fbpx
BSKY
BJD SHG SKY
BJD YOUTH SKY

ଆଗାମୀ ଦିନରେ କନ୍ଦାଇବ ନାହିଁ ପିଆଜ, ଆଗୁଆ ପ୍ରସ୍ତୁତି କଲେଣି କେନ୍ଦ୍ର ସରକାର

ନୂଆଦିଲ୍ଲୀ: ପିଆଜକୁ ନେଇ ଯୋଜନା ଆରମ୍ଭ କରି ଦେଇଛନ୍ତି ସରକାର। କାରଣ ସାଧାରଣତଃ ଅଗଷ୍ଟରୁ ଡିସେମ୍ବର ମଧ୍ୟରେ ପିଆଜ ଦର ବଢିଥାଏ। ଏହି ସମୟରେ ପିଆଜର ଆକାଶଛୁଆଁ ଦର ସାଧାରଣ ଜନତାଙ୍କ ସହିତ ସରକାରଙ୍କୁ ମଧ୍ୟ କନ୍ଦାଇଥାଏ। ତେଣୁ ଅପ୍ରତ୍ୟାଶିତ ପିଆଜ ଦାମକୁ ନିୟନ୍ତ୍ରଣ କରିବା ପାଇଁ ସରକାର ଯୋଜନା ପ୍ରସ୍ତୁତ କରିଛନ୍ତି।

ସରକାର ୨୦୨୨-୨୩ରେ ଷ୍ଟକ ପାଇଁ କୃଷକଙ୍କଠୁ ୨.୫ ଲକ୍ଷ ଟନ୍ ପିଆଜ କିଣି ସାରିଛନ୍ତି। ଖୁଚୁରା ବଜାରରେ ଦର ବଢିଲେ ସରକାର ତୁରନ୍ତ ଦଖଲ ଦେବେ। ସରକାରୀ ତଥ୍ୟ ଅନୁଯାୟୀ, ଆର୍ଥିକ ବର୍ଷ ୨୦୨୧-୨୨ରେ ପିଆଜର ଉତ୍ପାଦନ ତିନି କୋଟି ୧୭ ଲକ୍ଷ ଟନ୍ ହେବାର ଅନୁମାନ କରାଯାଇଥିବା ବେଳେ ତିନି ବର୍ଷ ପୂର୍ବେ ଏହା ଥିଲା ଦୁଇ କୋଟି ୬୬.୪ ଲକ୍ଷ ଟନ୍।

ଖାଦ୍ୟ ଏବଂ ଉପଭୋକ୍ତା ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ, ଗତ ରେକର୍ଡକୁ ଭାଙ୍ଗି କେନ୍ଦ୍ର ସରକାର ୨୦୨୨-୨୩ରେ ମହଜୁଦ ପାଇଁ ୨.୫୦ ଲକ୍ଷ ଟନ ପିଆଜ କିଣିଛନ୍ତି। ଏହା ୨୦୨୧-୨୨ରେ ମହଜୁଦ ୨ ଲକ୍ଷ ଟନଠୁ ୫୦ ହଜାର ଟନ୍ ଅଧିକ। ବର୍ତ୍ତମାନ ରବି ଫସଲ ସମୟରେ କେନ୍ଦ୍ର ସରକାର ମହାରାଷ୍ଟ୍ର, ଗୁଜରାଟ ଏବଂ ମଧ୍ୟ ପ୍ରଦେଶ ପରି ପିଆଜ ଉତ୍ପାଦନକାରୀ ରାଜ୍ୟଗୁଡିକର କୃଷକଙ୍କଠୁ ପିଆଜ କିଣିଛନ୍ତି।

ମନ୍ତ୍ରଣାଳୟ ଅନୁଯାୟୀ, ବଜାରରେ ଦର ବଢିଲେ କିମ୍ବା ଅଭାବ ପଡିଲେ ସରକାର ମହଜୁଦ ପିଆଜକୁ ବଜାରକୁ ଛାଡିବେ। ଯାହା ଫଳରେ ଦରବୃଦ୍ଧିକୁ ନିୟନ୍ତ୍ରଣ କରାଯାଇ ପାରିବ ଏବଂ ଲୋକକୁ ଆଶ୍ଵସ୍ତି ମିଳିବ। କାରଣ ଅଗଷ୍ଟରୁ ଡିସେମ୍ବର ମଧ୍ୟରେ ପିଆଜ ଦର ଆକାଶଛୁଆଁ ରହିଥାଏ। ଏହା ବିବାହ ସମୟ ହୋଇଥାଏ ଏବଂ ଯୋଗାନ କମୁଥିବାରୁ ଦାମ ଅହେତୁକ ବଢିଥାଏ।

Get real time updates directly on you device, subscribe now.