନବାହନ( ସାଇକେଲ୍, ସ୍କୁଟର, ମୋଟରସାଇକେଲ, କାର, ଜିପ୍, ଭ୍ୟାନ), ଏବଂ ଅନ୍ୟାନ୍ୟ ଉପକରଣ(ରେଡିଓ, ଟିଭି, ଟ୍ରାଞ୍ଜିଷ୍ଟର) ଭଳି ଉପଲବ୍ଧ ସୁବିଧାଗୁଡ଼ିକର ମାଲିକାନା ବିଷୟରେ ବିବରଣୀ ସଂଗ୍ରହ କରାଯିବ।
ଏହା ବ୍ୟତୀତ, ଲୋକମାନଙ୍କୁ ଶସ୍ୟ ବ୍ୟବହାର, ପାନୀୟ ଜଳ ଏବଂ ଆଲୋକର ଉତ୍ସ, ଶୌଚାଳୟର ପ୍ରକାର ଏବଂ ଉପଲବ୍ଧତା, ବର୍ଜ୍ୟଜଳ ନିଷ୍କାସନ, ସ୍ନାନ ଏବଂ ରୋଷେଇ ଘର ସୁବିଧା, ରୋଷେଇ ପାଇଁ ବ୍ୟବହୃତ ଇନ୍ଧନ ଏବଂ LPG/PNG ସଂଯୋଗ ବିଷୟରେ ମଧ୍ୟ ପଚରାଯିବ।
ଅତିରିକ୍ତ ପ୍ରଶ୍ନ ମଧ୍ୟ ପଚରାଯିବ ଯେପରିକି ଘରର ମହଲା, କାନ୍ଥ ଏବଂ ଛାତ ପାଇଁ ବ୍ୟବହୃତ ସାମଗ୍ରୀ, ଏହାର ଅବସ୍ଥା, ଘରେ ରହୁଥିବା ଲୋକଙ୍କ ସଂଖ୍ୟା, କୋଠରୀ ସଂଖ୍ୟା, ବିବାହିତ ଦମ୍ପତିଙ୍କ ଉପସ୍ଥିତି ଏବଂ ଘରର ମୁଖ୍ୟ ଜଣେ ମହିଳା କି ଅନୁସୂଚିତ ଜାତି କିମ୍ବା ଜନଜାତିର ଅଟନ୍ତି।
ଦ୍ୱିତୀୟ ପର୍ଯ୍ୟାୟ (୧ ଫେବୃଆରୀ, ୨୦୨୭ ରୁ): ଜନସଂଖ୍ୟା ଗଣନା: ଏହି ପର୍ଯ୍ୟାୟରେ, ପ୍ରତ୍ୟେକ ପରିବାରର ପ୍ରତ୍ୟେକ ବ୍ୟକ୍ତିଙ୍କ ଜନସଂଖ୍ୟାଗତ, ସାମାଜିକ-ଅର୍ଥନୈତିକ, ସାଂସ୍କୃତିକ ଏବଂ ଅନ୍ୟାନ୍ୟ ବିବରଣୀ ସଂଗ୍ରହ କରାଯିବ।
ଏହି ପର୍ଯ୍ୟାୟ ଲଦାଖ ଭଳି ବରଫାବୃତ୍ତ ଅଞ୍ଚଳରେ ୧ ଅକ୍ଟୋବର, ୨୦୨୬ ଏବଂ ଦେଶର ଅନ୍ୟାନ୍ୟ ସ୍ଥାନରେ ୧ ମାର୍ଚ୍ଚ, ୨୦୨୭ ର ଏକ ସନ୍ଦର୍ଭ ତାରିଖ ସହିତ ଅନୁଷ୍ଠିତ ହେବ।
ଡିଜିଟାଲ୍ ଏବଂ ସ୍ୱ-ଗଣନାର ବ୍ୟବସ୍ଥା: ଆସନ୍ତା ଜନଗଣନାର ବିଶେଷତ୍ୱ ହେଉଛି ଏହା ‘ମୋବାଇଲ୍ ଆପ୍ଲିକେସନ୍’ ସାହାଯ୍ୟରେ ଡିଜିଟାଲ୍ ଭାବରେ କରାଯିବ। ଏହା ପାରମ୍ପରିକ କାଗଜ ପ୍ରକ୍ରିୟାଠାରୁ ଏକ ବଡ଼ ପରିବର୍ତ୍ତନ।
ନାଗରିକମାନଙ୍କ ପାଇଁ ମଧ୍ୟ ସ୍ୱ-ଗଣନାର ବ୍ୟବସ୍ଥା ଉପଲବ୍ଧ କରାଯିବ। ଯାହା ଦ୍ୱାରା ସେମାନେ ନିଜେ ସେମାନଙ୍କର ସୂଚନା ପ୍ରବେଶ କରିପାରିବେ। ରେଜିଷ୍ଟ୍ରାର ଜେନେରାଲ ଏବଂ ଜନଗଣନା କମିଶନରଙ୍କ କାର୍ଯ୍ୟାଳୟ ନାଗରିକମାନଙ୍କଠାରୁ ପଚରାଯିବା ପାଇଁ ପ୍ରାୟ ତିନି ୩୬ଟି ପ୍ରଶ୍ନ ପ୍ରସ୍ତୁତ କରିଛି।
