କାନାଡ଼ାର ୱାନଟେଡ୍ ଲିଷ୍ଟରୁ ହଟିଲା କୁଖ୍ୟାତ ଗ୍ୟାଙ୍ଗଷ୍ଟରଙ୍କ ନାଁ, ଜାଣନ୍ତୁ ଭାରତ ସହ ରହିଛି କ’ଣ କନେକସନ ?

ନୂଆଦିଲ୍ଲୀ: କାନାଡ଼ାରେ ହଠାତ କୁଖ୍ୟାତ ଗ୍ୟାଙ୍ଗଷ୍ଟର ଗୋଲ୍ଡି ବ୍ରାରଙ୍କ ନାଁ ୱାନଟେଡ୍ ତାଲିକାରୁ ହଟାଇଦିଆଯାଇଛି । ବର୍ତ୍ତମାନ ସେ ଉତ୍ତର ଆମେରିକାରେ ସକ୍ରିୟ ଥିବା ଜଣାପଡ଼ିଛି । କାନାଡୀୟ ଅଧିକାରୀଙ୍କ ସହ ଭାରତର ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇ ଏବଂ ଗୋଲ୍ଡି ବରାଡ଼ଙ୍କ ନାଁ ଶେୟାର କରାଯାଇଥିଲା । ସେଠାରେ ତାଙ୍କ ନାଁ ୱାନଟେଡ୍ ତାଲିକାରେ ଥିବା ନେଇ ଭାରତର ରାଷ୍ଟ୍ରଦୂତ ସଞ୍ଜୟ ବର୍ମା ଦାବି କରିଥିଲେ । କିନ୍ତୁ ବର୍ତ୍ତମାନ ଗୋଲ୍ଡି ବରାଡ଼ଙ୍କ ନାଁ ଏହି ତାଲିକାରୁ ହଟାଯାଇଛି ।

ଏକ ସମାଚାର ଏଜେନ୍ସିଙ୍କ ସହ କଥାବାର୍ତ୍ତା ହେଉଥିବା ସମୟରେ ସଞ୍ଜୟ ବର୍ମା କହିଥିଲେ କି ଖାଲିସ୍ତାନୀ ଆତଙ୍କବାଦୀ ହରଦୀପ ସିଂହ ନିଜ୍ଜରଙ୍କ ହତ୍ୟା ଏକ ଭୁଲ ଥିଲା ଏବଂ ସମ୍ପୂର୍ଣ୍ଣ ଯାଞ୍ଚ୍ ପରେ ସତ୍ୟ ସାମ୍ନାକୁ ଆସିବା ଉଚିତ । ସେ ଆହୁରି ମଧ୍ୟ କହିଥିଲେ କି ଗୋଲ୍ଡି ବ୍ରାର କାନାଡାରେ ରହୁଥିଲା । ଆମ ଅନୁରୋଧ କ୍ରମେ ତାଙ୍କୁ ୱାନଟେଡ୍ ତାଲିକାରେ ରଖାଯାଇଥିଲା । ବର୍ତ୍ତମାନ ତାଙ୍କ ନାଁ ଏହି ତାଲିକାରୁ ହଟାଇଦିଆଯାଇଛି । ଏହାର ମାନେ କ’ଣ ? ଏବେ ତାଙ୍କୁ ଗିରଫ କରାଯାଇଛି କିମ୍ବା ୱାନଟେଡ୍ ନୁହେଁ । କହିରଖୁଛୁ ବରାଡ଼ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗର ସଦସ୍ୟ ଏବଂ ୨୦୨୨ରେ ପଞ୍ଜାବି ଗାୟକ ସିଦ୍ଦୁ ମୁସେୱାଲାଙ୍କ ହତ୍ୟା ଦିୟିତ୍ୱ ନେବା ପରେ ସେ ଚର୍ଚ୍ଚାକୁ ଆସିଥିଲେ । କିନ୍ତୁ ରିପୋର୍ଟ ଅନୁଯାୟୀ ଏବେ ସେ ବିଭିନ୍ନ ଗ୍ୟାଙ୍ଗ ଚଲାଉଛନ୍ତି । ସେ କହିଛନ୍ତି କି ଭାରତ ଗୋଲ୍ଡି ବ୍ରାର ଏବଂ ଲରେନ୍ସ ବିଷ୍ଣୋଇଙ୍କ ନାଁ ରୟାଲ କାନାଡିୟାନ ମାଉଣ୍ଟେଡ୍ ପୋଲିସ(RCMP) ସହ ଶେୟାର କରିଥିଲେ ।

