ନୂଆଦିଲ୍ଲୀ: ଯମୁନା ନଦୀରେ କମିବାରେ ଲାଗିଛି ଜଳସ୍ତର । ନଦୀକୁ କମ ପାଣି ଛଡାଯାଉଥିବାରୁ ସ୍ୱାଭାବିକ ଅପେକ୍ଷା ଜଳସ୍ତର ସାମାନ୍ୟ କମ ରହିଛି । ଏହାଫଳରେ ଦେଶର ରାଜଧାନୀ ଦିଲ୍ଲୀର ବିଭିନ୍ନ ଅଞ୍ଚଳରେ ଜଳ ଯୋଗାଣ ଲଗାତାର ଭାବେ ପାଲଟିଛି ଏକ ବଡ ସମସ୍ୟା ।
ଗତ ୧୫ ଦିନରୁ ହରିୟାଣା ସରକାରଙ୍କ ତରଫରୁ ଦିଲ୍ଲୀର ଯମୁନା ନଦୀକୁ ପାଣି ଯଥେଷ୍ଟ କମ ପରିମାଣର ଛଡାଯାଉଥିବା ରେକର୍ଡ କରାଯାଇଛି । ଯାହା ଫଳରେ ବଜୀରାବାଦ ବ୍ୟାରେଜରେ ଏବ ଜଳସ୍ତର ୬୬୮.୩୦ ଫୁଟକୁ ଖସି ଆସିଛି । ତେବେ ସ୍ୱାଭାବିକ ଭାବରେ ଏଠାରେ ଜଳସ୍ତର ୬୭୪.୫୦ ଫୁଟ ରହିଥାଏ । ସେପଟେ ଦିଲ୍ଲୀକୁ ତା ଭାଗର ପାଣି ପର୍ଯ୍ୟାପ୍ତ ପରିମାଣରେ ଦିଆଯାଉଛି ବୋଲି ଦାବି କରିଛନ୍ତି ହରିୟାଣା ସରକାର । ରାଜଧାନୀରେ ତାପମାତ୍ରା ୪୭ ଡିଗ୍ରୀରେ ପହଞ୍ଚିଥିବା ବେଳେ ପାଣି ସମସ୍ୟା ସମସ୍ତଙ୍କ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଛି । ତେବେ ଉଚିତ ସମୟରେ ଏକ ସଠିକ ନିଷ୍ପତ୍ତି ନିଆ ନଗଲେ ଅସୁବିଧା ଆହୁରି ବଢିପାରେ ବୋଲି ଅନୁମାନ କରାଯାଉଛି ।
ଦିଲ୍ଳୀ ଜଳବୋର୍ଡ ଅନୁସାରେ, ଜଳ ସମସ୍ୟା ଯୋଗୁଁ କିରାଡି ବଧଦାନସଭା ଅଞ୍ଚଳ, ସିଭିଲ ଲାଇନ୍ସ, ହିନ୍ଦୁରାଓ ହସ୍ପିଟାଲ ଏବଂ ପରିବେଶ, କମଳା ନଗର, ଶକ୍ତି ନଗର ସମେତ ଆଖପାଖ ଅଞ୍ଚଳଗୁଡିକ ଅଧିକ ପ୍ରଭାବିତ ହେଉଛନ୍ତି । ସେହିଭଳି କରୋଳବାଗ, ପାହାଡଗଞ୍ଜ, ଏନଡିଏମସି ଅଞ୍ଚଳ, ପୁରୁଣା ଏବଂ ନୂଆ ରାଜିନ୍ଦର ନଗର, ପଟେଲ ନଗର(ପୂର୍ବ ଏବଂ ପଶ୍ଚିମ), ବଲଜିତ ନଗର, ପ୍ରେମନଗର ସହିତ ଅନେକ ଅଞ୍ଚଳ ଜଳସଂକଟରେ ପ୍ରଭାବିତ ହେବେ । ତେବେ ଲୋକମାନଙ୍କୁ ଆବଶ୍ୟକତା ଅନୁସାରେ ପାଣି ଗଚ୍ଛିତ ରଖିବା ପାଇଁ ପରାମର୍ଶ ଦେଇଛି ଜଳ ବୋର୍ଡ । ଏହାସହିତ ଆପାତକାଳୀନ ସମୟରେ ପାଣିର ଆବଶ୍ୟକତା ପଡିଲେ ଟ୍ୟାଙ୍କର ମଗାଇବା ପାଇଁ ବିଭିନ୍ନ ଅଞ୍ଚଳ ପାଇଁ ଜାରି କରାଯାଇଥିବା ହେଲ୍ପଲାଇନ ନମ୍ବର ସହ ଯୋଗାଯୋଗ କରିପାରିବେ ।