ପ୍ରଶାସନିକ ୟୁନିଟ୍ଗୁଡ଼ିକର ସୀମାରେ କୌଣସି ପରିବର୍ତ୍ତନ ହେବ ନାହିଁ: ଜନଗଣନା କାର୍ଯ୍ୟର ସଠିକତା ଏବଂ ସୁଗମ ପରିଚାଳନା ସୁନିଶ୍ଚିତ କରିବା ପାଇଁ, କେନ୍ଦ୍ର ସରକାର ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ ଡିସେମ୍ବର ୩୧, ୨୦୨୫ ପୂର୍ବରୁ ପ୍ରଶାସନିକ ୟୁନିଟ୍ଗୁଡ଼ିକର ସୀମାରେ ଯେକୌଣସି ପ୍ରସ୍ତାବିତ ପରିବର୍ତ୍ତନ ସମାପ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହା ପରେ କରାଯାଇଥିବା ପରିବର୍ତ୍ତନକୁ ଜନଗଣନା କାର୍ଯ୍ୟ ପାଇଁ ଚୂଡ଼ାନ୍ତ ବିବେଚନା କରାଯିବ ନାହିଁ।
ଭାରତର ଜନଗଣନା କମିଶନର ଏବଂ ରେଜିଷ୍ଟ୍ରାର ଜେନେରାଲ ମୃତ୍ୟୁଞ୍ଜୟ କୁମାର ନାରାୟଣ ତାଙ୍କ ଚିଠିରେ ସ୍ପଷ୍ଟ କରିଛନ୍ତି ଯେ ଜନଗଣନା ପାଇଁ ସମସ୍ତ ଗ୍ରାମ ଏବଂ ସହରକୁ ସମାନ ଗଣନା ବ୍ଲକରେ ବିଭକ୍ତ କରାଯାଇଛି।
ଏହାସହ ପ୍ରତ୍ୟେକ ବ୍ଲକ ପାଇଁ ଜଣେ ଗଣନାକାରୀଙ୍କୁ ନିଯୁକ୍ତ କରାଯାଇଛି, ଯାହା ଦ୍ଵାରା ଜନଗଣନା ସମୟରେ କୌଣସି ବାଦ କିମ୍ବା ନକଲକୁ ଏଡାଯାଇପାରିବ।
ନିୟମ ଅନୁଯାୟୀ, ଜିଲ୍ଲା, ଉପ-ଜିଲ୍ଲା, ତହସିଲ, ତାଲୁକା ଏବଂ ଥାନା ଭଳି ପ୍ରଶାସନିକ ୟୁନିଟ୍ଗୁଡ଼ିକର ସୀମା ନିର୍ଦ୍ଧାରଣ କରିବାର ତିନି ମାସ ପରେ ହିଁ ଜନଗଣନା କରାଯାଇପାରିବ।
ମୁଖ୍ୟ ସଚିବମାନଙ୍କୁ କୁହାଯାଇଛି ଯେ ଜାନୁଆରୀ ୧, ୨୦୨୬ ଏବଂ ମାର୍ଚ୍ଚ ୩୧, ୨୦୨୭ ମଧ୍ୟରେ ପ୍ରଶାସନିକ ୟୁନିଟ୍ଗୁଡ଼ିକର ସୀମାରେ କୌଣସି ପରିବର୍ତ୍ତନ ନହେବା ନିଶ୍ଚିତ କରନ୍ତୁ।
ଯେଉଁ ସମୟରେ ଜନଗଣନା କାର୍ଯ୍ୟ କରାଯିବ। ବିଦ୍ୟମାନ ସୀମାରେ ଯେକୌଣସି ପରିବର୍ତ୍ତନ ଡିସେମ୍ବର ୩୧, ୨୦୨୫ ସୁଦ୍ଧା ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକର ଜନଗଣନା ନିର୍ଦ୍ଦେଶାଳୟ ଏବଂ ଭାରତର ରେଜିଷ୍ଟ୍ରାର ଜେନେରାଲଙ୍କୁ ରିପୋର୍ଟ କରିବାକୁ ପଡିବ।
ବଡ଼ ସ୍ତରରେ ନିୟୋଜିତ ହେବ: ଜନଗଣନା କାର୍ଯ୍ୟ ସଫଳତାର ସହ ସମାପ୍ତ କରିବା ପାଇଁ ୩୪ ଲକ୍ଷରୁ ଅଧିକ ଗଣନାକାରୀ ଏବଂ ପର୍ଯ୍ୟବେକ୍ଷକ ଏବଂ ପ୍ରାୟ ୧.୩ ଲକ୍ଷ ଜନଗଣନା କର୍ମଚାରୀଙ୍କୁ ନିୟୋଜିତ କରାଯିବ। ଏହା ଆଜି ପର୍ଯ୍ୟନ୍ତ ୧୬ ତମ ଜନଗଣନା ଏବଂ ସ୍ୱାଧୀନତା ପରେ ୮ମ ଜନଗଣନା ହେବ।