fbpx

କାହିଁକି ମାଟି କୁଡୁଆରେ ରନ୍ଧାଯାଏ ମହାପ୍ରସାଦ ? ମହାପ୍ରଭୁଙ୍କ ଦୈନନ୍ଦିନ ଜୀବନଚର୍ଯ୍ୟା ଯେତିକି ଆଚାରସିଦ୍ଧ, ସେତିକି ବିଜ୍ଞାନମୟ

ମହାପ୍ରଭୁ ଶ୍ରୀଜଗନ୍ନାଥ ଓଡ଼ିଆ ଜାତିର ଗଣଦେବତା। ସେ ମାନବବାଦ ଓ ପ୍ରକୃତିବାଦର ସମନ୍ବିତ ପ୍ରଭୁତି। ତେଣୁ ମହାପ୍ରଭୁଙ୍କ ବିଗ୍ରହ ନିର୍ମାଣଠାରୁ ଆରମ୍ଭ ଦୈନନ୍ଦିନ ଜୀବନଚର୍ଯ୍ୟା ପର୍ଯ୍ୟନ୍ତ ପ୍ରତ୍ୟେକ ରୀତି ନୀତି ଯେତିକି ଆଚାରସିଦ୍ଧ, ସେତିକି ବିଜ୍ଞାନମୟ। ପୃଥିବୀର ଅଧିଷ୍ଠିତ ସବୁ ଦେବଦେବୀଙ୍କ ବିଗ୍ରହ ପ୍ରାୟତଃ ପ୍ରସ୍ତର କିମ୍ବା ଧାତୁରେ ଗଢ଼ା ହୋଇଥିବା ସ୍ଥଳେ ମହାପ୍ରଭୁ ଦାରୁଦେବତା ହେବା ଅନ୍ତରାଳରେ ରହିଛି ମାନବର ବୃକ୍ଷ ଉପାସନା। ନିମ୍ବବୃକ୍ଷର ଆୟୁର୍ବେଦୀୟ ଦ୍ରବ୍ୟଗୁଣ ସିଦ୍ଧାନ୍ତ ତଥା ସ୍ଥାୟିତ୍ଵ ହିଁ ଆଧ୍ୟାତ୍ମିକତା ପ୍ରକୃତି ତନ୍ତ୍ର ଓ ବିଜ୍ଞାନର ଏକ ସୁନ୍ଦର ସମୀକରଣ ଯାହା ଆମ ପୂର୍ବଜଙ୍କ ଜ୍ଞାନଗର୍ଭା ଚିନ୍ତନର ଫଳ।

ସୁସ୍ଥ ନିରାମୟ ଜୀବନ ଧାରଣ ପାଇଁ ମାନବ ଶରୀର ଆବଶ୍ୟକ କରେ ପରିବେଶ ଉପଯୋଗୀ ସାତ୍ତ୍ଵିକ ଆହାର। ଶାସ୍ତ୍ର କହେ–ପ୍ରକୃତିଲବ୍ଧ ଆଲୋକ ଉତ୍ତାପ ଜଳବାୟୁ ଓ ଖାଦ୍ୟ ଇତ୍ୟାଦିର ଉପଯୋଗିତାରେ ପରିପୁଷ୍ଟ ହୁଏ ମାନବ ଶରୀର ଅର୍ଥାତ୍ ଗୋଟିଏ ଭୂଖଣ୍ଡର ପରିବେଶ ଓ ଜଳବାୟୁ ଉପରେ ନିର୍ଭର କରେ ସେଠାକାର ଖାଦ୍ୟ ପରମ୍ପରା ଶହ ଶହ ବର୍ଷର ପରୀକ୍ଷାନିରୀକ୍ଷା ପରେ ପ୍ରତିଷ୍ଠା ଲାଭ କରେ ସେଠାକାର ଖାଦ୍ୟଶୃଙ୍ଖଳା ଓ ତା’ର ପ୍ରସ୍ତୁତି ପ୍ରଣାଳୀ। ଏହି ପରମ୍ପରାର ଉପାଦେୟତାକୁ ଅଙ୍ଗୀକାର କରି ସ୍ଥାନୀୟ ପରିବେଶରୁ ମିଳୁଥିବା ପ୍ରାକୃତିକ ଖାଦ୍ୟ ପଦାର୍ଥରୁ ପ୍ରସ୍ତୁତ ମହାପ୍ରଭୁଙ୍କ ଅନ୍ନବ୍ୟଞ୍ଜନ ଓ ଅନ୍ୟାନ୍ୟ ଭୋଗ।

