ବେଡ଼ରେ ପଡ଼ିଥିଲେ ରୋଗୀ, ରିଲ୍ସ ପ୍ରେମରେ ମଜିଯାଇଥିଲେ ଡାକ୍ତର, ଆଉ ତା ପରେ…

ବେଡ଼ରେ ଯନ୍ତ୍ରଣାରେ ଛଟପଟ ହେଉଥିଲେ ରୋଗୀ। ହେଲେ ଫୋନରେ ରିଲ୍ସ ନିଶାରେ ବୁଡ଼ି ରହିଥିଲେ ଡାକ୍ତର। ଶେଷରେ ଚାକିତ୍ସା ଅଭାବରୁ ଚାଲିଗଲା ନିରୀହ ଜୀବନ।

ଉତ୍ତରପ୍ରଦେଶ: ରିଲ୍ସ ନିଶା ଏବେ ଛୋଟ ପିଲାଠୁ ଆରମ୍ଭ କରି ବୟସ୍କ ବ୍ୟକ୍ତି ପର୍ଯ୍ୟନ୍ତ ସମସ୍ତଙ୍କୁ ଘାରିଛି। ହେଲେ ଏବେ ସେହି ରିଲ୍ସ ଜଣେ ରୋଗୀଙ୍କ ଜୀବନ ନେଇଯାଇଛି। ତାହା ପୁଣି ହସ୍ପିଟାଲରେ।

ଡାକ୍ତରଙ୍କ ରିଲ୍ସ ନିଶା ପାଇଁ ଚିକିତ୍ସା ଅଭାବରୁ ଚାଲିଯାଇଛି ରୋଗୀଙ୍କ ଜୀବନ। ଯାହାର ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ଯାହାକୁ ଦେଖି ଅନେକ ଏହାକୁ ନିନ୍ଦା କରିବା ସହ ଏକ ଅଭାବନୀୟ ଘଟଣା ବୋଲି କହୁଛନ୍ତି।

ଡ଼ାକ୍ତରଙ୍କ ରିଲ୍ସ ନିଶା: ତେବେ ଘଟଣାଟି ହେଉଛି ଉତ୍ତରପ୍ରଦେଶର ମୈନପୁରୀ ଜିଲ୍ଲାର। ମୃତକ ମହିଳାଙ୍କ ବୟସ ୬୦ ବର୍ଷ ବୋଲି ସୂଚନା ମିଳିଛି। ଏକ ହସ୍ପିଟାଲରେ ମହିଳା ଜଣକ ଚିକିତ୍ସିତ ହେବାକୁ ଆସିଥିଲେ।

ସେ ଯନ୍ତ୍ରଣାରେ ଛଟପଟ ହେଉଥିଲେ। ହେଲେ ଡାକ୍ତର ଜଣକ ରୋଗୀଙ୍କ ଚିକିତ୍ସା କରିବା ବଦଳରେ ରିଲ୍ସ ଦେଖିବାରେ ଭୋଳ ଥିଲେ। 15 ମିନିଟ୍ ପର୍ଯ୍ୟନ୍ତ ରୋଗୀ ଜଣକ କଷ୍ଟରେ ଚିତ୍କାର କରୁଥିଲେ।

କିନ୍ତୁ ଡାକ୍ତରଙ୍କର ସେ ପ୍ରତି ଦୃଷ୍ଟି ନଥିଲା। ଶେଷରେ କଷ୍ଟ ଯନ୍ତ୍ରଣା ସହି ନପାରି ରୋଗୀ ଜଣକ ହସ୍ପିଟାଲ ବେଡ଼ରେ ଆଖି ବୁଜିଦେଲେ। ଯାହାକି ପ୍ରକୃତରେ ଏକ ଅଭାବନୀୟ ଘଟଣା।

ପୁଅଙ୍କ ପ୍ରତିକ୍ରିୟା: ମୃତକ ମହିଳାଙ୍କ ପୁଅଙ୍କ ଅଭିଯୋଗ, ତାଙ୍କ ମାଆଙ୍କୁ ଜରୁରୀକାଳୀନ ଓ୍ୱାର୍ଡ଼ରେ ରଖାଯାଇଥିଲା। ହେଲେ ଡାକ୍ତର ତାଙ୍କର ଚିକିତ୍ସା ନକରି ନର୍ସଙ୍କୁ କହିଥିଲେ।

କିନ୍ତୁ ମାଆଙ୍କର ଦେହ ଅଧିକ ଖରାପ ହେବାକୁ ଲାଗିଲା। ଏପରିକି ତାଙ୍କ ମାଆଙ୍କ ପାଟିରୁ ରକ୍ତ ବାହାରିଲା। ତେଣୁ ସେମାନେ ଡାକ୍ତରଙ୍କ ଗୋଡ ଧରି ମଧ୍ୟ ଚିକିତ୍ସା କରିବାକୁ ଅନୁରୋଧ କଲେ।

ପାଖାପାଖି 15 ମିନିଟ୍ ପରେ ତାଙ୍କ ମାଆଙ୍କ ଡୀବନ ଚାଲିଗଲା। ଏହାମଧ୍ୟ ଅଭିଯୋଗ ହୋଇଛି କି ଡାକ୍ତର ଫୋନ ଦେଖିବାରେ ବ୍ୟସ୍ତ ଥିଲେ। ତେଣୁ ତାଙ୍କୁ ଚିକିତ୍ସା କରିବାକୁ କହିବାରୁ ତାଙ୍କୁ ଡାକ୍ତର ମାଡ଼ ମଧ୍ୟ ମାରିଥିବା ଅଭିଯୋଗ କରିଛନ୍ତି ପୁଅ।

ଏପରିକି ସିସିଟିଭି ଫୁଟେଜ ସାମ୍ନାକୁ ଆସିବା ପରେ ଡାକ୍ତରଙ୍କ ସମସ୍ତ କାର୍ଯ୍ୟକଳାପ ସାମ୍ନାକୁ ଆସିଛି। ପରେ ପ୍ରଶାସନ ତଦନ୍ତ ମଧ୍ୟ ଆରମ୍ଭ କରିଛି।