ଆସିଲା ଭାଇରସ, ଫେରୁଛି ମାସ୍କ: HMPV ସଂକ୍ରମଣ ମାମଲା ବୃଦ୍ଧି ପରେ ଦେଶରେ ବଢିଲାଣି ଚିନ୍ତା

ଚୀନର ନୂଆ ଭାଇରସକୁ ନେଇ ଭାରତରେ ଟେନସନ୍, ମାସ୍କ ପିନ୍ଧିବାକୁ ପରାମର୍ଶ, ବଢୁଛି ଆକ୍ରାନ୍ତ ସଂଖ୍ୟା

ନୂଆଦିଲ୍ଲୀ: ଚୀନର ନୂଆ ଭାଇରସ ବର୍ତ୍ତମାନ ଭାରତରେ ଚିନ୍ତାର ବିଷୟ ପାଲଟିଛି । ଗୋଟିଏ ଦିନରେ ଦେଶରେ ୪ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଯାହାକୁ ନେଇ ମାସ୍କ ନିୟମ ଫେରାଇ ଆଣିବାକୁ ପରାମର୍ଶ ଦିଆଯାଇଛି ।

ଆଜି ଗୋଟିଏ ଦିନରେ ଭାରତରେ ୪ ଜଣ ଚୀନର ନୂଆ ଭାଇରସ HMPV ରେ ସଂକ୍ରମିତ ହୋଇଛନ୍ତି । କର୍ଣ୍ଣାଟକରୁ ୨ ଜଣ ଏହି ଭାଇରସରେ ଚିହ୍ନଟ ହୋଇଥିବା ବେଳେ ଗୁଜରାଟ ଏବଂ କୋଲକାତାରେ ୨ ଜଣ ଶିଶୁ ସଂକ୍ରମିତ ହୋଇଛନ୍ତି ।

ପୁଣି ଫେରୁଛି ମାସ୍କ: କର୍ଣ୍ଣାଟକରୁ ୨ ଟି ମାମଲା ଚିହ୍ନଟ ହେବା ପରେ ପୁଣିଥରେ ମାସ୍କ ପିନ୍ଧିବା ପାଇଁ ସରକାର ପରାମର୍ଶ ଦେଇଛନ୍ତି । ଗହଳି ସ୍ଥାନରେ ମାସ୍କ ପିନ୍ଧିବାକୁ ସ୍ୱାସ୍ଥ୍ୟ ବିଭାଗ ପରାମର୍ଶ ଦେଇଛି । ମାସ୍କ ପିନ୍ଧିଲେ ସଂକ୍ରମଣ ହ୍ରାସ ହୋଇପାରିବ ବୋଲି କହିଛି ସ୍ୱାସ୍ଥ୍ୟ ବିଭାଗ ।

ଗହଳି ସ୍ଥାନକୁ ବାରଣ: ମାସ୍କ ପିନ୍ଧିବା ସହ ଗହଳି ସ୍ଥାନକୁ ଯିବା ପାଇଁ ମଧ୍ୟ ବାରଣ କରାଯାଇଛି । HMPV ଲକ୍ଷଣ ଥିଲେ କୌଣସି ଗହଳି ସ୍ଥାନକୁ ନ ଯିବାକୁ କହିଛନ୍ତି ମହାରାଷ୍ଟ୍ର ସରକାର । ଏହାସହିତ ଛିଙ୍କ ସମୟରେ ନାକ, ପାଟି କଭର କରିବାକୁ ମଧ୍ୟ ପରାମର୍ଶ ଦିଆଯାଇଛି ।

ଦେଶରେ ୪ ଆକ୍ରାନ୍ତ: ଗୁଜରାଟ-ବେଙ୍ଗାଲୁରୁରେ HMPV ଭାଇରସ୍ ଚିହ୍ନଟ ହେବା ପରେ କୋଲକାତାରେ ଆଉ ଏକ ମାମଲା । ୬ ମାସର ଶିଶୁ ଶରୀରରେ ଐଗଚଠ ଭାଇରସ୍ ଚିହ୍ନଟ ହୋଇଛି ।

ଆଜି ବେଙ୍ଗାଲୁରୁରେ ୩ ଓ ୮ ମାସର ଦୁଇ ଜଣ ଶିଶୁ HMPV ରେ ସଂକ୍ରମିତ ହୋଇଥିବା ସୂଚନା ମିଳିଛି। ଅହମ୍ମଦାବାଦର ଚାନ୍ଦକେଡା ଅଞ୍ଚଳରେ ଜଣେ ୨ ମାସର ଶିଶୁ ଏହି ଭାଇରସରେ ଆକ୍ରନ୍ତ ହୋଇଥିବା ଜଣାପଡିଛି ।

ଭାରତର ପ୍ରାକ୍ ପ୍ରସ୍ତୁତି: ଦେଶରେ HMPV ଚିହ୍ନଟକୁ ନେଇ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି, “ଚୀନ୍‌ରୁ HMPV ଆସୁଥିବା ଖବରକୁ WHO ଏଯାବତ ସ୍ପଷ୍ଟ କରିନି ।

ଭାରତ ସରକାର ମଧ୍ୟ କୌଣସି ଆଡଭାଇଜରୀ ଜାରି କରି ନାହାନ୍ତି। ଯେ କୌଣସି ପ୍ରକାର ସ୍ୱାସ୍ଥ୍ୟ ବିପର୍ଯ୍ୟୟ ମୁକାବିଲା ପାଇଁ ରାଜ୍ୟ ପ୍ରସ୍ତୁତ। କେନ୍ଦ୍ର ସରକାରଙ୍କ ପକ୍ଷରୁ ଗାଇଡଲାଇନ୍‌ ଆସିଲେ ପଦକ୍ଷେପ ନେବୁ।