ଖାଦ୍ୟ ବିଶେଷଜ୍ଞଙ୍କ ମତରେ କୌଣସି ଧାତୁପାତ୍ର ଅପେକ୍ଷା ମାଟିହାଣ୍ଡିରେ ପାକ ହୋଇଥିବା ଅଧିକ ସୁସ୍ବାଦୁ ଓ ସ୍ବାସ୍ଥ୍ୟକର। କାରଣ ମାଟିପାତ୍ରରେ ରୋଷେଇ କରିବା ଆଦୌ ନଷ୍ଟ ଖାଦ୍ୟର ସୂକ୍ଷ୍ମ ପୋଷକ ତତ୍ତ୍ଵ। ଆପଣା ଅନୁଭୂତିସିଦ୍ଧ ଜ୍ଞାନ ବଳରେ ଖାଦ୍ୟ ପ୍ରସ୍ତୁତିର ଏ ଗହନ ବୁଝିଥିଲେ ଆମ ପୂର୍ବଜମାନେ। ସେହି କାରଣରୁ ଏକଦା ଆମ ରୋଷେଇ ଘରର ଅଭିନ୍ନ ଅଙ୍ଗ ହୋଇ ରହିଥିଲା ମାଟିହାଣ୍ଡି। ମାଟିପାତ୍ର କ୍ଷାରୀୟ ଗୁଣ ବହନ କରୁଥିବାରୁ ଅମ୍ଳ ପ୍ରଭାବକୁ ହ୍ରାସ କରି ଖାଦ୍ୟକୁ ସମତୁଲ ସ୍ତରକୁ ଆଣେ, ଯାହା ହଜମ ହୋଇଯାଏ ମାଟିପାତ୍ରରେ ରୋଷେଇ ଖାଦ୍ୟ ନିୟମିତ ଖାଉଥିବା ବ୍ୟକ୍ତିକୁ ଆକ୍ରମଣ କରେନି ମଧୁମେହ ଓ ଆଣ୍ଠୁଗଣ୍ଠି ଯନ୍ତ୍ରଣା। ଏତଦ୍‌ଭିନ୍ନ ମାଟିପାତ୍ରରେ ନିୟମିତ ପିଇଲେ ହଜମ ଶକ୍ତି ବଢ଼ିବା ସହିତ ଅଧିକ କ୍ରିୟାଶୀଳ ରୋଗ ପ୍ରତିରୋଧକ ଶକ୍ତି। ଏହାକୁ ଦୃଷ୍ଟିରେ ରଖ୍ ଶ୍ରୀମନ୍ଦିରରେ ରନ୍ଧନଠୁ ଆରମ୍ଭ କରି ମହାପ୍ରସାଦ ସେବନ ପର୍ଯ୍ୟନ୍ତ ସବୁକାମ ହୁଏ କେବଳ ମାଟିପାତ୍ରରେ। ଶ୍ରୀମନ୍ଦିର ସେବାରେ ଏହି ମାଟିପାତ୍ର ପାଇଁ ସୃଷ୍ଟି ହୋଇଛି ଏକ ସ୍ଵତନ୍ତ୍ର ନିଯୋଗ କୁମ୍ଭକାର ସେବା।

