fbpx

ଘୋର ଆର୍ଥିକ ସଙ୍କଟରେ ସମଗ୍ର ବିଶ୍ୱ: ଶ୍ରୀଲଙ୍କା ଅବସ୍ଥା ଭୋଗିବେ ବିଶ୍ୱର ଏହି ୧୨ଟି ଦେଶ

ନୂଆଦିଲ୍ଲୀ: ବିଶ୍ୱର ବହୁ ରାଷ୍ଟ୍ରଙ୍କ ଅବସ୍ଥା ନ କହିଲେ ଭଲ । ଶ୍ରୀଲଙ୍କା ପରି ଏକ ଡଜନ ରାଷ୍ଟ୍ର ଘୋର ଆର୍ଥିକ ସଙ୍କଟ ଦେଇ ଗତି କରୁଛନ୍ତି । ଏହି ଦେଶଗୁଡ଼ିକର ଋଣବୋଝ ବୃଦ୍ଧି ସହିତ ବିଦେଶୀ ମୁଦ୍ରା ଭଣ୍ଡାର ହ୍ରାସ ସେମାନଙ୍କର ଫାଇନାନ୍ସିଆଲ ସ୍ଥିତିକୁ ସମ୍ପୂର୍ଣ୍ଣ ଭାବେ ବିଗାଡ଼ି ଦେଇଛି । ବର୍ତ୍ତମାନ ସମୟରେ ଶ୍ରୀଲଙ୍କାର ଅବସ୍ଥା କ’ଣ ତାହା କିଏ ବା ନଜାଣେ । ଦେଶରେ ଦରଦାମ୍ ଠାରୁ ଆରମ୍ଭ କରି ସାମାଜିକ ସ୍ଥିତି ଅତ୍ୟନ୍ତ ବିପଜ୍ଜନକ ଅବସ୍ଥାରେ ରହିଛି ।

ତେବେ କେବଳ ଶ୍ରୀଲଙ୍କା ନୁହେଁ, ଲେବାନନ, ରୁଷିଆ, ସୁରିନେମ, ଜାମ୍ବିଆ ପରି ଅନେକ ଦେଶ ଋଣ ପରିଶୋଧ କରିବାର ଅସମର୍ଥ ହୋଇଛନ୍ତି । ଏହା ସହିତ ଆହୁରି ୧୨ଟି ଦେଶ ଭୟଙ୍କର ପରିସ୍ଥିତି ଦେଇ ଗତି କରୁଛନ୍ତି । ଆଗାମୀ ଦିନରେ ଏମାନଙ୍କର ଆର୍ଥିକ ସ୍ଥିତି ସମ୍ପୂର୍ଣ୍ଣ ଭୁଶୁଡ଼ିବାର ସମ୍ଭାବନା ଦେଖାଦେଇଛି । ଏହିସବୁ ଦେଶଗୁଡ଼ିକର ଋଣ ଭାରତ ୪୦ ହଜାର କୋଟି ଆମେରିକୀୟ ଡଲାର ରହିଥିବା ବିଶେଷଜ୍ଞମାନେ ମତ ଦେଇଛନ୍ତି ।

ଆର୍ଜେଣ୍ଟିନା: ଏହି ଦେଶର ମୁଦ୍ରା ପେସୋ ଏବେ କଳା ବାଜରରେ ୫୦ ପ୍ରତିଶତ ରିହାତିରେ ବିକ୍ରି ହେଉଛି । ଏହାର ମୁଦ୍ରା ଭଣ୍ଡାର ବହୁ ତଳକୁ ଚାଲି ଯାଇଛି ।

ୟୁକ୍ରେନ: ରୁଷ୍ ଆକ୍ରମଣ ପରେ ଏହି ଦେଶ ଏବେ ୨ ହଜାର କୋଟି ଋଣ ପରିଶୋଧ କରିବାରେ ଅକ୍ଷମ ହୋଇଛି ।

ଟ୍ୟୁନିସିଆ: ଏହି ଦେଶର ସରକାରଙ୍କ ପାଖରେ ବଜେଟ ନିଅଣ୍ଟ ପାଖାପାଖି ୧୦ ପ୍ରତିଶତ ରହିଛି । ସବୁଠାରୁ ବଡ଼ ଋଣ ଖିଲାପକାରୀ ଦେଶ ମଧ୍ୟରେ ଟ୍ୟୁନିସିଆ ରହିଛି ।

