fbpx

ସାକ୍ଷୀଗୋପାଳ ମନ୍ଦିରରୁ ଚୋରି: ସିସିଟିଭିକୁ ଭାଙ୍ଗି ସୁନାରୁପା ଅଳଙ୍କାର ଓ ହୁଣ୍ଡିରୁ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ

ଓଡିଶା ଭାସ୍କର: ଓଡିଶାର ପ୍ରସିଦ୍ଧ ବୈଷ୍ଣବ କ୍ଷେତ୍ର ସାକ୍ଷୀଗୋପାଳ ମନ୍ଦିରରୁ ଗତକାଲି ବିଳମ୍ବିତ ରାତ୍ରିରେ ଚୋରି ହୋଇଥିବା ଜଣାପଡିଛି। ଏହି ଖବର ସାମ୍ନାକୁ ଆସିବା ପରେ ସାରା ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି। ତେବେ ଘଟଣାର ତଦନ୍ତ ନେଇ ପୋଲିସ ପକ୍ଷରୁ ଛାନବିନ ଆରମ୍ଭ ହୋଇଛି । ଅତିରିକ୍ତ ଏସ୍ପିଙ୍କ ସମେତ ଥାନା ଅଧିକାରୀ ଏବଂ ଏସଡିପିଓ ଉପସ୍ଥିତ ରହି ସିସିଟିଭି ଯାଞ୍ଚ କରିଛନ୍ତି । ତେବେ କେତେ ଟଙ୍କା ଚୋରି ହୋଇଛି ତାହା ଅସ୍ପଷ୍ଟ ରହିଛି।

ସୂଚନା ଅନୁଯାୟୀ, ଚୋରମାନେ ସାକ୍ଷୀଗୋପାଳ ଠାକୁରଙ୍କ ଚଳନ୍ତି ପ୍ରତିମା ମଦନମୋହନ ଦେବଙ୍କ ମନ୍ଦିର ତାଲା ଭାଙ୍ଗି ମନ୍ଦିର ପରିସରରୁ ୩ ଗୋଟି ହୁଣ୍ଡି ଓ ଠାକୁରଙ୍କର ସୁନା ଅଳଙ୍କାର ପାଉଁଜି, କୁଣ୍ଡଳ, କିରିଟି, ହାର ଆଦି ଚୋରି କରି ନେଇଯାଇଛନ୍ତି। ତମାଳ ଗଛ ମୂଳେ ସ୍ଥାପିତ ହୁଣ୍ଡିର ତାଲା ଭାଙ୍ଗି ସମସ୍ତ ଟଙ୍କା ପଇସା ଲୁଟି ନେଇଛନ୍ତି। ମନ୍ଦିର ପରିସରରେ ଥିବା ଖଟଣି ରୋଷ ଘର ମଧ୍ୟରେ ୨ ଗୋଟି ହୁଣ୍ଡୀ ଭାଙ୍ଗି ଟଙ୍କା ପଇସା ଲୁଟି ନେଇଥିଲେ। ଆଉ ଗୋଟିଏ ହୁଣ୍ଡି ନେଇ ଯାଇଛନ୍ତି। ତେବେ ଆଜି ସକାଳୁ ସେବାୟତ ମାନେ ଏହା ଦେଖିବା ପରେ ପୋଲିସକୁ ଖବର ଦେଇଥିଲେ। ମନ୍ଦିରରେ ଲାଗିଥିବା ସିସିଟିଭିକୁ ଭାଙ୍ଗି ଦୁର୍ବୃତ୍ତ ମାନେ ମନ୍ଦିରରୁ ଚୋରି କରିଥିବା ଜଣାପଡିଛି।

 

Get real time updates directly on you device, subscribe now.