ଶ୍ରୀମନ୍ଦିର ଇତିହାସ କହେ, ରାଜା ତୃତୀୟ ଅନଙ୍ଗଦେବ (ପ୍ରୟୋଦଶ ଶତାବ୍ଦୀ) ଙ୍କ ସମୟରୁ ଶ୍ରୀଜୀଉଙ୍କ ପାଇଁ ମହାପ୍ରସାଦ ଅନ୍ନଭୋଗ ମଣୋହି ବ୍ୟବସ୍ଥା (ତ୍ରୟୋଦଶ ଶତାବ୍ଦୀ) ପ୍ରଚଳନ ହେବା ପରଠାରୁ ବ୍ୟାପକ ହେଲା ମାଟିହାଣ୍ଡି, କୁଡୁଆ ଓ ତାଡ଼ ଇତ୍ୟାଦି। ଆବଶ୍ୟକତାକୁ ଅନୁଭବ କରି ଛତିଶା ନିଯୋଗରେ ସ୍ଥାନ ପାଇଲା କୁମ୍ଭକାର ସେବା। ଶ୍ରୀମନ୍ଦିରକୁ କେବଳ ନାଲି ରଙ୍ଗର ପାତ୍ର ଯାଏ ଏବଂ ତାହା ତିଆରି ହୁଏ ଏକ ବିଶେଷ ପଦ୍ଧତିରେ ସମୟକ୍ରମେ ଛପନ ପଉଟି ଭୋଗର ପରିମାଣ ବୃଦ୍ଧି ପାଇବା ସହିତ ବଢ଼ି ଚାଲିଲା ପାତ୍ରର ଚାହିଦା ପରିମାଣର ମାଟିପାତ୍ର ଯୋଗାଇବାକୁ ଅକ୍ଷମ କୁମ୍ଭକାର ନିଯୋଗ ମନ୍ଦିର ପକ୍ଷରୁ କୁମ୍ଭାରପଡ଼ା ଟିକରପଡ଼ା ଓ ନୂଆସାହିସ୍ଥିତ କୁମ୍ଭାରମାନଙ୍କୁ ଚୁକ୍ତିବଦ୍ଧ କରାଗଲା ଅତିରିକ୍ତ ଭାବରେ।

ଖାଦ୍ୟ ଗବେଷକଙ୍କ ମତରେ, ମାଟିପାତ୍ରରେ ପ୍ରସ୍ତୁତ ଖାଦ୍ୟ ଶରୀରକୁ ଯୋଗାଇପାରେ ଆବଶ୍ୟକ ପରିମାଣର କ୍ୟାଲ୍‌ସିୟମ, ଫସ୍‌ଫରସ୍ ଓ ଲୌହସାର ଅନେକ ସମୟ ପର୍ଯ୍ୟନ୍ତ ସତେଜ ରହିପାରେ, ଯାହା ପରୀକ୍ଷିତ। ସମ୍ବାଦପତ୍ରରେ ପ୍ରକାଶିତ ଏକ ସୂଚନା ଅନୁଯାୟୀ ମହାପ୍ରଭୁଙ୍କ ଦର୍ଶନ ନିମନ୍ତେ ଏକଦା ଶ୍ରୀକ୍ଷେତ୍ର ଆସିଥିଲେ ସୁଦେଶୀ ବିଜ୍ଞାନ ସଂଘର ସଦସ୍ୟ ରାଜୀବ ଦୀକ୍ଷିତ ସେଠାରେ ମାଟି କୁଟୁଆରେ ମହାପ୍ରଭୁଙ୍କୁ ମହାପ୍ରସାଦ ଅର୍ପଣ ହେଉଥ୍ବାର ଦେଖ୍ ସେ ଚକିତ ହେଲେ ଏବଂ ତାଙ୍କ ଭିତରେ ସୃଷ୍ଟି ହେଲା ଏକ ପ୍ରଶ୍ନବାଚୀ।

