ଇଏ ହେବେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ, ଜଣାପଡିଲା ନାଁ

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେସରେ ଅନେକ ନାଁ। ହେଲେ ଶୀର୍ଷ ନେତୃତ୍ୱଙ୍କ ନଜରରେ ରହିଛି ଟାଣୁଆ ଚେହେରା। ଯିଏ ସମ୍ଭାଳି ପାରିବ ଦିଲ୍ଲୀ ରାଜନୀତିର ମଙ୍ଗ। ସାମ୍ନାକୁ ଆସିଲା ନାଁ!

ନୂଆଦିଲ୍ଲୀ: କାହା ମୁଣ୍ଡରେ ପିନ୍ଧାହେବ ମୁକୁଟ। ଶୀର୍ଷ ନେତୃତ୍ୱଙ୍କ ନଜରରେ କିଏ ? ଯାହାକୁ ଦିଆଯିବ ଦିଲ୍ଲୀ ସିଂହାସନର ଦାୟିତ୍ୱ। ରେସରେ ତ ରହିଛି ଅନେକଙ୍କ ନାଁ। ହେଲେ ମୁଖିଆ କାହା ଉପରେ ଭରସା କରିବେ।

ତାକୁ ନେଇ ଆରମ୍ଭ ହୋଇଯାଇଛି ଚର୍ଚ୍ଚା। ଯେତେବେଳେ କି ବିଜେପି ଦିଲ୍ଲୀ ସିଂହାସନକୁ ଅକ୍ତିଆର କରିସାରିଛି। ଆଉ ମ୍ୟାଜିକ୍ ନମ୍ୱର ପାର କରିସାରିଛି। ତେଣୁ ମୁଖ୍ୟମନ୍ତ୍ରୀ କିଏ ହେବ ତାକୁ ନେଇ ଚାଲିଛି କଳ୍ପନା ଜଳ୍ପନା। ଆଉ ଏହି ଦ୍ୱନ୍ଦ୍ୱ ଭିତରେ ଆଗରେ ରହିଛି ପ୍ରଭେଶ ବର୍ମାଙ୍କ ନାଁ।

ପ୍ରଭେସ ବର୍ମା: ଏବେ ଯାଏଁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେସରେ ଯେତିକି ପ୍ରାର୍ଥୀଙ୍କ ନାଁ ରେସରେ ରହିଛି। ତାଠୁ ବହୁ ଆଗରେ ରହିଛି ପ୍ରଭେଶ ବର୍ମାଙ୍କ ନାଁ। ରହିବା ବି ସ୍ୱଭାବିକ। କାରଣ ସେ ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆପର ମୁଖିଆ ଅରବିନ୍ଦ କେଜ୍ରିଓ୍ୱାଲଙ୍କୁ ପରାସ୍ତ କରିଛନ୍ତି।

ଏମିତିରେ ପ୍ରଭେଶ ପୂର୍ବତନ ମୁଖ୍ୟମନ୍ତ୍ରୀ ସାହିବ ସିଂଙ୍କ ବର୍ମାଙ୍କ ପୁଅ। ସେ ନୂଆଦିଲ୍ଲୀ ଆସନରୁ ସାଂସଦ ମଧ୍ୟ ରହି ଆସିଛନ୍ତି। କିନ୍ତୁ ଦଳ ଏଥର ତାଙ୍କୁ ଲୋକସଭାରୁ ନିର୍ବାଚନ ଲଢିବାକୁ ଟିକେଟ ଦେଇନାହିଁ।

ବିଧାନସଭା ନିର୍ବାଚନରେ କେଜ୍ରିଓ୍ୱାଲଙ୍କୁ ପରାସ୍ତ କରି ପ୍ରଭେଶ ଦଳର ବିଶ୍ୱାସ ଜିତିଛନ୍ତି। ତେଣୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଆସନ ପାଇଁ ଶୀର୍ଷ ନେତୃତ୍ୱ ତାଙ୍କୁ ଯୋଗ୍ୟ ବୋଲି ବିବେଚନା କରିପାରନ୍ତି।

