fbpx

ଆଜିଠୁ ଆରମ୍ଭ ହେବ ମାଟ୍ରିକ୍‌ ଅଫ୍‌ଲାଇନ୍‌ ପରୀକ୍ଷା: ୧୫ ହଜାର୧୩୬ଜଣ ଛାତ୍ରଛାତ୍ରୀ ଦେବେ ପରୀକ୍ଷା

ଭୁବନେଶ୍ୱର, (ଭାସ୍କର ନ୍ୟୁଜ୍‌): ଆଜିଠୁ ଆରମ୍ଭ ହେବ ମାଟ୍ରିକ୍‌ ଅଫ୍‌ଲାଇନ୍‌ ପରୀକ୍ଷା । ଚଳିତ ବର୍ଷ କରୋନା କଟକଣା ଯୋଗୁଁ ବିନା ପରୀକ୍ଷାରେ ମାଟ୍ରିକ୍‌ ପରୀକ୍ଷାଫଳ ପ୍ରକାଶ ପାଇଥିଲା । କିନ୍ତୁ ଏହି ପରୀକ୍ଷାଫଳକୁ ନେଇ ଅନେକ ଛାତ୍ରଛାତ୍ରୀ ଅସନ୍ତୋଷ ପ୍ରକାଶ କରିଥିଲେ । ତେଣୁ ବୋର୍ଡ କର୍ତ୍ତୃପକ୍ଷଙ୍କ ତରଫରୁ ଅଫ୍‌ଲାଇନ୍‌ ପରୀକ୍ଷା ବ୍ୟବସ୍ଥା କରାଯାଇଥିଲା । ଏହି ପରୀକ୍ଷା ପାଇଁ ପୂର୍ବରୁ ଫର୍ମଫିଲପ୍‌ କରିଥିବା ଛାତ୍ରଛାତ୍ରୀମାନେ ଅଫ୍‌ଲାଇନ୍‌ ପରୀକ୍ଷା ଦେଇପାରିବେ ।

ବୋର୍ଡ଼ ସଭାପତି ରାମାଶିଷ ହାଜରା ସୂଚନା ଦେଇ କହିଛନ୍ତି ଯେ, କୋଭିଡ଼ ଗାଇଡ଼ଲାଇନ କଡ଼ାକଡ଼ି ଭାବେ ପାଳନ କରାଯାଇ ଏହି ପରୀକ୍ଷା ଅନୁଷ୍ଠିତ ହେବ । ଏଥିପାଇଁ ସମସ୍ତ ପରୀକ୍ଷା କେନ୍ଦ୍ରରେ ପର୍ଯ୍ୟବେକ୍ଷକ ନିଯୁକ୍ତ କରାଯିବ। ଏହା ସହ ଜିଲ୍ଲା ପ୍ରସାଶନ ପକ୍ଷରୁ କୋଭିଡ଼ ସ୍କାର୍ଡ଼ ଗଠନ କରାଯାଇ କଟକଣା ଅନୁଧ୍ୟାନ କରାଯିବ । ସହ ବହୁ ବାଦବିବାଦ ପରେ ଅନୁଷ୍ଠିତ ହେବାକୁ ଥିବା ମାଟ୍ରିକ୍‌ ଅଫଲାଇନ୍‌ ପରୀକ୍ଷାରେ ଚଳିତ ବର୍ଷ ୧୫, ୧୩୬ଜଣ ପରୀକ୍ଷା ଦେବେ । ଏଥିପାଇଁ ୫୦୪ଟି ପରୀକ୍ଷା ସେଣ୍ଟର୍‌ କରାଯାଇଛି । ସମସ୍ତ ପରୀକ୍ଷା କେନ୍ଦ୍ରରେ ପ୍ରଶ୍ନତ୍ର ଓ ଉତ୍ତର ଖାତା ପହଞ୍ଚି ସାରିଛି । ପରୀକ୍ଷା କେନ୍ଦ୍ରରେ ପରୀକ୍ଷାର୍ଥୀଙ୍କ ଥର୍ମାଲ ସ୍କ୍ରିନିଂ ପରେ ଭିତରକୁ ପ୍ରବେଶ ଅନୁମତି ଦିଆଯିବ । ପରୀକ୍ଷାରେ ନିୟୋଜିତ ହେବାକୁ ଥିବା ସମସ୍ତ ଶିକ୍ଷକଙ୍କ ଆଣ୍ଟିଜେନ୍‌ ପରୀକ୍ଷା କରାଯାଇଛି । ପ୍ରତିଟି ପରୀକ୍ଷା କେନ୍ଦ୍ରରେ ଅବଜରଭର୍ ନିୟୋଜିତ କରାଯାଇଛି ବୋଲି ବୋର୍ଡ ସଭାପତି ରାମାଶିଷ ହାଜରା କହିଛନ୍ତି ।

