fbpx

୨୬ ବର୍ଷ ପୂର୍ବେ ଟାଇଟାନିକ୍ ପାଖରୁ ମିଳିଥିଲା ସିଗ୍ନାଲ

୧୪-୧୫ ଏପ୍ରିଲ ୧୯୧୨ ମସିହା ରାତିର ଘଟଣା । ଆଟଲାଣ୍ଟିକ୍ ମହାସାଗରରେ ଅନେକ ଜାହାଜ ଯାଆସ କରୁଥିଲେ । ଏହି ସମୟରେ ଆଉ ଏକ ବିରାଟ ଜାହାଜ ମଧ୍ୟ ଯାଉଥିଲା, ଟାଇଟାନିକ୍ । କୁହାଯାଉଥିଲା ଏହି ଜାହାଜ କେବେବି ବୁଡିବନି । କିନ୍ତୁ ବିଶାଳ ବରଫ ସହ ଧକ୍କା ହୋଇ ଏହା ପ୍ରାୟ ୨ ଘଣ୍ଟା ୪୦ ମିନିଟରେ ଆଟଲାଣ୍ଟିକ୍ ମହାସାଗରରେ ସବୁଦିନ ପାଇଁ ଲୀନ ହୋଇଯାଇଥିଲା । କେବଳ ଟାଇଟାନିକ୍ ନୁହେଁ, ସମୁଦ୍ର ବକ୍ଷରେ ଆଜି ମଧ୍ୟ ଏମିତି ଅନେକ ଜାହାଜର ଭଗ୍ନାବଶେଷ ରହିଛି ଯାହା ଧିରେ ଧିରେ ପାଣିରେ ସଢୁଛି ।

ତେବେ ଆମେ ଟାଇଟାନିକ୍ କଥା କହୁନୁ ବରଂ କହୁଛୁ ୨୬ ବଷ ପୂର୍ବେ ମିଳିଥିବା ସିଗ୍ନାଲ କଥା ଯାହା ଟାଇଟାନିକ ନିକଟରୁ ମିଳିଥିଲା, ଏବଂ ଏତେ ବର୍ଷ ପରେ ବୈଜ୍ଞାନିକଙ୍କ ହାତରେ ଧରାପଡିଛି । ୧୯୯୬ ମସିହାରେ ପିଏଚ୍ ନାର୍ଗୋଲେଟ୍ ନାମକ ଜଣେ ବୁଡାଳି ଇକୋ ସାଉଣ୍ଡିଂ ଡିଭାଇସ ଜରିଆରେ ଟାଇଟାନିକ୍ ପାଖରେ ଏକ ରହସ୍ୟମୟ ଜିନିଷ ସମ୍ପର୍କରେ ସୂଚନା ପାଇଥିଲେ । ସେତେବେଳେ ଏ ସମ୍ପର୍କରେ ଜଣାପଡିନଥିଲା । ସେବେଠୁ ଏହି ବସ୍ତୁକୁ ଖୋଜିବା ପାଇଁ ଗବେଷକମାନେ ଅଭିଯାନ ଚଳାଇଥିଲେ । ଯେତେବେଳେ ସେହି ସ୍ଥାନରେ ସମୁଦ୍ରରେ ସନ୍ଧାନ କରାଗଲା ସେଠାରେ ଏକ ପଥର ଚଟାଣ ମିଳିଲା । ଏଠାରେ ପ୍ରବାଳ, ସ୍ପଞ୍ଜ, ଚିଙ୍ଗୁଡି ଏବଂ ଅନେକ ପ୍ରକାର ପ୍ରଜାତିର ଜୀବ ରହିବା ସମ୍ଭାବନା ରହିଛି ।

ସ୍କଟଲ୍ୟାଣ୍ଡର ଏଡିନବର୍ଗ ୟୁନିଭର୍ସିଟିରେ ସାମୁଦ୍ରିକ ଜୀବନ ବିଜ୍ଞାନ ପ୍ରଫେସର ମୁରେ ରବଟ୍ସଙ୍କ ଅନୁସାରେ ଏଠାରେ ଯେଉଁ ଜୀବ ରୁହନ୍ତି ସେମାନେ ୩-୪ କିଲୋମିଟର ତଳେ ରହୁଥିବା ଗଭୀର ମହାସାଗର ଜୀବଙ୍କଠୁ ବହୁତ ଅଲଗା । ପ୍ରଫେସର ରବର୍ଟ୍ସଙ୍କ ଅନୁସାରେ ନାର୍ଗୋଲେଟଙ୍କ ଏହି ସନ୍ଧାନ ଅତି ଚମତ୍କାର । ସମସ୍ତେ ପ୍ରଥମେ ଏହାକୁ ଜାହାଜର ଏକ ଭଗ୍ନାବଶେଷ ବୋଲି ଭାବିଥିଲେ କିନ୍ତୁ ଏହା ତାଠୁ ମଧ୍ୟ ଅଧିକ ମୂଲ୍ୟବାନ ।

ପୂର୍ବରୁ କୁହାଯାଉଥିଲା କି ଏହି ପଥର କାଦୁଅରେ ପୂର୍ଣ୍ଣ ଏବଂ ଏହାର ଉପରିଭାଗ ସମାନ ହୋଇଥିବ । କିନ୍ତୁ ପରେ ବୁଡାଳୀ ଟିମ୍ ଏହି ସ୍ଥାନକୁ ଯିବା ପରେ ଜଣାପଡିଲା କି ଏହାର ଭିନ୍ନ ଢାଞ୍ଚା ରହିଛି । ଏବେ ଏହାର ଅତି ନିକଟରୁ ନିଆଯାଇଥିବା ଫଟୋ ଏବଂ ଭିଡିଓର ବିଶ୍ଲେଷଣ କରାଯାଉଛି । ବୈଜ୍ଞାନିକଙ୍କ କହିବାନୁସାରେ ଏହା ଫଳରେ ସମୁଦ୍ରରେ ଥିବା ଜୀବଜନ୍ତୁମାନଙ୍କୁ ନେଇ ଅଧିକ ଜାଣିବାର ସୁଯୋଗ ମିଳିବ ।

Get real time updates directly on you device, subscribe now.