ଘାନା: ଏହି ଦେଶର ମୁଦ୍ରା ଚଳିତ ବର୍ଷ ପାଖାପାଖି ୨୫ ପ୍ରତିଶତ ଦୁର୍ବଳ ହୋଇଛି । ଋଣ ପରିଶୋଧ ପାଇଁ ଦେଶ ୫୦ ପ୍ରତିଶତରୁ ଅଧିକ ଟିକସ ରାଜସ୍ୱ ବ୍ୟୟ କରୁଛି ।

ଇଜିପ୍ଟ: ଏହି ଦେଶର ଋଣ ଜିଡିପି ଅନୁପାତ ପାଖାପାଖି ୯୫ ପ୍ରତିଶତ ରହିଥିବା ବେଳେ ୫ ବର୍ଷ ବର୍ଷରେ ୧୦୦ ବିଲିୟନ ଡଲାର ଋଣ ପରିଶୋଧ କରିବ ।

କେନିୟା: ଏହି ଦେଶ ମୋଟ ରାଜସ୍ୱର ୩୦ ପ୍ରତିଶତ ସୁଧ ପରିଶୋଧ ବାବଦରେ ବ୍ୟୟ କରୁଛି ।

ପାକିସ୍ତାନ: ଏହି ଦେଶ ଆର୍ଥିକ ସଙ୍କଟର ଦ୍ୱାରଦେଶରେ ରହିଛି । ଏହି ଦେଶ ସରକାରୀ ରାଜସ୍ୱର ୪୦ ପ୍ରତିଶତ ସୁଧ ପରିଶୋଧରେ ବ୍ୟୟ କରୁଛି ।

ବେଲାରୁଷ: ରୁଷ-ୟୁକ୍ରେନ ଯୁଦ୍ଧ ସମୟରେ ଏହି ଦେଶ ମସ୍କୋ ସହିତ ରହିଥିଲା । ଫଳରେ ପାଶ୍ଚାତ୍ୟ ଦେଶଗୁଡ଼ିକର କଟକଣା କାରଣରୁ ଏହି ଦେଶ ଆର୍ଥିକ ସଙ୍କଟର ସାମ୍ନା କରୁଛି ।

ଇକ୍ୱେଡର: ଦୁଇବର୍ଷ ପୂର୍ବେ ଏହି ଦେଶ ଆର୍ଥିକ ସଙ୍କଟର ସାମ୍ନା କରିଥିଲା । ଚଳିତ ବର୍ଷର ଦେଶର ଜିଡିପିର ୨.୪ ପ୍ରତିଶତ ବିତ୍ତୀୟ ନିଅଣ୍ଟ ରହିଥିବା ବେଳେ ଆସନ୍ତା ବର୍ଷ ଏହା ୨.୧ରେ ପହଞ୍ଚିବ ।

ଏଲ ସାଲଭାଡର: ବିଟକଏନକୁ ଆଇନଗତ ଟେଣ୍ଡର କରିବା ପରେ ଏହି ଦେଶ ଆଇଏମଏଫର ଟ୍ରଷ୍ଟ ହରାଇଥିଲା । ବର୍ତ୍ତମାନ ଦେଶ ଘୋର ଆର୍ଥିକ ଦଶା ଭୋଗୁଛି ।

ଇଥିଓପିଆ: କିଛି ବର୍ଷ ଧରି ଏହି ଦେଶ ଆର୍ଥିକ ସଙ୍କଟ ଦେଇ ଗତି କରୁଛି । ଏହି ଦେଶର ରାଜଧାନୀ ଆଫ୍ରିକାରେ ଅଷ୍ଟମ ଧନୀ ସହରର ମାନ୍ୟତା ଲାଭ କରିଥିବା ବେଳେ ଏହାର ଅବସ୍ଥା ଏବେ ଶୋଚନୀୟ ହୋଇପଡ଼ିଛି ।

ନାଇଜେରିଆ: ଏହି ଦେଶର ସ୍ଥିତି ଅତ୍ୟନ୍ତ କଠିନ ରହିଛି । ଦେଶର ତା’ର ରାଜସ୍ୱର ୩୦ ପ୍ରତିଶତ ଅର୍ଥ ଋଣ ପରିଶୋଧ କରୁଥିବା ଜଣାପଡ଼ିଛି ।

Get real time updates directly on you device, subscribe now.