ସୂଚନାଯୋଗ୍ୟ, କରୋନାର ଦ୍ୱିତୀୟ ଲହର ପାଇଁ ଚଳିତ ବର୍ଷ ମାଟ୍ରିକ ପରୀକ୍ଷା ବାତିଲ କରିଥିଲେ ସରକାର । ବିକଳ୍ପ ମୂଲ୍ୟାୟନ ସ୍ୱରୂପ୍ରିବୋର୍ଡ ପରୀକ୍ଷା ଆଧାରରେ ପିଲାଙ୍କୁ ମାର୍କ ଦିଆଯାଇଛି । ଯେଉଁମାନେ ପ୍ରି-ବୋର୍ଡ ପରୀକ୍ଷା ଆଦୌ ଦେଇ ନ ଥିଲେ ସେମାନଙ୍କ ମୂଲ୍ୟାୟନ ନବମ ପରୀକ୍ଷା ଆଧାରରେ କରାଯାଇଥିଲା । ନବମର ଷାଣ୍ମାସିକ ଓ ବାର୍ଷିକ ପରୀକ୍ଷା ମାର୍କକୁ ମଧ୍ୟ ବିଚାରକୁ ନିଆଯାଇଥିଲା । ରେଗୁଲାର, ଏକ୍ସରେଗୁଲାର, ମଧ୍ୟମା ପିଲାଙ୍କୁ ମିଶାଇ ଚଳିତ ବର୍ଷ ୬ ଲକ୍ଷ ୪୭ ହଜାର ପିଲା ପରୀକ୍ଷା ଦେଇଥାନ୍ତେ । ଏଥିନିମନ୍ତେ ୩୩ଶହ କେନ୍ଦ୍ରକୁ ପ୍ରସ୍ତୁତ କରାଯାଇଥିଲା । ପିଲାମାନେ ନିଜ କେନ୍ଦ୍ରରେ ପରୀକ୍ଷା ଦେଇଥାନ୍ତେ । ଦଶମ ଶ୍ରେଣୀ ପିଲାଙ୍କ ପାଇଁ ଗତ ଜାନୁଆରୀ ୨୮ ତାରିଖରୁ ଏପ୍ରିଲ ୨୫ ପର୍ଯ୍ୟନ୍ତ ୧୦୦ ଦିନିଆ ପାଠପଢ଼ା କରାଯାଉଥିଲା । ପରୀକ୍ଷା ନିମନ୍ତେ ପିଲାମାନଙ୍କୁ ପ୍ରସ୍ତୁତ କରାଯାଉଥିବା ବେଳେ ସେମାନେ ୮୦ ମାର୍କର ପରୀକ୍ଷା ଦେଇଥାନ୍ତେ । ମାତ୍ର ଶେଷ ମୁହୂର୍ତ୍ତରେ କରୋନା ସଂକ୍ରମଣ ଯୋଗୁ ତଥା ଦୈନିକ ସଂକ୍ରମିତଙ୍କ ସଂଖ୍ୟା ହୁ ହୁ ହୋଇ ବଢ଼ିବାରୁ ସରକାର ପରୀକ୍ଷା ବାତିଲ କରିଥିଲେ । ମାତ୍ର ସରକାରଙ୍କ ମୂଲ୍ୟାୟନ ପଦ୍ଧତିରେ ସନ୍ତୁଷ୍ଟ ହୋଇପାରି ନ ଥିଲେ ବହୁ ଛାତ୍ରଛାତ୍ରୀ । ପାତରଅନ୍ତର ନୀତି ଯୋଗୁ ତ୍ରୁଟି ପୂର୍ଣ୍ଣ ମୂଲ୍ୟାୟନ ହୋଇଥିବା ଅଭିଯୋଗ ଆଣି ବିଭିନ୍ନ ସ୍ଥାନରେ ଛାତ୍ରଛାତ୍ରୀ ରାସ୍ତାକୁ ଓହ୍ଲାଇବା ସହ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଏହାପରେ ଅସନ୍ତୁଷ୍ଟ ପିଲାଙ୍କ ପାଇଁ ଅଫଲାଇନ୍‌ ପରୀକ୍ଷା ହେବ ବୋଲି ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଥିଲା ।

Get real time updates directly on you device, subscribe now.