fbpx

ଫାଇନାଲରେ ଧମାକାଦାର ଏଣ୍ଟ୍ରି ମାରିଲେ ସିନ୍ଧୁ: ଜାପାନକୁ ହରାଇବା ପରେ ଭାରତର ବଢିଲା ମେଡାଲ ଆଶା

ନୂଆଦିଲ୍ଲୀ: ସିଙ୍ଗାପୁର ଓପନ-୨୦୨୨ରେ ଗୋଟିଏ ପରେ ଗୋଟିଏ ପାହାଚ ଚଢି ଚାଲିଛନ୍ତି ଭାରତର ଷ୍ଟାର ପ୍ଲେୟର ପିଭି ସିନ୍ଧୁ । ଜାପାନର ସାୟନା କାବାକାମୀଙ୍କୁ ହରାଇ ସେ ଏବେ ଫାଇନାଲକୁ ଏଣ୍ଟ୍ରି କରିଛନ୍ତି । ଏହି ବିଜୟ ପରେ ଭାରତର ମେଡାଲ ଆଶା ଆହୁରି ବଢି ଯାଇଛି । ଇଣ୍ଡିଆନ ଷ୍ଟାର ବ୍ୟାଡ ମିଣ୍ଟନ ପ୍ଲେୟର ସାଇନା ଏବଂ ପ୍ରଣୟ ଟୁର୍ଣ୍ଣାମେଣ୍ଟରୁ ବାଦ ପଡିବା ପରେ ଏବେ ଦେଶକୁ ମେଡାଲ ଆଣିବା ପାଇଁ ସିନ୍ଧୁଙ୍କ ଉପରେ ରହିଛି ନଜର ।

ପ୍ରଥମରୁ ହିଁ ଜାପାନ ଖେଳାଳିଙ୍କ ଉପରେ ଭାରୀ ପଡିଥିଲେ ସିନ୍ଧୁ । ସାଇନା କାବାକାମୀଙ୍କଠାରୁ ପ୍ରଥମରୁ ଆଗୁଆ ରହିବାର ଫାଇଦା ସେ ଶେଷରେ ପାଇଥିଲେ । ଗୋଟିଏ ସମୟରେ ୧୧-୮ରେ ଆଗୁଆ ରହିଥିବା ବେଳେ ସର୍ଭିସ ଏବଂ କ୍ରସ କୋର୍ଟର ଦମଦାର ଖେଳ ଦେଖାଇ ସିନ୍ଧୁଙ୍କ ବରାବର ପହଞ୍ଚିଥିଲେ । ଏହାପରେ ଉଭୟଙ୍କ ମଧ୍ୟରେ ଗୋଟିଏ ଅଙ୍କ ପାଇଁ କଡା ମୁକାବିଲା ଦେଖିବାକୁ ମିଳିଥିଲା । କିନ୍ତୁ ସିନ୍ଧୁ ନିଜ ଅଭିଜ୍ଞତାର ଫାଇଦା ଉଠାଇଥିଲେ । ପ୍ରଥମ ଗେମକୁ ୨୧-୧୫ରେ ବିଜୟୀ ହୋଇଥିଲେ ପିଭି ସିନ୍ଧୁ ।

ସେହିପରି ଦ୍ୱିତୀୟ ଗେମରେ ଏହି ଧାରାକୁ ବଜାୟ ରଖିବା ସହ ସାଇନାଙ୍କୁ କମବ୍ୟାକ କରିବା ପାଇଁ ସିନ୍ଧୁ କୌଣସି ସୁଯୋଗ ଦେଇ ନଥିଲେ । ୫-୦ରେ ଆଗୁଆ ରହିଥିବା ବେଳେ ଗେମ ଏକଦା ୯-୩ରେ ପହଞ୍ଚିଥିଲା ଏବଂ ପରେ ୨୧-୭ରେ ଏହି ଗେମକୁ ମଧ୍ୟ ନିଜ ନାମରେ କରିଥିଲେ ଇଣ୍ଡିଆନ ଷ୍ଟାର । ଏଥିସହିତ ଜାପାନକୁ ମାତ ଦେଇ ଫାଇନାଲରେ ପାଦ ଥାପିଛନ୍ତି ସିନ୍ଧୁ । ତେବେ ଫାଇନାଲ ଟିକେଟ ସିନ୍ଧୁଙ୍କୁ ମିଳିବା ପରେ ଭାରତର ମେଡାଲ ଆଶା ଆହୁରି ବଢିଯାଇଛି ।

ସେମି ଫାଇନାଲ ପୂର୍ବରୁ କ୍ୱାର୍ଟରରେ ବିଶ୍ୱର ୧୯ତମ ଖେଳାଳି ହାନ ୟୁ’ଙ୍କୁ ୧୭-୨୧-୨୧-୧୧ ଏବଂ ୨୧-୧୯ରେ ହରାଇ ସେମିଫାଇନାଲକୁ ପ୍ରବେଶ କରିଥିଲେ । ଏକ ଘଣ୍ଟା ୨ ମିନିଟ ପର୍ଯ୍ୟନ୍ତ ଚାଲିଥିବା ଏହି ମ୍ୟାଚରେ ଉଭୟଙ୍କ ମଧ୍ୟରେ କଡା ମୁକାବିଲା ଦେଖିବାକୁ ମିଳିଥିଲା । ତେବେ ଶେଷରେ ସିନ୍ଧୁ ଏହି ମ୍ୟାଚ ଜିତି ସେମିରେ ମାରିଥିଲେ ଦମଦାର ଏଣ୍ଟ୍ରି । ଅନ୍ୟ ପକ୍ଷରେ ଜାପାନର କାବାକାମୀ କ୍ୱର୍ଟର ଫାଇନାଲରେ ଥାଇଲାଣ୍ଡର ପର୍ଣ୍ଣପାବି ଚୋଚ୍ୟୁଙ୍ଗଙ୍କ ଉପରେ ବିଜୟ ପ୍ରାପ୍ତ କରି ଫାଇନାଲକୁ ଆସିଥିଲେ ।

 

Get real time updates directly on you device, subscribe now.