fbpx

ଆଦିବାସୀ ମହିଳାଙ୍କୁ ଜୀବନ୍ତ ଦଗ୍ଧ କରିବା ପାଇଁ ଚେଷ୍ଟା: ମହିଳା ଗୁରୁତର

ନୂଆଦିଲ୍ଲୀ: ଜଣେ ଆଦିବାସୀ ମହିଳାଙ୍କୁ ଜୀବନ୍ତ ନିଆଁ ଲଗାଇବା ଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ମଧ୍ୟପ୍ରଦେଶର ଗୁନା ଜିଲ୍ଲାରେ । ବେମୁରୀ ଥାନା ଅନ୍ତର୍ଗତ ଧନୋରିଆ ଗ୍ରାମରେ ଗତକାଲି କିଛି ଅସାମାଜିକ ବ୍ୟକ୍ତି ଜଣେ ଆଦିବାସୀ ମହିଳାଙ୍କ ଉପରେ ଡିଜେଲ ଢାଳି ନିଆଁକୁ ଠେଲି ଦେଇଥିଲେ । ଫଳରେ ମହିଳାଙ୍କ ଅବସ୍ଥା ଗୁରୁତର ହେବାରୁ ପ୍ରଥମେ ଜିଲ୍ଲା ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ସେଠାରେ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ଭୋପାଲ ପଠାଯାଇଛି ।

ପୀଡ଼ିତା ମହିଳା ହେଉଛନ୍ତି ଧନୋରିଆ ଗ୍ରାମର ରାମପ୍ୟାରୀ । ସାମାନ୍ୟ ଜମି ବିବାଦରୁ କିଛି ଦୁର୍ବୃତ୍ତ ଏପରି କରିଥିବା ଜଣାଯାଇଛି । ତେବେ ସ୍ୱାମୀ ଅର୍ଜୁନଙ୍କ ଅଭିଯୋଗ କ୍ରମେ ସ୍ଥାନୀୟ ପୋଲିସ ୩ ଜଣଙ୍କ ବିରୋଧରେ ମାମଲା ରୁଜୁ କରିଛି । ଘଟଣାସ୍ଥଳରେ ଜିଲ୍ଲାପାଳ ଏବଂ ଏସପି ପହଞ୍ଚି ତଦନ୍ତ କାର୍ଯ୍ୟ ଆରମ୍ଭ କରିଛନ୍ତି । କୁହାଯାଉଛି ଗତ କିଛିଦିନ ଧରି ପୀଡ଼ିତା ମହିଳା ଏବଂ ଗାଁର କିଛି ଅସାମାଜିକ ବ୍ୟକ୍ତିଙ୍କ ମଧ୍ୟରେ ଜମିକୁ ନେଇ ବିବାଦ ଲାଗି ରହିିଥିଲା । ଗତକାଲି ଏହି ବିବାଦ ବଢିବାରୁ ମହିଳାଙ୍କୁ ଏକା ଦେଖି ଦୁବୃର୍ତ୍ତମାନେ ମାଡ଼ ମାରିବା ସହ ଡିଜେଲ ଢାଳି ନିଆଁ ଲଗାଇ ଦେଇଛନ୍ତି ।

ଜଳୁଥିବା ଅବସ୍ଥାରେ ହିଁ ରାମପ୍ୟାରୀଙ୍କୁ ଉଦ୍ଧାର କରିଥିଲେ ପୀଡ଼ିତାଙ୍କ ସ୍ୱାମୀ ଅର୍ଜୁନ । ଉଦ୍ଧାର କରୁଥିବା ସମୟରେ ଗାଁର ଅସାମଜିକ ବ୍ୟକ୍ତି ଶ୍ୟାମ କିରାର, ପ୍ରତାପ ଓ ହନୁମତ ନିଜ ନିଜ ସ୍ତ୍ରୀ ଓ ମା’ମାନଙ୍କ ସହ ଟ୍ରାକ୍ଟରରେ ଯାଉଥିବାର ଅର୍ଜୁନ ଦେଖିଥିଲେ । ଗତ ଜୁନ୨୪ରେ ଅର୍ଜୁନ ଓ ରାମପ୍ୟାରୀ ଏସପି ଅଫିସରେ ଗାଁର ଅସାମାଜିକ ଲୋକମାନଙ୍କ ଠାରୁ ତାଙ୍କ ଜୀବନ ପ୍ରତି ବିପଦ ଥିବାର ଏକ ଲିଖିତ ଅଭିଯୋଗ କରିଥିଲେ । ଏହା ପୂର୍ବରୁ ବମୋରୀ ଥାନାରେ ମଧ୍ୟ ଅଭିଯୋଗ କରିଥିଲେ ଉଭୟ ଦମ୍ପତ୍ତି । କିନ୍ତୁ ପୋଲିସ ଏଥିପ୍ରତି ଧ୍ୟାନ ଦେଇ ନଥିଲା । ଯାହା ଫଳରେ ଆଜି ଏଭଳି ଏକ ଘଟଣା ଘଟିଯାଇଛି । ଏହି ଘଟଣାରେ ଗୁନା ପୋଲିସ ଅଧିକାରୀ ପଙ୍କଜ ଶ୍ରୀବାସ୍ତବ ୩ ଅଭିଯୁକ୍ତଙ୍କ ନାଁରେ ମାମଲା ରୁଜୁ ହୋଇଥିବା କହିଛନ୍ତି ।

Get real time updates directly on you device, subscribe now.