fbpx

BJP MLA ମୁକେଶ ମହାଲିଙ୍ଗଙ୍କ ଗାଡ଼ି ଉପରକୁ ଆକ୍ରମଣ: PSO ଏବଂ ଡ୍ରାଇଭର ଆହତ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ପଞ୍ଚାୟତ ଓ ପୌର ନିର୍ବାଚନ ସମାପ୍ତ ହୋଇସାରିଛି । ମାତ୍ର ରାଜନୈତିକ ହିଂସା ଥମିବାର ନାଁ ଧରୁନାହିଁ । କିଛିଦିନ ଧରି ରାଜ୍ୟର କିଛି ଅଞ୍ଚଳରେ ରାଜନୈତିକ ହିଂସା ଦେଖିବାକୁ ମିଳିଛି । ଏହି କ୍ରମରେ ଆଜି ରାଜ୍ୟର ବଲାଙ୍ଗିର ଜିଲ୍ଲାର ଜଣେ ବିଧାୟକଙ୍କ ଗାଡ଼ି ଉପରକୁ ଆକ୍ରମଣ କରାଯାଇଛି ।

ଜଣାପଡ଼ିଛି ଯେ, ଲୋଇସିଂହା ନିର୍ବାଚନ ମଣ୍ଡଳୀର ବିଜେପି ବିଧାୟକ ମୁକେଶ ମହାଲିଙ୍ଗଙ୍କ ଗାଡ଼ି ଉପରକୁ କିଛି ଯୁବକ ଆକ୍ରମଣ କରିଛନ୍ତି । ବଲାଙ୍ଗିର-ସମ୍ବଲପୁର ୨୬ ନମ୍ବର ଜାତୀୟ ରାଜପଥର ବୁର୍ଡା ଛକରେ ଏହି କାଣ୍ଡ ଘଟିଛି । ବିଧାୟକଙ୍କ ଗାଡ଼ି ଉପରକୁ ଦୁଇଜଣ ଯୁବକ ଢେଲା ପଥର ମାଡ଼ କରିଥିଲେ ।

ଆକ୍ରମଣ କରିଥିବା ଯୁବକମାନେ ଏକ ବାଇକରେ ଆସି ଆକ୍ରମଣ କରିଥିଲେ । ଏହି ଆକ୍ରମଣରେ ବିଧାୟକଙ୍କ ପିଏସଓ ଏବଂ ଡ୍ରାଇଭର ଆହତ ହୋଇଛନ୍ତି । ମାତ୍ର ବିଧାୟକ ପଛ ସିଟରେ ବସିଥିବାରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି । ଆକ୍ରମଣକାରୀମାନେ ଏହି କାଣ୍ଡ ଘଟାଇ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ । ତେବେ କିଏ ଓ କାହିଁକି ଆକ୍ରମଣ କରିଥିଲା ତାହା ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇପାରି ନାହିଁ । ନିକଟରେ ପୌର ନିର୍ବାଚନ ଶେଷ ହୋଇଥିବାରୁ ରାଜନୈତିକ ଆକ୍ରୋଶ ରଖି ବିଧାୟକଙ୍କୁ ଆକ୍ରମଣ କରାଯାଇଥାଇପାରେ ବୋଲି ଅନୁମାନ କରାଯାଉଛି ।

Get real time updates directly on you device, subscribe now.