ଆସନ୍ତାକାଲି ଶ୍ରାବଣ ମାସର ପ୍ରଥମ ସୋମବାର; ବିଭିନ୍ନ ଶିବାଳୟରେ ଜଳାଭିଷେକ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା

ଆସନ୍ତାକାଲି ଶ୍ରାବଣ ମାସର ପ୍ରଥମ ସୋମବାର । ମହାଦେବଙ୍କୁ ଜଳାଭିଷେକ କରିବା ଲାଗି ଶ୍ରଦ୍ଧାଳୁଙ୍କ ମଧ୍ୟରେ ଉତ୍ସାହ ପରିଲକ୍ଷିତ ହୋଇଛି । ଆଜିଠାରୁ କାଉଡିଆମାନେ ଜଳନେଇ ବିଭିନ୍ନ ଶିବାଳୟକୁ ଯାତ୍ରା ଆରମ୍ଭ କରିଛନ୍ତି । ଶ୍ରଦ୍ଧାଳୁଙ୍କ ସୁରକ୍ଷା ପାଇଁ ପ୍ରଶାସନ ଏବଂ ପୁଲିସ୍‍ ପକ୍ଷରୁ ସ୍ୱତନ୍ତ୍ର ପଦକ୍ଷେପ ନିଆଯାଇଛି । ଜଳ ଉଠାଇବା ସ୍ଥାନ ଏବଂ ବିଭିନ୍ନ ନଦୀପଠାରେ ଓଡ୍ରାଫ୍‍ ୟୁନିଟ୍‍କୁ ନିୟୋଜିତ କରାଯାଇଛି ।

ନଦୀ ଭିତରକୁ ପ୍ରବେଶ ନ କରିବା ଲାଗି ପୁଲିସ୍‍ ପକ୍ଷରୁ ପରାମର୍ଶ ଦିଆଯାଇଛି । ଭୁବନେଶ୍ୱରର ଲିଙ୍ଗରାଜ, ପୁରୀର ଲୋକନାଥ, ଆରଡୀର ଆଖଣ୍ଡଳମଣୀ, କଟକର ଧବଳେଶ୍ୱର ଏବଂ ବାଲେଶ୍ୱର ପଞ୍ଚୁଲିଙ୍ଗେଶ୍ୱର, ଚନ୍ଦନେଶ୍ୱର ସମେତ ରାଜ୍ୟର ବିଭିନ୍ନ ପୀଠରେ ଶ୍ରଦ୍ଧାଳୁଙ୍କ ସୁରକ୍ଷା ତଥା ଶୃଙ୍ଖଳିତ ଜଳାଭିଷେକ ଲାଗି ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ରାଜଧାନୀରେ କାଉଡ଼ିଆ ଯିବା ଆସିବା ବାଟରେ ୧୨ ଟି ମୋବାଇଲ ପାଟ୍ରୋଲିଂ ଟିମ, ୧୩ ଟି ପିସିଆର ରହିବ। ଛକ ମାନଙ୍କରେ ଫାଷ୍ଟଏଡ଼ ଓ ମୋବାଇଲ ମେଡ଼ିକାଲ ୟୁନିଟ ରହିବ। ଜଳ ଉଠାଇବା ସ୍ଥାନ ବା ବିଭିନ୍ନ ନଦୀ ପଠାରେ ଓଡ୍ରାଫ ଓ Fire fighting unit ନିୟୋଜିତ ରହିବେ। ସମସ୍ତ ସୁରକ୍ଷା ବ୍ୟବସ୍ଥାର ତଦାରଖ ପାଇଁ ଜଣେ ଅତିରିକ୍ତ ଡିସିପିଙ୍କ ଅଧୀନରେ ପାଞ୍ଚ ପ୍ଲାଟୁନ ଫୋର୍ସ ମୁତୟନ ହେବେ। ୫ ଜଣ ଏସିପି, ୮ ଜଣ ଇନ୍ସପେକ୍ଟର, ୩୯ ଜଣ ସବ ଇନ୍ସେପେକ୍ଟର ଓ ଏଏସଆଇ ନିୟୋଜିତ ହେବେ। ଏ ନେଇ ଭୁବନେଶ୍ବର ଡିସିପି ପ୍ରତୀକ ସିଂ ସୂଚନା ଦେଇଛନ୍ତି।

ତେବେ ଜୁଲାଇ ୪ରୁ ଆରମ୍ଭ ହୋଇଗଲାଣି ଶ୍ରାବଣ ମାସ ଏବଂ ଏହା ଅଗଷ୍ଟ ୩୧ରେ ଶେଷ ହେବ । ଶ୍ରାବଣ ମାସରେ ଭଗବାନ ଶିବଙ୍କୁ ପୂଜା କରାଯାଏ, ଏହିମାସରେ ଶ୍ରଦ୍ଧାଳୁ ବ୍ରତ ମଧ୍ୟ ରଖନ୍ତି । ଚଳିତ ବର୍ଷ ଯୋଡ଼ା ଶ୍ରାବଣ ହେତୁ ଏହି ମାସରେ ୮ଟି ସୋମବାର ପଡୁଛି । ଶ୍ରାବଣର ପ୍ରଥମ ସୋମବାର ଜୁଲାଇ ୧୦ ,ଦ୍ୱିତୀୟ ସୋମବାର ଜୁଲାଇ ୧୭, ତୃତୀୟ ସୋମବାର ଜୁଲାଇ ୨୪, ଚତୁର୍ଥ ସୋମବାରଟି ଜୁଲାଇ ୩୧, ପଞ୍ଚମ ସୋମବାରଟି ଅଗଷ୍ଟ ୭, ଷଷ୍ଠ ସୋମବାରଟି ଅଗଷ୍ଟ ୧୪, ସପ୍ତମ ସୋମବାରଟି ଅଗଷ୍ଟ ୨୧ ଏବଂ ଅଷ୍ଟମ ସୋମବାରଟି ଅଗଷ୍ଟ ୨୮ରେ ପାଳନ କରାଯିବ ।