‘ଟଙ୍କା ଦୁର୍ବଳ ହେଉ ନାହିଁ, ବରଂ ଆମେରିକୀୟ ଡଲାର ଶକ୍ତିଶାଳୀ ହେଉଛି’, ହ୍ରାସ ପାଉଥିବା ଟଙ୍କାର ମୂଲ୍ୟକୁ ନେଇ ଅର୍ଥମନ୍ତ୍ରୀଙ୍କ ଯୁକ୍ତି
ନୂଆଦିଲ୍ଲୀ: ଭାରତୀୟ ଟଙ୍କା ବର୍ତ୍ତମାନ ବିଦେଶୀ ମୁଦ୍ରା ତୁଳନାରେ ଅତ୍ୟନ୍ତ ନୈରାଶ୍ୟଜନକ ସ୍ଥିତିରେ ରହିଛି। ବିଶେଷ କରି ଡଲାର ତୁଳନାରେ ରେକର୍ଡ ନିମ୍ନ ସ୍ତରରେ ରହିଛି। ଏହାରି ମଧ୍ୟରେ ୱାସିଙ୍ଗଟନ୍ ଡିସିରେ ଗଣମାଧ୍ୟମକୁ ସମ୍ବୋଧନ କରିବା ସମୟରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏହାକୁ ନେଇ ନିଜର ମତ ରଖିଛନ୍ତି। ଏକ ପ୍ରଶ୍ନର ଉତ୍ତରରେ ଅର୍ଥମନ୍ତ୍ରୀ କହିଛନ୍ତି ଯେ, ‘ଭାରତୀୟ ଟଙ୍କା ଦୁର୍ବଳ ହେଉ ନାହିଁ, ବରଂ ଆମେରିକୀୟ ଡଲାର ଶକ୍ତିଶାଳୀ ହେଉଛି।’ ଅର୍ଥମନ୍ତ୍ରୀ ଏହା ମଧ୍ୟ କହିଛନ୍ତି ଯେ, ଆମେରିକୀୟ ଡଲାର ମଜବୁତ୍ ହେବାରୁ ଅନ୍ୟ ସବୁ ମୁଦ୍ରାର ମୁଲ୍ୟ ମଧ୍ୟ ହ୍ରାସ ପାଇଛି।
ତେବେ ଅନ୍ୟ ବିକଶିତ ଦେଶର ମୁଦ୍ରା ତୁଳନାରେ ଭାରତୀୟ ଟଙ୍କା ଡଲାର ତୁଳନାରେ ଭଲ ସ୍ଥିତିରେ ଅଛି ବୋଲି ଅର୍ଥମନ୍ତ୍ରୀ କହିଥିଲେ। ବର୍ତ୍ତମାନ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆମେରିକା ଗସ୍ତରେ ଥିବା ବେଳେ ସେଠାରେ ସେ ଭାରତର ବିକାଶ ତଥା ମଜବୁତ୍ ଅର୍ଥନୀତି ବିଷୟରେ କହିଥିଲେ। କିଛି ଦିନ ତଳେ ଟଙ୍କା ଡଲାର ତୁଳନାରେ ସର୍ବନିମ୍ନ ୮୨.୬୯କୁ ଖସି ଯିବା ପରେ ଅର୍ଥମନ୍ତ୍ରୀଙ୍କ ଉତ୍ତର ଆସିଛି।
ଭାରତୀୟ ରିଜର୍ଭ ବ୍ୟାଙ୍କ(ଆରବିଆଇ) ଦୁର୍ବଳ ହେବାରେ ଲାଗିଥିବା ଟଙ୍କାର ସ୍ଥିତିକୁ ସଜାଡ଼ିବା ପାଇଁ ପ୍ରୟାସ ଜାରି ରଖିଛି। ତେବେ ବଜାରରେ କିପରି ବଡ଼ ହଲଚଲ ନହେଉ ସେ ଦିଗ ପ୍ରତି ଆରବିଆଇର ବିଶେଷ ଧ୍ୟାନ ରହିଛି। ଏହି କାରଣରୁ ଭାରତୀୟ ଟଙ୍କାର ମୁଲ୍ୟକୁ ନିୟନ୍ତ୍ରଣ କରିବା ପାଇଁ କୌଣସି ହସ୍ତକ୍ଷେପ କରୁ ନାହିଁ।