fbpx

ଓଭର୍‌ ଲୋଡ଼ିଂ ଯୋଗୁଁ ଭାରସାମ୍ୟ ହରାଇ ଓଲଟିଲା କାଠବୋଝେଇ ଟ୍ରକ୍, ଜଣେ ଆହତ

ରାଇଘର (ଭାସ୍କର ନ୍ୟୁଜ୍‌): ନବରଙ୍ଗପୁର ଜିଲ୍ଲା ରାଇଘର ସଦର ମହକୁମା ସ୍ଥିତ ଜଗନ୍ନାଥ ମନ୍ଦିର ନିକଟରେ ଥିବା ସନ୍ତୋଷୀ ପେଟ୍ରୋଲ ଟ୍ୟାଙ୍କ ନିକଟରେ ଗୋଟାଏ ନୀଳଗିରି ଭର୍ତ୍ତି ଟ୍ରକ୍‌ ଗାଡ଼ି ନଂ ସିଜି୪ଜେଡି୫୩୭୭ ଭାରସାମ୍ୟ ହରାଇ ଓଲଟି ପଡିଥିଲା । ଯାହା ଫଳରେ ପେଟ୍ରୋଲ ପମ୍ପରୁ ପେଟ୍ରୋଲ ଭରି ଫେରୁଥିବା ବେଳେ ଛେଳି ଦଙ୍ଗରୀ ପଞ୍ଚାୟତର ସଞ୍ଜୟ ଗଣ୍ଡ ଆଘାତ ହୋଇଥିବା ଜଣାଯାଇଛି । ଫଳରେ ପେଟ୍ରୋଲ ପମ୍ପର କାର୍ଯ୍ୟରତ କର୍ମଚାରୀ ତଥା ସ୍ଥାନୀୟ ଯୁବକମାନେ ମିଶି ସଞ୍ଜୟଙ୍କୁ ଉଦ୍ଧାର କରିବା ସହ ରାଇଘର ମେଡିକାଲକୁ ପଠାଇଥିଲେ । ସେଠାରେ ପ୍ରାଥମିକ ଚିକିତ୍ସା ପରେ ନବରଙ୍ଗପୁର ଜିଲ୍ଲା ମେଡିକାଲ ସ୍ଥାନାନ୍ତର କରାଯାଇଛି ।

ଟ୍ରକ୍‌ଟି ଓଲଟିବା ଫଳରେ ରାସ୍ତାରେ ନୀଳଗିରି କାଠ ଗୁଡିକ ପଡ଼ି ରାସ୍ତା ଜାମ ହୋଇଯାଇଥିଲା । ଖବର ପାଇ ରାଇଘର ଅଗ୍ନିଶମ ବିଭାଗ ପହଞ୍ଚି ଉଦ୍ଧାର କାର୍ଯ୍ୟ କରିଥିଲେ । ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଚଳାଇଥିବା ଜଣାପଡ଼ିଛି । ପ୍ରକାଶ ଥାଉ କି ରାଇଘର ଅଞ୍ଚଳରୁ ପ୍ରାୟତଃ ବ୍ୟବସାୟୀମାନେ ଗାଡ଼ିର କ୍ଷମତା ଠାରୁ ଅଧିକ ନୀଳଗିରି କାଠ ଲୋଡ୍‌କରି ବାହାର ରାଜ୍ୟକୁ ଚାଲାଣ କରୁଛନ୍ତି ଏବଂ ବାରମ୍ବାର ଏପରି ଦୁର୍ଘଟଣା ଘଟୁଥିବା ଦେଖିବାକୁ ମିଳୁଛି । ଯାହା ଫଳରେ ଓଭର୍‌ ଲୋଡ଼ିଂ ରୋକାଯିବାକୁ ସାଧାରଣରେ ଦାବି ହେଉଛି ।

Get real time updates directly on you device, subscribe now.