fbpx

ଆଜି ହେଉଛି ବିଶ୍ୱ ଉଚ୍ଚ ରକ୍ତଚାପ ଦିବସ, ପଢ଼ନ୍ତୁ କଣ ରହିଛି ଚଳିତ ବର୍ଷର ସଚେତନ ବାର୍ତ୍ତା

ଓଡିଶା ଭାସ୍କର ବ୍ୟୁରୋ: ଆଜି ହେଉଛି ବିଶ୍ୱ ଉଚ୍ଚ ରକ୍ତଚାପ ଦିବସ । ୨୦୦୬ରୁ ପ୍ରତିବର୍ଷ ମେ ୧୭ ତାରିଖକୁ ବିଶ୍ୱ ଉଚ୍ଚ ରକ୍ତଚାପ ଦିବସ ରୁପେ ପାଳନ କରାଯାଏ । ବର୍ତ୍ତମାନ ସମୟରେ କୋଭିଡ୍ ଭୁତାଣୁର ପ୍ରଭାବ ଦେଶବ୍ୟାପୀ ରହିଥିବା ବେଳେ ଉଚ୍ଚ ରକ୍ତଚାପ ରୋଗୀଙ୍କ ଉପରେ ଏହାର ଅଧିକ ପ୍ରଭାବ ରହୁଥିବା ଦେଖିବାକୁ ମିଳୁଛି । ଏହି ଉଚ୍ଚ ରକ୍ତଚାପ ଜନିତ ରୋଗୀ ମାନେ ଅଧିକାଂଶ କରୋନା ଦ୍ୱାରା ସଂକ୍ରମିତ ହେଉଥିବା ରିପୋର୍ଟରୁ ଜଣାପଡିଛି । ଖାଲି ଏହା ନୁହେଁ ବରଂ ଡାଇବେଟିସ୍, ମେଦବହୁଳ, ହୃଦ୍ ରୋଗ, କିଡନୀ ରୋଗୀ ମାନଙ୍କ ଠାରେ ସଂକ୍ରମଣର ଆଶଙ୍କା ଅଧିକ ରହୁଛି । ତେବେ ଚଳିତ ବର୍ଷର ସ୍ଲୋଗାନ ହେଲା; ‘ନିଜର ରକ୍ତଚାପ ମାପନ୍ତୁ, ନିୟନ୍ତ୍ରଣରେ ରଖନ୍ତୁ ଏବଂ ଦୀର୍ଘଜୀବୀ ହୁଅନ୍ତୁ’ ।

ଆମେ ଜାଣିଛୁ ଯେ, ଜଣେ ବ୍ୟକ୍ତିର ସାଧାରଣ ରକ୍ତଚାପ ହେଉଛି ୧୨୦/୮୦ ଏମଏମ ଏଚଜି । ଆଉ ଯେତେବେଳେ ଏହା ବଢ଼ି ୧୨୦ରୁ୧୨୯/୮୦ ଏମଏମ ଏଚଜିକୁ ଆସିଯାଏ ସେତେବେଳେ ଆମେ ଏହାକୁ କହୁ ଯେ, ଉଚ୍ଚ ରକ୍ତଚାପ । ସେହିପରି ୧୩୦ରୁ୧୩୯/୮୦କୁ ଆସିଲେ ଏହାକୁ ଉଚ୍ଚ ରକ୍ତଚାପ ଲେବଲ୍-୧ କୁହାଯାଉଥିବା ବେଳେ ୧୪୦/୯୦କୁ ଅତ୍ୟଧିକ ଉଚ୍ଚ ରକ୍ତଚାପ ଏବଂ ୧୮୦/୧୨୦ ହେଲେ ଏହାକୁ ଉଦବେଗଜନକ ଉଚ୍ଚ ରକ୍ତଚାପ ବୋଲି କୁହାଯାଇଥାଏ । ଡାଇବେଟିସ୍, ହୃଦ୍ ରୋଗ, କିଡନୀ, ଥାଇ ରଏଡ୍ ଆଦିରେ ସାଧାରଣ ରକ୍ତଚାପ ୧୧୦/୭୦ ଏମଏମ ଏଚଜିକୁ ନିଆଯାଇଥାଏ ।

ଯଦି ଉଚ୍ଚ ରକ୍ତଚାପ ହୁଏ ତେବେ ଖୁବ୍ ସାବଧାନତାର ସହ ରହିବାକୁ ପଡେ । କାରଣ ଏହା ଦ୍ୱାରା ଆମ ଶରୀର ଉପରେ ଖୁବ୍ ଖରାପ ପ୍ରଭାବ ପଡିଥାଏ । ଏପରିକି ଜୀବନ ମଧ୍ୟ ଯାଇପାରେ । ଉଚ୍ଚ ରକ୍ତଚାପ ଅଧିକ ହେଲେ ଔଷଧ ବ୍ୟବହାର ଏବଂ ଆମର ଦୈନାନ୍ଦିନ ଖାଇବା ପିଇବା ଆଦି ଉପରେ ବିଶେଷ ଧ୍ୟାନ ଦେବାକୁ ପଡେ ।

• ପ୍ରଥମତଃ ଲୁଣ କମ୍ ଖାଇବେ, ଚର୍ବିଜାତୀୟ ଖାଦ୍ୟଠାରୁ ଦୁରେଇ ରହିବେ ।
• ନିୟମିତ ଯୋଗ, ପ୍ରାଣାୟାମ କରିବେ ।
• ନିଶାଦ୍ରବ୍ୟ ଠାରୁ ଦୂରେଇ ରହିବେ ।
• ଗୋଟିଏ ଜାଗାରେ ବସି ନ ରହି, ଅଧିକ ଚାଲିବା ଚଲାବୁଲା କରିବା ଭଲ ।
• ଅତିକମରେ ୬ରୁ ୭ ଘଣ୍ଟା ଶୁଅନ୍ତୁ ।
• ଲିଫ୍ଟ ବ୍ୟବହାର ନ କରି ପାହାଚର ବ୍ୟବହାର କରନ୍ତୁ ।
• ସବୁଜ ପନିପରିବା, ତଟକା ଫଳ, ଭିଟାମିନ୍ ଓ କ୍ୟାଲସିୟମ୍ ରହିଥିବା ଖାଦ୍ୟ ଯେପରିକି; କ୍ଷୀର, ଓଟ୍ସ, କଦଳୀ, ଚୂନାମାଛ, ଶାଗ, ଭେଣ୍ଡି, କୋଳଥ ଡାଲି, ବାଜରା, ପୋହା, ପିଆଜ, ଘୋଳ ଦହି, ସବୁଜ ଚଣା ଆଦି ଖାଇବା ଦରକାର ।
• ନିୟମିତ କିଛି ସମୟ ବ୍ୟବଧାନରେ ରକ୍ତଚାପକୁ ମାପନ୍ତୁ ।
• ଔଷଧ ଖାଇବା ସହିତ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ ।

Get real time updates directly on you device, subscribe now.