ଏହିସବୁଥିରେ ଲୋକମାନେ କରୁଛନ୍ତି ଅଧିକ ବ୍ୟୟ: ସର୍ବେକ୍ଷଣରୁ ଖୁଲାସା

ଗତ ଏକ ଦଶନ୍ଧି ଭିତରେ ଉଭୟ ଗୟାମାଞ୍ଚଳ ଓ ସହରାଞ୍ଚଳରେ ଲୋକଙ୍କ କିଣାକିଣି କ୍ଷମତା ବଢ଼ିଛି। ଏପରିକି ଏହା ଗ୍ରାମାଞ୍ଚଳରେ ମୁଣ୍ଡପିଛି ଡାରାହାରି ଉପଭୋକ୍ତା ଖର୍ଚ୍ଚ ୧୮୮% ବଢ଼ିଥିବା ବେଳେ ସହରାଞ୍ଚଳରେ ୧୬୬% ବୃଦ୍ଧି ପାଇଛି। ଏ ବିଷୟକୁ ସ୍ପଷ୍ଟ କରିଛି ପାରିବାରିକ ଉପଭୋାକ୍ତା ବ୍ୟୟ ସର୍ବେକ୍ଷଣ- ୨୦୨୩-୨୪। ଏହି ସର୍ବେକ୍ଷଣ ଅନୁସାରେ ବର୍ତ୍ତମାନ ଭାରତର ଗ୍ରାମାଞ୍ଚଳରେ ମୁଣ୍ଡପିଛା ବ୍ୟୟ ହାର ୪,୧୨୨ ଟଙ୍କା ଥିବା ବେଳେ ସହରାଞ୍ଚଳରେ ୬,୯୯୬ ଟଙ୍କା ରହିଛି । ଉପଭୋକ୍ତାମାନେ ମୌଳିକ ଆବଶ୍ୟକତା ପାଇଁ ବ୍ୟୟଠାରୁ ଆଗକୁ ବଢ଼ି ଅଣଖାଦ୍ୟ ସାମଗ୍ରୀ ପାଇଁ ଅଧିକ ଖର୍ଚ୍ଚ କରୁଛନ୍ତି ବୋଲି ଏହି ରିପୋର୍ଟରେ ଦର୍ଶାଯାଇଛି ।

ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ମୃଦୁ ପାନୀୟ, ଜଳଖିଆ ଓ ପ୍ରକ୍ରିୟାକରଣ ଖାଦ୍ୟ ପାଇଁ ଲୋକମାନେ ଅଧିକ ବ୍ୟୟ କରୁଥିବା ୨୦୨୩-୨୪ ସର୍ବେକ୍ଷଣରେ କୁହାଯାଇଛି। ଉଭୟ ଗ୍ରାମାଞ୍ଚଳ ଓ ସହରାଞ୍ଚଳର ପରିବାରଗୁଡ଼ିକ ଅଣଖାଦ୍ୟ ଖର୍ଚ୍ଚ ବାବଦରେ ପରିବହନ, ପୋଷାକ, ଶଯ୍ୟା, ଜୋତା, ବିବିଧ ସାମଗ୍ରୀ ଏବଂ ମନୋରଞ୍ଜନ ଓ ଦୀର୍ଘସ୍ଥାୟୀ ସାମଗ୍ରୀ ପାଇଁ ଅଧିକ ଟଙ୍କା ଖର୍ଚ୍ଚ କରିଛନ୍ତି। ସେହିପରି ଘର, ଗ୍ୟାରେଜ୍‌ ଭଡ଼ା ଏବଂ ହୋଟେଲ ରହଣି ଖର୍ଚ୍ଚ ମଧ୍ୟ ବୃଦ୍ଧି ପାଇଥିବା ଏହି ରିପୋର୍ଟରେ ଦର୍ଶାଯାଇଛି।

