ମୁଣ୍ଡ ବୁଲାଇଲାଣି ଜିଡିପି ଡାଟା: ୫.୪ ପ୍ରତିଶତକୁ ହ୍ରାସ ପାଇଲା ଅର୍ଥନୈତିକ ଅଭିବୃଦ୍ଧି ହାର

ମୁମ୍ୱାଇ: ୨୦୨୪-୨୫ ଆର୍ଥିକ ବର୍ଷର ଦ୍ୱିତୀୟ ତ୍ରୟମାସ (ଜୁଲାଇ-ସେପ୍ଟେମ୍ବର ୨୦୨୪)ରେ ଭାରତର ଅର୍ଥନୈତିକ ଅଭିବୃଦ୍ଧି ହାର ୫.୪ ପ୍ରତିଶତ ରହିଛି । ପରିସଂଖ୍ୟାନ ଓ କାର୍ଯ୍ୟାନ୍ୱୟନ ମନ୍ତ୍ରଣାଳୟ ପକ୍ଷରୁ ଏହି ଜିଡିପି ତଥ୍ୟ ପ୍ରକାଶ ପାଇଛି । ଗତବର୍ଷ ତୁଳନାରେ ୨୦୨୩-୨୪ ଆର୍ଥିକ ବର୍ଷର ଦ୍ବିତୀୟ ତ୍ରୟମାସରେ ଏହା ୮.୧ ପ୍ରତିଶତ ରହିଛି । ଖୁଚୁରା ଖାଦ୍ୟ ମୁଦ୍ରାସ୍ଫୀତି ବୃଦ୍ଧି ଏବଂ କର୍ପୋରେଟ୍ ଫଳାଫଳ ହ୍ରାସ ଯୋଗୁଁ ଜିଡିପି ତଥ୍ୟ ଆଶା ପୂରଣ କରିପାରିନାହିଁ । ରିଜର୍ଭ ବ୍ୟାଙ୍କ ମଧ୍ୟ ଏହାର ଅଭିବୃଦ୍ଧି ଆକଳନକୁ ସଂଶୋଧନ କରିଥିଲା, ଯାହାର ମୁଖ୍ୟ କାରଣ ହେଉଛି ମୁଦ୍ରାସ୍ଫୀତି ହାର ବୃଦ୍ଧି ।

୨୦୨୪-୨୫ ଆର୍ଥିକ ବର୍ଷର ଏପ୍ରିଲରୁ ଜୁନ୍ ମଧ୍ୟରେ ପ୍ରଥମ ତ୍ରୟମାସରେ ଜିଡିପି ହାର ୬.୭ ପ୍ରତିଶତ ଥିଲା, ଯାହା କି ଗତ ପାଞ୍ଚ ତ୍ରୈମାସରେ ସର୍ବନିମ୍ନ ଜିଡିପି ଆକଳନ ଥିଲା । ଆରବିଆଇ ଅକ୍ଟୋବର ୯ ରେ ପୂର୍ବ ମୁଦ୍ରା କମିଟି ବୈଠକରୁ ଏମପିସି ଘୋଷଣାରେ ଆକଳନ କରିଥିଲା ଯେ ୨୫ ଆର୍ଥିକ ବର୍ଷ ପାଇଁ ଭାରତର ପ୍ରକୃତ ଜିଡିପି ଅଭିବୃଦ୍ଧି ୭.୨ ପ୍ରତିଶତ ରହିବ ।