fbpx

ପୁଣି ବିବାଦରେ ଟ୍ୱିଟର୍‌: ଜମ୍ମୁ-କାଶ୍ମୀର, ଲଦାଖକୁ ଭାରତ ମାନଚିତ୍ରରେ ଦେଲାନି ସ୍ଥାନ, ଦର୍ଶାଇଲା ଅଲଗା ଦେଶ

ନୂଆଦିଲ୍ଲୀ, (ଓଡ଼ିଶା ଭାସ୍କର) : ପୁଣି ଥରେ ବିବାଦରେ ଫସିଛି ସୋସିଆଲ୍‌ ମିଡ଼ିଆ ନେଟ୍‌ୱାର୍କିଂ ସାଇଟ୍‌ ଟ୍ୱିଟର । ପୂର୍ବରୁ ନୂଆ ଡିଜିଟାଲ ଆଇନ୍‌କୁ ନେଇ ବିବାଦ ଘେରରେ ଥିବା ଟ୍ୱିଟର୍‌ ଏବେ ଭାରତର ଜମ୍ମୁ-କାଶ୍ମୀର ଏବଂ ଲଦାଖକୁ ଭାରତ ମାନଚିତ୍ରରେ ସ୍ଥାନ ନଦେଇ ଭିନ୍ନ ଦେଶ ଭାବେ ମାନଚିତ୍ରରେ ସ୍ଥାନ ଦେଇଛି । ଏହାକୁ ନେଇ ବିବାଦ ସୃଷ୍ଟି ହୋଇଛି ।

ସୂଚନା ମୁତାବିକ, ଟ୍ୱିଟରର କ୍ୟାରିୟର ପେଜର ଟ୍ୱିପ୍‌ ଲାଇଫ୍‌ ସେକ୍ସନରେ ବିଶ୍ୱ ମାନଚିତ୍ର ରହିଛି । ଏହି ମ୍ୟାପ ସହାୟତାରେ ଟ୍ୱିଟର ଦର୍ଶାଇଥାଏ କି ସାରା ବିଶ୍ୱରେ ତାର ଟିମ୍‌ ରହିଛି । ଏହି ମ୍ୟାପରେ ଭାରତ ବି ରହିଛି । ମାତ୍ର ଭାରତର ମାନଚିତ୍ରକୁ ବିବାଦୀୟ ଭାବେ ଦେଖାଯାଇଛି । ଘଟଣାକୁ ନେଇ ଭାରତ ସରକାର ତୀବ୍ର ଅସନ୍ତୋଷ ପ୍ରକାଶ କରିବା ସହ ଟ୍ୱିଟର ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପ୍ରକ୍ରିୟା ଆରମ୍ଭ କରିଥିବା ଜଣାପଡ଼ିଛି ।ଟ୍ୱିଟର୍‌ର ଏହି ମ୍ୟାପ୍‌ରେ ଜମ୍ମୁ-କାଶ୍ମୀର ଓ ଲଦାଖକୁ ଭାରତ ବାହାରେ ବୋଲି ଦର୍ଶାଯାଇଛି । ଜଣେ ଟ୍ୱିଟର୍‌ ବ୍ୟବହାରକାରୀ କମ୍ପାନୀର ଏହି ତ୍ରୁଟିକୁ ଠାବ କରିବା ପରେ ଏହାକୁ ନେଇ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି ।

ସୂଚନାଯୋଗ୍ୟ, ଦ୍ୱିତୀୟ ଥର ପାଇଁ ଟ୍ୱିଟର ଭାରତକୁ ନେଇ ଏପରି ଭୁଲ ମାନଚିତ୍ର ଉପସ୍ଥାପନ କରିଛି । ପୂର୍ବରୁ ଟ୍ୱିଟର୍‌ ଭାରତର ଲେହକୁ ଚାଇନାର ବୋଲି ଦର୍ଶାଇ ମାନଚିତ୍ରରେ ସ୍ଥାନ ଦେଇଥିଲା । ଏହାକୁ ନେଇ ବିବାଦ ସୃଷ୍ଟି ହେବା ପରେ ଟ୍ୱିଟର କ୍ଷମା ପ୍ରାର୍ଥନା କରିବା ସହ ତ୍ରୁଟି ସୁଧାରି ଥିଲା । କିନ୍ତୁ ଏବେ ବିବାଦୀୟ ମାନଚିତ୍ର ଜାରି କରାଯିବା ଫଳରେ କେନ୍ଦ୍ର ସରକାର ଓ ଟ୍ୱିଟର୍‌ ମଧ୍ୟରେ ବିବାଦ ଆଉ ପାଦେ ଆଗକୁ ବଢିଛି ।

Get real time updates directly on you device, subscribe now.