fbpx

ଘୋଷଯାତ୍ରା ପାଇଁ ଶ୍ରୀକ୍ଷେତ୍ରରେ କଟକଣା: ଆଜି ରାତି ୮ଟାରୁ ପୁରୀରେ ଜାରି ହେବ ୪୮ ଘଣ୍ଟିଆ କର୍ଫ୍ୟୁ, ସହରର ୮ଟି ପ୍ରବେଶ ପଥକୁ ସିଲ୍ କରିବ ପ୍ରଶାସନ

ପୁରୀ,(ଓଡ଼ିଶା ଭାସ୍କର) : ରଥଯାତ୍ରା ସମୟରେ ପୁରୀ ସହରରେ ଲୋକଙ୍କ ଭିଡ଼କୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ଆସନ୍ତା ୧୧ ତାରିଖ( ରବିବାର) ରାତି ୮ଟାରୁ ରଥଯାତ୍ରା ପରଦିନ ଅର୍ଥାତ୍‌ ୧୩ ତାରିଖ(ମଙ୍ଗଳବାର) ରାତି ୮ଟା ପର୍ଯ୍ୟନ୍ତ ୪୮ ଘଣ୍ଟିଆ କର୍ଫ୍ୟୁ ଜାରି କରାଯାଇଛି ।

ସେହିପରି ବଡ଼ଦାଣ୍ଡ ଉଭୟପାଶ୍ୱର୍ରେ ଥିବା ଅଟ୍ଟାଳିକାର ଛାତ, ବାଲ୍‌କୋନିଗୁଡ଼ିକ ଉପରେ ମଧ୍ୟ ଲୋକମାନେ ଏକାଠି ହୋଇପାରିବେ ନାହିଁ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ଜାରି ହୋଇଥିବା ନିର୍ଦ୍ଦେଶନାମାରେ ଦର୍ଶାଯାଇଛି । ଏହି ସମୟ ମଧ୍ୟରେ ବଡ଼ଦାଣ୍ଡରେ କୌଣସି ଗାଡ଼ିମୋଟର ଯାତାୟତକୁ ସମ୍ପୂର୍ଣ୍ଣ ଭାବେ ବାରଣ କରାଯାଇଛି। ସମସ୍ତ ହୋଟେଲ, ଲଜ୍‌, ଧର୍ମଶାଳା ଓ ଗେଷ୍ଟହାଉସ୍‌ଗୁଡ଼ିକ ପର୍ଯ୍ୟଟକ, ଭକ୍ତ ତଥା ଲୋକଙ୍କ ରହଣୀ ପାଇଁ ବାରଣ କରାଯାଇଛି । ଏହି ହୋଟେଲ ଓ ଲଜ୍‌ରେ ରହୁଥିବା ଲୋକମାନେ ୧୦ ତାରିଖ ସୁଦ୍ଧା ସେଠାରୁ ସ୍ଥାନ ଛାଡ଼ିବାକୁ ନିର୍ଦ୍ଦେଶ ଦିଆଯାଇଛି।