କିଏ ଏହି ଗୋଲ୍ଡି ବ୍ରାର ?

୧୯୯୪ ମସିହାରେ ଜନ୍ମ ଗ୍ରହଣ କରିଥିଲେ ଗୋଲ୍ଡି ବ୍ରାର । ସେ ପଞ୍ଜାବ ଫରିଦାକୋଟ ଜିଲ୍ଲାର ମୂଳ ନିବାସୀ । ତାଙ୍କ ପିତା ପଞ୍ଜାବ ପୋଲିସରେ ଆସିଷ୍ଟେଣ୍ଟ ସବ୍ ଇନ୍ସପେକ୍ଟର ଥିଲେ । କାକା ଭାଇ ଗୁରଲାଲ ବରାଡ଼ଙ୍କ ହତ୍ୟା ପରେ ଅପରାଧ ଦୁନିଆରେ ଗୋଲ୍ଡି ବରାଡ଼ଙ୍କ ଏନ୍ଟ୍ରି ହୋଇଥିଲା । ଏହି ହତ୍ୟାକାଣ୍ଡରେ ୟୁଥ୍ କଂଗ୍ରେସ ଲିଡର ଗୁରଲାଲ ପହଲୱାନଙ୍କ ନାଁ ସାମ୍ନାକୁ ଆସିଥିଲା । ଏହା ପରେ ଗୋଲ୍ଡି ଗୁରଲାଲଙ୍କୁ ହତ୍ୟା କରିଥିଲେ । ପରେ ୨୦୨୨ ମେ ୨୯ରେ ସେ ପଞ୍ଜାବି ଗାୟକ ତଥା କଂଗ୍ରେସ ଦଳ ନେତା ସିଦ୍ଦୁ ମୁସେୱାଲାଙ୍କୁ ହତ୍ୟା କରିଥିଲେ । ସୂଚନାଯୋଗ୍ୟ ୨୦୨୧ରୁ ସେ କାନାଡ଼ାରେ ରହିଆସୁଛନ୍ତି । ତେବେ ଏହି ହତ୍ୟାକାଣ୍ଡ ପରେ ଗୋଲ୍ଡି କାନାଡ଼ା ପଳାୟନ କରିଥିଲେ । ଏଠାରୁ ସେ ପଞ୍ଜାବରେ ଘଟୁଥିବା ବିଭିନ୍ନ ଅପରାଧ ପାଇଁ ଷଡ଼ଯନ୍ତ୍ର କରୁଥିଲେ । ପଞ୍ଜାବ ପୋଲିସ ପାଖରେ ତାଙ୍କର ୫ଟି ଭିନ୍ନ ଭିନ୍ନ ଫଟୋ ରହିଛି । କିନ୍ତୁ ସେ ପରିସ୍ଥିତି ସହ ନିଜ ଚେହେରା ବଦଳାଉଥିବା ଜଣାପଡ଼ିଛି । ଗୋଲ୍ଡି A+ କ୍ୟାଟେଗରୀର ଗ୍ୟାଙ୍ଗଷ୍ଟର ଏବଂ କୋର୍ଟ ତାଙ୍କୁ ପଳାତକ ଘୋଷଣା କରିଛି ।