ଚାକିରି କ୍ଷେତ୍ରରେ ମହିଳାଙ୍କୁ ୩୫ ପ୍ରତିଶତ ସଂରକ୍ଷଣ ଦେବେ ଏହି ରାଜ୍ୟ ସରକାର

ଭୋପାଳ: ସରକାରୀ ଚାକିରି କ୍ଷେତ୍ରରେ ମହିଳାଙ୍କୁ ଅଧିକ ସଂରକ୍ଷଣ ଦେବେ ମଧ୍ୟପ୍ରଦେଶ ସରକାର । ଚାକିରି କ୍ଷେତ୍ରରେ ମହିଳାଙ୍କ ଲାଗି ୩୫ ପ୍ରତିଶତ ସଂରକ୍ଷଣ ଦେବାକୁ ନଭେମ୍ବର ୫ (ମଙ୍ଗଳାବର)ରେ ଘୋଷଣା କରାଯାଇଛି । ପୂର୍ବରୁ ମହିଳାଙ୍କୁ ୩୩ ପ୍ରତିଶତ ସଂରକ୍ଷଣ ମିଳୁଥିଲା । ମୁଖ୍ୟମନ୍ତ୍ରୀ ମୋହନ ଯାଦବଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ ବୈଠକରେ ଏଭଳି ନିଷ୍ପତ୍ତି ନିଆଯାଇଛି ବୋଲି ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଉପମୁଖ୍ୟମନ୍ତ୍ରୀ ରାଜେନ୍ଦ୍ର ଶୁକ୍ଳା ।

ମହିଳା ସଶକ୍ତିକରଣ ଦିଗରେ ସରକାରଙ୍କର ଏହା ଏକ ବଡ଼ ପଦକ୍ଷେପ ବୋଲି ସେ କହିଛନ୍ତି । ଏହା ବ୍ୟତୀତ କ୍ୟାବିନେଟ ବୖଠକରେ ହୋଇଥିବା ଅନ୍ୟ ନିଷ୍ପତ୍ତିକୁ ନେଇ ମଧ୍ୟ ଗଣମାଧ୍ୟମ ସାମ୍ନାରେ କହିଛନ୍ତି ଉପମୁଖ୍ୟମନ୍ତ୍ରୀ । ରାଜ୍ୟରେ ୨୫୪ଟି ନୂଆ ସାର ବିକ୍ରୟ କେନ୍ଦ୍ର ଖୋଲିବା ଉପରେ କ୍ୟାବିନେଟର ମୋହର ଲାଗିଛି ।

ଚାଷୀଙ୍କ ସୁବିଧା ପାଇଁ ସରକାର ଏଭଳି ପଦକ୍ଷେପ ଗ୍ରହଣ କରିଛନ୍ତି ବୋଲି ରାଜେନ୍ଦ୍ର ଶୁକ୍ଳା କହିଛନ୍ତି । ସେହିଭଳି ରାଜ୍ୟରେ ୬୬୦ ମେଗାଓ୍ବାଟର ଥର୍ମାଲ ପାଓ୍ବାର ପ୍ଲାଣ୍ଟ ସ୍ଥାପନ ହେବାକୁ ଯାଉଛି । ଏହା ବ୍ୟତୀତ ମେଡିକାଲ କଲେଜ୍ରେ ଆସିଷ୍ଟାଣ୍ଟ ପ୍ରଫେସରଙ୍କ ନିଯୁକ୍ତି ବୟସସୀମାକୁ ୪୦ରୁ ୫୦ ବର୍ଷ କରିବାକୁ କ୍ୟାବିନେଟ୍ ନିଷ୍ପତ୍ତି ନେଇଛି ବୋଲି ଉପମୁଖ୍ୟମନ୍ତ୍ରୀ ରାଜେନ୍ଦ୍ର ଶୁକ୍ଳା କହିଛନ୍ତି ।