ଶ୍ରୀମନ୍ଦିର ଭଣ୍ଡାର ଘରେ ଭଳି ମୂଲ୍ୟବାନ୍‌ ଧାତୁ ନିର୍ମିତ ପାତ୍ରର ଅଭାବ ନଥିବା ସ୍ଥଳେ ମାଟି କୁଡୁଆର ବ୍ୟବହାର କାହିଁକି ? ସେବାୟତଙ୍କ ସହ ଆଲୋଚନା କରି ଜାଣିଲେ ତା’ର ନିର୍ଯାସ ହେଉଛି- ମାଟି କୁଡୁଆ ଅନ୍ୟାନ୍ୟ ପାତ୍ରଠାରୁ ପବିତ୍ର ଏବଂ ସେହି କାରଣରୁ କୁଡୁଆରେ ରନ୍ଧନ କରି ମହାପ୍ରଭୁଙ୍କୁ ମହାପ୍ରସାଦ କରିବା ଶ୍ରୀମନ୍ଦିର ବିଧି। ସେବାୟତଙ୍କ ଏଭଳି ମନଗଢ଼ା କଥାକୁ ଆଦୌ ଗ୍ରହଣ କରିପାରିଲାନି ରାଜୀବ ଦୀକ୍ଷିତଙ୍କ ଅନିସନ୍ଧିସୁ ତେଣୁ ଏହାର ରହସ୍ୟ ଭେଦିବା ପାଇଁ ସେ ଡାଲି କୁଡୁଆ ଧରି ପହଞ୍ଚିଥିଲେ ଭୁବନେଶ୍ୱର ଆଞ୍ଚଳିକ ବିଜ୍ଞାନ ଗବେଷଣା କେନ୍ଦ୍ରରେ। ମାତ୍ର ପରୀକ୍ଷା ପାଇଁ ସେଠାରେ ଉପଲବ୍ଧ ନଥିଲା ଆନୁଷଙ୍ଗିକ ସୁବିଧା। ଅଗତ୍ୟା ଡାଲି କୁଡ଼ିଆଟି ଧରି ଫେରିଆସିଲେ ଦିଲ୍ଲୀ।

ସେଠାକାର ବିଜ୍ଞାନ ଗବେଷଣା କେନ୍ଦ୍ରରେ ପହଞ୍ଚିବା ପାଇଁ ଲାଗିଗଲା ଛତିଶ ଘଣ୍ଟା ସମୟ ସେତେବେଳକୁ ଡାଲି ସଂପୂର୍ଣ୍ଣ ଖରାପ ହୋଇ ଯାଇଥିବ ବୋଲି ଭାବି ନେଇଥିଲେ ଦୀକ୍ଷିତ ମହୋଦୟ। ମାତ୍ର ତାଙ୍କ ଭାବନା ଭୁଲ ପ୍ରମାଣିତ ହେଲା ବିଜ୍ଞାନାଗାରରେ ପରୀକ୍ଷା ପରେ। ଗବେଷଣାରୁ ଜଣାଗଲା ଡାଲିର ପୌଷ୍ଟିକ ତତ୍ୱ ହୋଇନାହିଁ ଏବଂ ସେଥିରେ ଭରପୁର ହୋଇ ରହିଛି ଅଠର ପ୍ରକାର ମାଇକ୍ରୋନ୍ୟୁଟ୍ରାଣ୍ଟ ପୁଷ୍ଟିସାର। ଖାଦ୍ୟ ଗବେଷକଙ୍କ ମତରେ ଭା ହିଁ ମାଟି କୁଡୁଆର ବିଶେଷତ୍ଵ। ୟୁରୋପୀୟ ଖାଦ୍ୟ ନିରାପତ୍ତା ପ୍ରାଧିକରଣ ପକ୍ଷରୁ କରାଯାଇଥିବା ଗବେଷଣାରୁ ଜଣାଯାଏ ଯେ, ଆଲୁମିନିୟମ ପାତ୍ରରେ ରୋଷେଇ ବେଳେ ପାଣି ଓ ଉତ୍ତାପ ଯୋଗୁ ହାଣ୍ଡିରେ ରାସାୟନିକ ପ୍ରକ୍ରିୟା ସୃଷ୍ଟି ହୁଏ ଏବଂ ବାରମ୍ବାର ଖଡ଼ିକା ଘର୍ଷଣ ଦ୍ଵାରା ସେଥିରୁ କ୍ଷୟ ହେବାକୁ ଲାଗେ କ୍ଷୁଦ୍ର କ୍ଷୁଦ୍ର ଆଲୁମିନିୟମ କଣିକା। ଖାଦ୍ୟ ସହ ପେଟ ଭିତରକୁ ଯିବା ଫଳରେ ସୃଷ୍ଟି ହୁଏ ନାନା ପ୍ରକାର ରୋଗ। ଅତଏବ ସ୍ବାସ୍ଥ୍ୟ ପାଇଁ ଧାତୁ ନିର୍ମିତ ପାତ୍ରଠାରୁ ମାଟିପାତ୍ରର ଉପାଦେୟତା ଢେର୍ ବେଶି।