ବିଜେନ୍ଦ୍ର ଗୁପ୍ତା: ସେହିପରି ବିଜେପି ବିଧାୟକ ବିଜେନ୍ଦ୍ର ଗୁପ୍ତା। ଯିଏକି ମୁଖ୍ୟମନ୍ତ୍ରୀ ପଦ ପାଇଁ ପ୍ରତିଦ୍ୱନ୍ଦିତା କରିପାରନ୍ତି। ସେ ଦିଲ୍ଲୀ ବିଜେପିର ସଭାପତି ମଧ୍ୟ ରହିଛନ୍ତି। ସେ ଗତ ନିର୍ବାଚନରେ ବି ବାଜିମାତ୍ କରିଥିଲେ। ତେଣୁ ଏଥର ଦଳ ତାଙ୍କୁ ମୁଖ୍ୟମନ୍ତ୍ରୀ ଆସନ ଉପହାର ଦେଇପାରେ ବୋଲି କୁହାଯାଉଛି।

ମନୋଜ ତିଓ୍ୱାରୀ: ମନୋଜ ତିଓ୍ୱାରୀ ହେଉଛନ୍ତି ଉତ୍ତର ପୂର୍ବ ଦିଲ୍ଲୀର ବିଜେପି ସାଂସଦ। ତଥା ଦିଲ୍ଲୀର ପୂର୍ବତନ ବିଜେପି ସଭାପତି। ଯଦିଓ ସେ ବିଧାନସଭା ନିର୍ବାଚନରେ ପ୍ରତିଦ୍ୱନ୍ଦିତା କରିନାହାନ୍ତି। ତଥାପି ସେ ସିଏମ୍ ପଦ ପାଇଁ ଏକ ଶକ୍ତିଶାଳୀ ପ୍ରତିଦ୍ୱନ୍ଦି ଅଟନ୍ତି।

ସେ ଦିଲ୍ଲୀର ଭୋଟରଙ୍କ ମଧ୍ୟରେ ଜଣେ ଲୋକପ୍ରିୟ ବ୍ୟକ୍ତିତ୍ୱ ଏବଂ ଭୋଜପୁରୀ ଚଳଚ୍ଚିତ୍ର ତାରକା ଭାବରେ କ୍ୟାରିୟର ହେତୁ ସେ ବହୁ ଲୋକପ୍ରିୟତା ଲାଭ କରିଛନ୍ତି। ତେଣୁ ସେ ବି ମୁଖ୍ୟମନ୍ତ୍ରୀ ରେସରେ ରହିଛନ୍ତି।

ବିରେନ୍ଦ୍ର ସଚଦେବ: ବିରେନ୍ଦ୍ର ସଚଦେବ ବି ଚଳିତ ବିଧାନସଭା ନିର୍ବାଚନରେ ପ୍ରତିଦ୍ୱନ୍ଦିତା କରୁନାହାନ୍ତି। ହେଲେ ସେ ଦିଲ୍ଲୀ ବିଜେପିର ଜଣେ ଟାଣୁଆ ନେତା। ତେଣୁ ଦଳ ତାଙ୍କ ଉପରେ ଭରଷା କରିପାରେ।

ହେଲେ ଅନ୍ୟ ଏକ ପ୍ରସଙ୍ଗ ଉଠୁଛି କି ଦଳର ଶୀର୍ଷ ନେତୃତ୍ୱ ମହିଳା କାର୍ଡ ବି ଖେଳି ପାରନ୍ତି। ନହେଲେ ଓଡିଶା ଭଳି ମୁଖ୍ୟମନ୍ତ୍ରୀ ରେସରେ ନଥିବା ନାଁକୁ ବି ଆସନରେ ଜବସାଇ ପାରନ୍ତି।