ସେହିପରି ବଡ଼ଦାଣ୍ଡରେ ଥିବା ଅତ୍ୟାବଶ୍ୟକ ସରକାରୀ କାର୍ଯ୍ୟାଳୟକୁ ବାଦ୍‌ ଦେଇ ସମସ୍ତ ଦୋକାନ ବଜାର, ବ୍ୟବସାୟିକ ପ୍ରତିଷ୍ଠାନ, ଔଷଧ ଦୋକାନ, ବ୍ୟାଙ୍କ ଓ ଅନ୍ୟାନ୍ୟ ଅଫିସ ଗୁଡ଼ିକ ବନ୍ଦ ରଖିବାକୁ କୁହାଯାଇଛି । ଏହି ସମୟସୀମା ମଧ୍ୟରେ ସହରର ୮ଟି ପ୍ରବେଶ ପଥକୁ ସିଲ କରିବାକୁ ଜିଲ୍ଲାପାଳ ସମର୍ଥ ବର୍ମା ପୋଲିସ ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି । ତେବେ ବଡ଼ଦାଣ୍ଡ ବ୍ୟତୀତ ସହରର ଅନ୍ୟ ଅଞ୍ଚଳରେ କର୍ଫ୍ୟୁ ସମୟରେ ସମସ୍ତ ଦୋକାନ ବଜାର ବନ୍ଦ ରଖିବାକୁ କୁହାଯାଇଥିବା ବେଳେ ଔଷଧ ଦୋକାନ ଓ ସ୍ୱାସ୍ଥ୍ୟ ସମ୍ପର୍କିତ ସାମଗ୍ରୀ ବିକ୍ରୟ କେନ୍ଦ୍ର ଗୁଡ଼ିକ ଖୋଲା ରଖିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି ନିର୍ଦ୍ଦେଶନାମାରେ ଦର୍ଶାଯାଇଛି ।ଅତ୍ୟାବଶ୍ୟକ ସାମଗ୍ରୀ, ଖାଦ୍ୟ ସାମଗ୍ରୀ, ଗ୍ରୋସରୀ, ପନିପରିବା, ଖିର ଆଦି ହୋମ୍ ଡେଲିଭରିକୁ ବଡ଼ଦାଣ୍ଡ ବ୍ୟତୀତ ସହରର ଅନ୍ୟ ସମସ୍ତ ଅଞ୍ଚଳରେ ଅନୁମତି ଦିଆଯାଇଛି । ତେବେ ପୁରୀ ସହର ବ୍ୟତୀତ ଜିଲ୍ଲାର ଅନ୍ୟ ସମସ୍ତ ଅଞ୍ଚଳରେ ଏହି ନିୟମ କାର୍ଯ୍ୟକାରୀ ହେବ ନାହିଁ ବୋଲି ଜିଲ୍ଲା ପ୍ରଶାସନ ସ୍ପଷ୍ଟ କରିଛି ।

ସୂଚନାଯୋଗ୍ୟ ଯେ, ଗତ ମାସ ୧୦ ତାରିଖରେ ସ୍ୱତନ୍ତ୍ର ରିଲିଫ କମିଶନରଙ୍କ କାର୍ଯ୍ୟାଳୟ ପକ୍ଷରୁ ଜାରି ହୋଇଥିବା ନିର୍ଦ୍ଦେଶନାମା ଅନୁଯାୟୀ ରଥଯାତ୍ରା ସମୟରେ ପୁରୀ ସହରରେ ଜିଲ୍ଲା ପ୍ରଶାସନ ପକ୍ଷରୁ କର୍ଫ୍ୟୁ ଲଗାଯିବା ନେଇ ନିର୍ଦ୍ଦେଶ ଦିଆଯାଇଥିଲା ଓ ଏହି ସମୟରେ କୌଣସି ଯାତ୍ରୀବାହୀ ଟ୍ରେନ୍‌, ବସ୍‌ କିମ୍ବା ଅନ୍ୟ ଗାଡ଼ି ମୋଟର ଚଳାଚଳକୁ ନିଷିଦ୍ଧ କରିବାକୁ କୁହାଯାଇଥିଲା । ତେବେ ସରକାରୀ କାର୍ଯ୍ୟରେ ନିୟୋଜିତ ଯାନବାହନ, ପୋଲିସ ଭ୍ୟାନ ଓ ଜରୁରିକାଳୀନ ସେବା ପାଇଁ ଉପଲବ୍ଧ ଯାନ ଗୁଡ଼ିକ କର୍ଫ୍ୟୁ ସମୟରେ ଯାତାୟତ କରିାରିବ ବୋଲି ଉକ୍ତ ନିର୍ଦ୍ଦେଶନାମାରେ ଦର୍ଶାଯାଇଥିଲା ।

Get real time updates directly on you device, subscribe now.