ପାରିବାରିକ ଉପଭୋକ୍ତା ବ୍ୟୟ ସର୍ବେକ୍ଷଣ (ଏଚସିଇଏସ୍) ପରିବାରଗୁଡ଼ିକ ଦ୍ୱାରା ଦ୍ରବ୍ୟ ଏବଂ ସେବାର ମୁଣ୍ଡପିଛା ଉପଯୋଗ ବିଷୟରେ ସୂଚନା ସଂଗ୍ରହ କରିବା ପାଇଁ ପ୍ରସ୍ତୁତ କରାଯାଇଥାଏ। ଏଚସିଇଏସରେ ସଂଗୃହୀତ ସୂଚନା ପରିବାରର ଉପଯୋଗ ଏବଂ ବ୍ୟୟ ଢାଞ୍ଚା, ଜୀବନଧାରଣର ମାନ ଓ କଲ୍ୟାଣ ବୁଝିବାରେ ସହାୟକ ହୋଇଥାଏ।

ଗତ ଏକ ଦଶନ୍ଧି ମଧ୍ୟରେ ଭାରତର ଆର୍ଥିକ ପରିଦୃଶ୍ୟରେ ଦ୍ରବ୍ୟ ଓ ସେବାର ଉପଯୋଗ କ୍ଷେତ୍ରରେ ରୂପାନ୍ତରଣକାରୀ ପରିବର୍ତ୍ତନ ଦେଖିବାକୁ ମିଳିଛି । ୨୦୧୧-୧୨ ତୁଳନାରେ ୨୦୨୩-୨୪ ଏଚସିଇଏସରେ ଏହାର ସ୍ପଷ୍ଟ ଚିତ୍ର ଦେଖିବାକୁ ମିଳିଛି । ଉଭୟ ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ବର୍ତ୍ତମାନର ଦରଦାମରେ ଦ୍ରବ୍ୟ ଓ ସେବା ଉପଯୋଗ ବାବଦ ବ୍ୟୟ ତିନିଗୁଣ ବୃଦ୍ଧି ପାଇଛି। ଏହି ଉଲ୍ଲେଖନୀୟ ବୃଦ୍ଧି ଆର୍ଥିକ ସଶକ୍ତିକରଣ ଏବଂ ସାରା ଦେଶରେ ଭାରତୀୟ ଉପଭୋକ୍ତାଙ୍କର କ୍ରୟ ଶକ୍ତି ସୁଦୃଢ଼ ହେବାକୁ ଦର୍ଶାଉଛି ।

କେବଳ ସେତିକି ନୁହେଁ ସହରାଞ୍ଚଳ ଓ ଗ୍ରାମାଞ୍ଚଳରେ ରହିଥିବା ଏମପିସିଇ ବ୍ୟବଧାନ ୨୦୧୧-୧୨ରେ ୮୪% ଥିବା ବେଳେ ୨୦୨୩-୨୪ରେ ଏହା ୭୦%କୁ ହ୍ରାସ ପାଇଛି । ଏଥିରେ ୧୬% ହ୍ରାସ ଦେଖିବାକୁ ମିଳିଛି । ୨୦୨୨-୨୩ରେ ସହରାଞ୍ଚଳ-ଗ୍ରାମାଞ୍ଚଳ ଏମପିସିଇ ବ୍ୟବଧାନ ୭୧% ଥିଲା।

ଆୟ ଅସମାନତାକୁ ମାପିବା ପାଇଁ ବ୍ୟବହାର କରାଯାଉଥିବା ଏକ ମାପକ ‘ଗିନି କୋଏଫିସିଏଣ୍ଟ’କୁ ଆଧାର କରି ଦେଖିଲେ ଭାରତରେ ଉପଯୋଗ ବ୍ୟୟ କ୍ଷେତ୍ରରେ ଅସମାନତା ମଧ୍ୟ ହ୍ରାସ ପାଇଥିବା ଜଣାପଡ଼ିଥାଏ। ଗତ ଏକ ଦଶନ୍ଧି ମଧ୍ୟରେ ଭାରତ ଅଧିକ ସମାନତାପୂର୍ଣ୍ଣ ଆର୍ଥିକ ଅଭିବୃଦ୍ଧି ଦିଗରେ ଉଲ୍ଲେଖନୀୟ ପ୍ରଗତି କରିଥିବା ଜଣାପଡ଼ିଥାଏ। ଉଭୟ ଗ୍ରାମାଞ୍ଚଳ ଏବଂ ସହରାଞ୍ଚଳରେ ଗିନି କୋଏଫିସିଏଣ୍ଟ ବିଶେଷ ଭାବେ ହ୍ରାସ ପାଇଥିବା ଏଚସିଇଏସ:୨୦୨୩-୨୪ରେ ଜଣାପଡ଼ିଥାଏ।