ହାଣ୍ଡିଶାଳରୁ ମାଟିହାଣ୍ଡି ହଜିଯିବା ସହିତ ଲୋକେ ଭୁଲିଗଲେଣି ମାଟିହାଣ୍ଡି ରୋଷେଇର ସ୍ବାଦ। ମାତ୍ର ଶ୍ରୀମନ୍ଦିର ସେବା ପୂଜାରେ କେବେ କମିନାହିଁ ମାଟି କୁଡ଼ିଆର ଆଦର। ସମୟକ୍ରମେ ଜଗନ୍ନାଥ ଧର୍ମ ଦର୍ଶନରେ ଅନ୍ୟ ଅନେକ ଚିନ୍ତା ଚେତନା ଓ ଦର୍ଶନର ସମନ୍ଵୟ ଘଟିଛି, ହେଲେ ସକଳ ବୈଚିତ୍ର ଓ ବିବିଧତାକୁ ଆତ୍ମସ୍ଥ କରି ଯୁଗ ଯୁଗ ଧରି ଅକ୍ଷୁଣ୍ଣ ରହିଛି ଜଗନ୍ନାଥ ସଂସ୍କୃତିର ମୌଳିକତା। ପାଶ୍ଚାତ୍ୟ ସଂସ୍କୃତି କବଳିତ କିଛି ତଥାକଥ୍ତ ଶିକ୍ଷିତ ବ୍ୟକ୍ତି ଜଗନ୍ନାଥ ସଂସ୍କୃତି ପରମ୍ପରାର ମୂଳ ତତ୍ତ୍ଵକୁ ପରୀକ୍ଷାନିରୀକ୍ଷା ନ ମାଟି କୁଡୁଆରେ ମହାପ୍ରଭୁଙ୍କ ମହାପ୍ରସାଦ ମଣୋହିକୁ ଅବୈଜ୍ଞାନିକ, ଅହେତୁକ ଓ ଅନ୍ଧବିଶ୍ୱାସ କହିପାରନ୍ତି ମାତ୍ର ସେମାନେ ଜାଣିବା ଦରକାର ଏହା ସ୍ଵାସ୍ଥ୍ୟ ସୁରକ୍ଷା ଦୃଷ୍ଟିରୁ ଯେତିକି ଉପାଦେୟ, ପର୍ଯ୍ୟାବରଣ ପାଇଁ ସେତିକି ଉପଯୋଗୀ। ବିଶେଷକରି ପ୍ଲାଷ୍ଟିକ ପ୍ରଦୂଷଣ ଯୁଗରେ ମାଟି କୁଡୁଆରେ ମହାପ୍ରସାଦ ରନ୍ଧନର ପ୍ରାସଙ୍ଗିକତା ପ୍ରଶ୍ନାତୀତ।

(ଡ. ପ୍ରଫୁଲ୍ଲ କୁମାର ସାହୁ, ଅବସରପ୍ରାପ୍ତ ଅଧ୍ୟକ୍ଷ)

Get real time updates directly on you device, subscribe now.