fbpx

ଆଜି ସର୍ବଦଳୀୟ ବୈଠକ, ୨ରୁ ଆରମ୍ଭ ମୌସୁମୀ ଅଧିବେଶନ

ଭୁବନେଶ୍ବର(ଓଡ଼ିଶା ଭାସ୍କର): ଆସନ୍ତା ଜୁଲାଇ ୨ରୁ ଆରମ୍ଭ ମୌସୁମୀ ଅଧିବେଶନ। ଅଗଷ୍ଟ ୪ ପର୍ଯ୍ୟନ୍ତ ଅଧବେଶନ ଚାଲିବ ବୋଲି ସରକାରଙ୍କ ପକ୍ଷରୁ ସ୍ଥିର ହୋଇଛି। ତେବେ ମାସାଧିକ କାଳ ଚାଲିବାକୁ ଥିବା ଅଧିବେଶନ ସମୟ କିଭଳି ସୁରୁଖୁରୁରେ ଚାଲିବ ତାକୁ ନେଇ ଆଜି ସର୍ବଦଳୀୟ ବୈଠକ ଅନୁଷ୍ଠିତ ହେବ। ବାଚସ୍ପତି ବିକ୍ରମ କେଶରୀ ଆରୁଖଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବାକୁ ଥିବା ପ୍ରଥମ ସର୍ବଦଳୀୟ ବୈଠକ ଲାଗି ବିରୋଧୀ ବିଜେପି ଓ କଂଗ୍ରେସ ସଜବାଜ ହେଉଥିବାବେଳେ ସରକାରୀଦଳ ନିଶ୍ଚଳ ରହିଛି।

କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର କହିଛନ୍ତି ଯେ ସବୁଥର ଭଳି ଏଥର ବିଧାନସଭାର ବିଭିନ୍ନ ନୀତି ନିୟମ ଓ କାର୍ଯ୍ୟବିଧି ଉପରେ ବୈଠକରେ ଆଲୋଚନା ହେବ। ଗୃହରେ କିଭଳି ବିରୋଧୀଙ୍କୁ ଉଚିତ୍ ସମ୍ମାନ ମିଳିବ ଏବଂ ରାଜ୍ୟର ଥିବା ଗୁରୁତ୍ଵପୂର୍ଣ୍ଣ ପ୍ରସଙ୍ଗ ଆଲୋଚନା ଠିକଣା ଭାବେ ହେବ ତା ‘ ଉପରେ ଗୁରୁତ୍ଵ ଦିଆଯିବ। ଏହାସହିତ ଗୃହରେ ଯାହା ସବୁ ଆଲୋଚନା ହେବ ତାହା ଯେପରି ସମସ୍ତ ଜନସାଧାରଣଙ୍କ ପାଖରେ ପହଞ୍ଚିବ ସେ ପ୍ରସଙ୍ଗ ବୈଠକରେ ଉଠିବ। ସରକାର ଯେଉଁସବୁ କ୍ଷେତ୍ରରେ ବିଫଳ ହୋଇଛନ୍ତି ତାହାକୁ ନେଇ ଗୃହରେ ଆଲୋଚନା କରାଯିବ।

ସେହିପରି ବିରୋଧୀଦଳ ମୁଖ୍ୟ ସଚେତକ ମୋହନ ମାଝି କହିଛନ୍ତି ଯେ ଗୃହର ଅଭିଜ୍ଞ ସମ୍ପନ୍ନ ସଦସ୍ୟ ତଥା ନୂତନ ବାଚସ୍ପତି ବିକ୍ରମ କେଶରୀ ଆରୁଖଙ୍କ ଅଧ୍ୟକ୍ଷତାରେ ପ୍ରଥମଥର ପାଇଁ ସର୍ବଦଳୀୟ ବୈଠକ ବସିବାକୁ ଯାଉଛି। ଗୃହରେ ବିରୋଧୀଦଳକୁ ଯେପରି କହିବାର ସୁଯୋଗ ମିଳିବ ଏବଂ ଉଚିତ୍ ସମ୍ମାନ ମିଳିବ ବୈଠକରେ ତାହା ଉପରେ ଗୁରୁତ୍ବ ଦିଆଯିବ। ବଜେଟ ଅଧିବେଶନ କାଳରେ ସରକାରଙ୍କ ବିଭିନ୍ନ ଦୁର୍ନୀତି ପ୍ରସଙ୍ଗ ସହିତ ଆଇନଶୃଙ୍ଖଳା ପରିସ୍ଥିତି, ଚାଷୀ ମାରଣ ନୀତି ଭଳି ବହୁ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ଉଠିବ ବୋଲି ସେ କହିଛନ୍ତି। ଅନ୍ୟପକ୍ଷରେ ବିଜେଡ଼ିର ବରିଷ୍ଠ ବିଧାୟକ ଦେବୀପ୍ରସାଦ ମିଶ୍ର କହିଛନ୍ତି ଯେ ଆଗାମୀ ଅଧିବେଶନ ପାଇଁ ସରକାର ପ୍ରସ୍ତୁତ। ବିରୋଧୀ ଯଦି ଗଠନମୂଳକ ପ୍ରସ୍ତାବ ଆଣିବେ ତେବେ ସହଯୋଗ କରି ଆଲୋଚନା କରାଯିବ।

Get real time updates directly on you device, subscribe now.